ଶେଷ ସୋମବାରରେ ମୁକ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଗହଳି, ଲକ୍ଷାଧିକ କାଉଡ଼ିଆଙ୍କ ଜଳଲାଗି

ଜମନକିରା,୨୪।୮(ରବୀନ୍ଦ୍ର ପ୍ରସାଦ ଦାନୀ): ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏହି ଅବସରରେ ସମ୍ବଲପୁର ଜିଲା ଜମନକିରା ବ୍ଲକସ୍ଥିତ ପ୍ରସିଦ୍ଧ ପଶ୍ଚିମାଭିମୁଖୀ ଶୈବପୀଠ ବାବା ମୁକ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଜନସମୁଦ୍ର ଦେଖିବାକୁ ମିଳିଛି । ଚଳିତ ଶ୍ରାବଣ ମାସର ପୂର୍ବ ତିନୋଟି ସୋମବାର ତୁଳନାରେ ଏହି ଶେଷ ସୋମବାର ଦିନ ସର୍ବାଧିକ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ସମାଗମ ହୋଇ ବିଗତ ଦିନର ସମସ୍ତ ରେକର୍ଡ ଭାଙ୍ଗିଛି ।

ଶ୍ରାବଣର ଅନ୍ତିମ ସୋମବାରରେ ବାବାଙ୍କୁ ଜଳାଭିଷେକ କରି ପୂଣ୍ୟ ଅର୍ଜନ କରିବା ଲାଗି ଲକ୍ଷାଧିକ ଭକ୍ତଙ୍କ ଆଗମନ ଫଳରେ ସମଗ୍ର ଅଞ୍ଚଳ “ହର ହର ମହାଦେବ” ଓ “ବୋଲ୍‌ବମ୍” ଧ୍ୱନିରେ ଉତ୍ସବମୁଖର ହୋଇଉଠିଛି। ରାତ୍ର ପ୍ରାୟ ସାଢ଼େ ୩ ଟାରୁ ମନ୍ଦିରର ପୂଜକମାନେ ନୀତିକାନ୍ତି ଅନୁଯାୟୀ ମନ୍ଦିର ସଫାସୁତୁରା ଓ ଗର୍ଭଗୃହ ଶୁଦ୍ଧିପୂତ କରିବା ପରେ ଭକ୍ତଙ୍କ ପାଇଁ ଦ୍ୱାର ଖୋଲାଯାଇଥିଲା । ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ସୁଦୃଢ଼ ବାଉଁଶ ବାରିକେଡ୍ ନିର୍ମାଣ କରାଯାଇଥିଲା । ଯାହାଫଳରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତ ଶ୍ରଦ୍ଧାଳୁ ଧାଡ଼ି ବାନ୍ଧି ଶୃଙ୍ଖଳିତ ଭାବେ ବାବାଙ୍କ ଦର୍ଶନ ସହିତ ଜଳଲାଗି କରିଥିଲେ।

ଏହି ବିଶାଳ ଆଧ୍ୟାତ୍ମିକ ଉତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମନ୍ଦିର ପରିଚାଳନା କମିଟି ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସମ୍ବଲପୁର ଠାରୁ ଜମନକିରା ପର୍ଯ୍ୟନ୍ତ ପ୍ରାୟ ୬୦ କିଲୋମିଟର ରାସ୍ତାରେ ବ୍ୟାପକ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦୀର୍ଘ ପଥ ପାଦରେ ଚାଲି ଆସୁଥିବା କ୍ଳାନ୍ତ କାଉଡ଼ିଆମାନଙ୍କ ପାଇଁ ପାନୀୟ ଜଳ, ଥଣ୍ଡା ସରବତ୍, ଚା’ ଏବଂ ଅନ୍ନପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା। ଏହା ସହିତ ଯାତ୍ରା ସମୟରେ ଅସୁସ୍ଥ ହୋଇ ପଡ଼ୁଥିବା ଭକ୍ତମାନଙ୍କ ପାଇଁ ସ୍ଥାନେସ୍ଥାନେ ମାଗଣା ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଶିବିର, ଔଷଧ ବିତରଣ ଓ ଶାରୀରିକ ପୀଡ଼ା ଉପଶମ ସେବା ଯୋଗାଇ ଦିଆଯାଇଥିଲା। ସ୍ୱେଚ୍ଛାସେବୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସ୍ଥାନୀୟ ପ୍ରଶାସନର ସହଯୋଗ କାରଣରୁ ଚଳିତ ବର୍ଷର ଶ୍ରାବଣ ଶେଷ ସୋମବାର ମହାଆଡ଼ମ୍ବର ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି।

 

Dharitri – Odisha’s No.1 Odia Daily

Share