କେନ୍ଦୁଝର,୩।୩(ନରେଶ ପଟ୍ଟନାୟକ): କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା EOWରେ ବିଜେଡି ନେତା। କେନ୍ଦୁଝର ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଅର୍ଥାତ୍ ରାଜା ସୋମବାର EOWରେ ହାଜର ହୋଇଛନ୍ତି। ୪୦ ରୁ ୫୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ଚକ୍ରଙ୍କୁ ମାରାଥନ ଜେରା ଚାଲିଛି । ସୌମ୍ୟଙ୍କ ବିରୋଧରେ କୋଟି କୋଟି ଟଙ୍କାର ଘୋଟଲା ଅଭିଯୋଗ ହୋଇଥିଲା। ଟ୍ରକରେ ମାଲ ପରିବହନ ସମ୍ପର୍କିତ ଘୋଟଲା ଅଭିଯୋଗରେ ଗତ ୩ ତାରିଖରେ ସୌମ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ସୂଚନାଯୋଗ୍ୟ, କେନ୍ଦୁଝର ଗନ୍ଧମାର୍ଦ୍ଦନ ଓଏମସି ଖଣିରେ ଲୋଡିଂ ଦାୟିତ୍ୱ ନେଇଥିବା ବେଳେ କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଥିଲା। କିଛି ଦିନ ପୂର୍ବରୁ ଶୁଆକାଟି ସ୍ଥିତ ଲୋଡିିଙ୍ଗ ଏଜେନ୍ସି କାର୍ୟ୍ୟାଳୟରେ EOW ପକ୍ଷରୁ ଚଢାଉ ହୋଇଥିଲା । ସେ ସମୟରେ ଏଜେନ୍ସି ସଭାପତି ଏବଂ ସମ୍ପାଦକଙ୍କୁ EOW ଅଧିକାରୀ ଉଠାଇ ନେଇ ପଳାଇଥିଲେ । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଥିଲା । ପରେ ଖୋଲତାଡ଼ କରିବାରୁ ଏଥିରେ ପ୍ରାୟ ୫୦୦ କୋଟି ଟଙ୍କା ହେରଫେର ହୋଇଥିବା EOW ଜାଣିବାକୁ ପାଇଛି। ଏହି ସଂସ୍ଥା ସହ ଜଡ଼ିତ ୯ ଜଣଙ୍କୁ EOWରେ ହାଜର ହେବାକୁ ନୋଟିସ କରିଥିଲା ସେ ମଧ୍ୟରେ ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କ ନାଁ ଥିଲା । ରାଜା ଚକ୍ର ଭୁବନେଶ୍ୱର ଅଫିସରେ ହାଜର ହୋଇଛନ୍ତି ।