ଧର୍ମଶାଳା,୧୮ା୫(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ରାହାଡପୁରସ୍ଥିତ ପଦ୍ମାବତୀ କ୍ରସର କର୍ମଚାରୀ ଇଞ୍ଜିନିୟର ଛାତ୍ର ହତ୍ୟା ଘଟଣାକୁ ୧୭ଦିନ ବିତିବା ପରେ ଶନିବାର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୌମ୍ୟ ରଞ୍ଜନ ବିଶାଳ ଓ ହେମନ୍ତ କୁମାର ଦେଓ। ଏହି ଘଟଣାରେ ୪ଜଣ ଅଭିଯୁକ୍ତ ସଂପୃକ୍ତ ଥିବାନେଇ ଥାନାରେ ଅଭିଯୋଗ ହୋଇଥିଲା। ପୂର୍ବର ଏହି ହତ୍ୟା ଘଟଣାର ପ୍ରଥମ ଦିନରୁ ଅଟକ ଥିବା ସତ୍ୟନାରାୟଣ ବଳ (ରନୀ)କୁ ପୋଲିସ ଗିରଫ କରି ଚାଲାଣ କରିଥିଲା। ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ କେବେ ଗିରଫ କରିବ ସେନେଇ ପ୍ରଶ୍ନ ଉଠିଥିଲା। ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜ୍ଞାନ ରଞ୍ଜନ ମହାପାତ୍ର (ସିଲୁ) କେବେ ଗିରଫ ହେବେ ତାହା ଦେଖିବାକୁ ବାକି ରହିଲା।
ପ୍ରକାଶ ଥାଉ କି, ଗତ ମେ’୧ ତାରିଖରେ ଧର୍ମଶାଳା ବ୍ଲକ ଜାରକା ସ୍ଥିତ ଜାମୁବଣିଆ ଗ୍ରାମର ଅଜୟ ଜେନାଙ୍କ ପୁଅ ଅରଜିତ୍ ଜେନାଙ୍କୁ କ୍ରସର ଟଙ୍କା ହଡ଼ପ ଅଭିଯୋଗ ଆଣି କ୍ରସର ମାଲିକ ଭଣଜା ରନୀ ଓ କ୍ରସର କ୍ୟାସିଅର ମିଶି ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରିବା ସହ ଗରମ ଚେଙ୍କ ଦେବା ଭଳି ବର୍ବରତାର ସବୁ ସୀମା ଟପି ଯାଇଥିଲେ। ମାଡ଼ରେ ଗୁରୁତର ହେଇଥିବା ଅରଜିତଙ୍କ କଟକରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ କେବେ ଧରିବ ସେ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଥିଲା। ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ଧର୍ମଶାଳା ପୋଲିସ ଶନିବାର ରାତିରେ ଭୁବନେଶ୍ୱରରୁ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।