ବଲାଙ୍ଗୀର/ଲୋଇସିଂହା, ୧୭ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ): କିଛିଦିନ ପୂର୍ବରୁ ବଲାଙ୍ଗୀର ଜିଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଅରପାଲି, ବବ୍ଜା, ପାଟଣାଗଡ ବ୍ଳକର ସାଲେପାଲି, ଭରତବାହାଲ, ଲରମ୍ଭା ଏବଂ କହ୍ନେଇଟାଲ ଠାରେ ଗ୍ରାଫାଇଟ ଓ ମାଙ୍ଗାନିଜ ଖଣି ନିଲାମ ହୋଇଥିବା ଜଣାପଡିଥିଲା। ବିନା ପଲ୍ଲୀସଭା କି ଗ୍ରାମସଭାରେ ଏହି ଖଣିଗୁଡିକ ଏକତରଫା ନିଲାମ ହୋଇଥିବା ଜଣାପଡିବା ପରେ ଜିଲାବ୍ୟାପୀ ଖଣି ବିରୋଧୀ ସ୍ବର ଶାଣିତ ହେବାରେ ଲାଗିଛି। ସୋମବାର ଲୋଇସିଂହା ବ୍ଲକ ରତାଖଣ୍ଡିଠାରେ ଖଣି ବିରୋଧୀ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଛି। ଲୋଇସିଂହା ବ୍ଲକସ୍ତରୀୟ ସମୂହ ଜଙ୍ଗଲ ଅଧିକାର କମିଟି ପକ୍ଷରୁ ସଭାପତି ରାଧାକାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଚିନ୍ତନ ବୈଠକରେ ଆଖପାଖ ୬୦ଟି ଗଁାର ଶତାଧିକ ଜନସାଧାରଣ, ଜିଲାର ବିଭିନ୍ନ ଖଣି ବିରୋଧୀ ଆନ୍ଦୋଳନର ପ୍ରତିନିଧି ଏବଂ ବହୁ ସାମାଜିକ କାର୍ଯ୍ୟକର୍ତ୍ତା ଯୋଗଦାନ କରି ଅବିଚାରିତ ଖଣି ଖନନ ବିରୋଧରେ ଗର୍ଜିଥିଲେ। ଲୋକଙ୍କ ବିନା ସହମତିରେ ଖଣି ନିଲାମ ଏକ ଅସାମ୍ବିଧାନିକ ଏବଂ ବେଆଇନ କାର୍ଯ୍ୟ ବୋଲି କହିଥିଲେ। ସରକାର ଏଥିରୁ କ୍ଷାନ୍ତ ରହନ୍ତୁ ଏବଂ ତୁରନ୍ତ ସମସ୍ତ ଖଣି ନିଲାମକୁ ରଦ୍ଦ କରନ୍ତୁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଜିଲା ଜଙ୍ଗଲ ସୁରକ୍ଷା ଫୋରମ୍ର ଆବାହକ କୁଳମଣି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଞ୍ଚଳର ଲୋକେ ଦୀର୍ଘ ବର୍ଷ ଧରି ଜଙ୍ଗଲ ସୁରକ୍ଷାରେ ଲାଗିଥିଲେ ବୋଲି ଆଜି ଏଠାରେ ଜଙ୍ଗଲ ରହିଛି। ସରକାର ଯଦି ଏକତରଫା ଖଣି ନଁାରେ ଜଙ୍ଗଲ ଉଜାଡିବେ ତେବେ ଏଠାକାର ପରିବେଶ ସନ୍ତୁଳନ ସମ୍ପୂର୍ଣ୍ଣ ବିଗିଡିଯିବ। ଲୋକେ ଜୀବନ ଜୀବିକା ହରାଇବେ। ବିସ୍ଥାପନ ସମସ୍ୟା ବଢ଼ିବ। ଲୋକେ ଏହାକୁ ବିରୋଧ କରିବେ ବୋଲି କହିଥିଲେ। ଆଦିବାସୀ ନେତା ଗିରିରାଜ ଭୋଇ ସାଲେପାଲି ଗ୍ରାଫଇଟ୍ ମାଇନିଂ କଥା ଉଠାଇ ସ୍ଥାନୀୟ ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ କଡା ସମାଲୋଚନା କରିଥିଲେ। ଖଣି ବିକ୍ରିର ଏହା ଏକ ମସୁଧା କହିଥିଲେ। ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀ ସୂଚନା ଅଧିକାର ବଳରେ ସରକାରଙ୍କ ମୁଖା ଖୋଲାଯିବ ବୋଲି କହିଥିଲେ। କୁଶମେଲ ସରପଞ୍ଚ କୌସ୍ତୁଭ ସାହୁ, ମାଗୁରବେଡା ସରପଞ୍ଚ ସଞ୍ଜୟ ଗଡତ୍ୟା, ରତାଖଣ୍ଡି ସରପଞ୍ଚ ହିମାଞ୍ଚଳ ମେହେର, ସରଗାଡ ସରପଞ୍ଚ ସରୋଜ ବେହେରା, ସମିତି ସଭ୍ୟ ବୀରେନ୍ଦ୍ର ସାହୁ, ଉପରବାହାଲ ସରପଞ୍ଚଙ୍କ ପ୍ରତିନିଧି ଶର୍ମା ସାହୁ ଓ ଭକ୍ତ ବରିହା ବିନା ପଲ୍ଲୀସଭା ଓ ଗ୍ରାମସଭାରେ ଖଣି ଲିଜ୍ କଥାକୁ ଜୋରଦାର ବିରୋଧ କରାଯିବ ବୋଲି କହିଥିଲେ। ଲୋୟର ସୁକ୍ତେଲ ପ୍ରକଳ୍ପରେ ଲୋକଙ୍କୁ କିଭଳି ନିର୍ଯାତନା ଏବଂ ଶୋଷଣ କରାଯାଇଛି, ସେନେଇ ଉଦାହରଣ ଦେଇ କୌଣସି ପରିସ୍ଥିତିରେ ଖଣି ଖନନ କରାଇ ଦିଆଯିବ ନାହିଁ ବୋଲି କହିଥିଲେ। ସାମାଜିକ କର୍ମୀ ସତ୍ୟ ବନଛୋର, ପ୍ରେମରାଜ ବରିହା, ପଦ୍ମିନୀ ବାଗ, ଶେଷଦେବ ଖମାରୀ, ସୁରେନ୍ଦ୍ର ଭୋଇ, ଗୁଣନିଧି ବରିହା, ଖେଲରାଜ୍ ବରିହା, ମିଶ୍ର ବରିହା, ବିଦ୍ୟାସାଗର ନାଏକ ଓ ଅନ୍ୟମାନେ ଖଣି ଖନନ କରାଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଆଗାମୀ ଦିନରେ ପ୍ରତ୍ୟେକ ଗଁାରେ ଗଁା କମିଟି ଗଠନ କରାଯାଇ ଅଞ୍ଚଳ ସୁରକ୍ଷା କରାଯିବ ଏବଂ କୌଣସି କମ୍ପାନୀର ଗାଡି କି ଲୋକଙ୍କୁ ଗଁାରେ ପଶିବାକୁ ଦିଆଯିବନାହିଁ ବୋଲି ଲୋକେ କହିଥିଲେ। ଏହାସହିତ ବୈଠକରେ ୬ ଦଫା ଦାବିପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଖଣିମନ୍ତ୍ରୀ, ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ, ମୁଖ୍ୟଶାସନ ସଚିବ, ବଲାଙ୍ଗୀର ଜିଲାପାଳ, କେନ୍ଦ୍ର ଖଣି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଓ ସଚିବଙ୍କୁ ପ୍ରେରଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। କୈଳାସ ବରିହା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବ୍ଲକସ୍ତରୀୟ ଜଙ୍ଗଲ ଅଧିକାର କମିଟି ସମୂହର ସମ୍ପାଦକ ଚୈତନ୍ୟ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଗାମୀ ଦିନରେ ଗଁା କମିଟି ଗଠନ ପରେ ଜିଲାସ୍ତରରେ ଖଣି ବିରୋଧୀ ମହାସମାବେଶ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

