‘ମୋନ୍ଥା’ ପରେ ଦାଉ ସାଧୁଛି ମାଟିଆଗୁଣ୍ଡି ରୋଗପୋକ, ଧାନଫସଲ ନଷ୍ଟ, ଚାଷୀ ହତାଶ

ଦିଗପହଣ୍ଡି,୩୧ା୧୦(ଅଶେଷ ନାଥ ମିଶ୍ର): ବାତ୍ୟା ‘ମୋନ୍ଥା’ ପ୍ରଭାବରେ ପବନ ଓ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଚାଷଜମିରେ ଚଳିତବର୍ଷ ଖରିଫ ଧାନ ଓ ପନିପରିବା ଫସଲ ପ୍ରାୟତଃ ନଷ୍ଟ ହୋଇଛି। ଖାଲୁଆ ଜମିରେ ପାଣି ଜମି ରହିଛି। ଅନେକ ଜମିର ଧାନଗଛ ବର୍ଷା ଓ ପବନ ମାଡ଼ରେ ଶୋଇଯାଇଛି। ବର୍ଷା ପବନ ପରେ ଚାଷଜମିରେ ବ୍ରାଉନ ପ୍ଲାଣ୍ଟ ହପର ( ମାଟିଆଗୁଣ୍ଡି ପୋକ ) ଦାଉ ସାଧୁଛି। ଧାନଗଛରେ ରୋଗପୋକ ବ୍ୟାପୁଥିବାରୁ ଚାଷୀ ହତାଶ ହୋଇପଡ଼ିଛନ୍ତି। ଧାନଗଛର ମୂଳଗୁଡ଼ିକୁ ପୋକ କାଟି ନଷ୍ଟ କରିଦେଉଛି। ଗୁରୁବାର ସିଦ୍ଧେଶ୍ୱର ଗ୍ରାମର ବଳରାମ ସାହୁ,ଶଙ୍କର ରାଉତ, ମାଗତା ଡାକୁଆ, ରାମ ସାହୁ, ରାଜେନ୍ଦ୍ର ସାହୁ, ଲଡୁ ନାହାକଙ୍କ ସମେତ ବହୁ ସଂଖ୍ୟକ ଚାଷୀ ସରପଞ୍ଚ ବିଜୟ କୁମାର ପ୍ରଧାନଙ୍କୁ ଏନେଇ ଅଭିଯୋଗ କରିବା ପରେ ସରପଞ୍ଚ ଦିଗପହଣ୍ଡି କୃଷି ଜିଲା କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।

ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାଷୀ କିଭଳି ତାଙ୍କ ଧାନ ଫସଲକୁ ସୁରକ୍ଷିତ ରଖିପାରିବେ ସେ ନେଇ ବ୍ୟାପକ କୃଷି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କୃଷି ଜିଲା ଅଧିକାରୀ ପ୍ରଶାନ୍ତ କୁମାର ନାଥ କହିଛନ୍ତି। ଚଳିତବର୍ଷ ରାଜ୍ୟ ସରକାର ରୋଗପୋକ ନିରାକରଣ ସକାଶେ କୀଟନାଶକ କିଣିବା ପାଇଁ ସବସିଡି ବ୍ୟବସ୍ଥା କରିଛନ୍ତି। ସର୍ବାଧିକ ୨ ହେକ୍ଟର ଜମିରେ ରୋଗପୋକ ଦମନ ସକାଶେ କୀଟନାଶକ କିଣିବା ପାଇଁ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା କରିଛନ୍ତି। ଏଥିଲାଗି ଚାଷୀଙ୍କୁ ଲାଇସେନ୍ସପ୍ରାପ୍ତ ଦୋକାନରୁ ରୋଗପୋକ ନିରୋଧ କୀଟନାଶକ କ୍ରୟ କରି ଏହାର ରସିଦ ସ୍ଥାନୀୟ କୃଷି ଅଧିକାରୀଙ୍କୁ ପ୍ରଦାନ କଲେ ସେମାନଙ୍କୁ ସବ୍‌ସିଡି ଅର୍ଥରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଧାନ ଗଛରୁ ରୋଗପୋକ ନିରାକରଣ କ୍ଷେତ୍ରରେ ଚାଷୀଙ୍କୁ ଅଧିକ ସତର୍କତାର ସହିତ ନିର୍ଦ୍ଧାରିତ କୀଟନାଶକ ବ୍ୟବହାର କରିବା ଉଚିତ। କୃଷି କର୍ମଚାରୀଙ୍କ ଠାରୁ ଆବଶ୍ୟକ ପରାମର୍ଶ ନେଇ ସଠିକ୍‌ ପରିମାଣରେ ଏବଂ ଉପଯୁକ୍ତ ପ୍ରଣାଳୀରେ କୀଟମରା ଔଷଧ ବ୍ୟବହାର କରିବାକୁ ସେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ କୀଟନାଶକ ବ୍ୟବହାର ପୂର୍ବରୁ ଫସଲ କେଉଁ ରୋଗ ଆକ୍ରାନ୍ତ ହୋଇଛି ଏବଂ ଏଥିଲାଗି କେଉଁ ପ୍ରକାର କୀଟନାଶକ ଦରକାର। ସେଥିଲାଗି କୃଷି ବିଭାଗର ପରାମର୍ଶ ନେବାକୁ କୁହାଯାଇଛି।

ସୂଚନାନୁଯାୟୀ, ଚଳିତବର୍ଷ ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ପ୍ରାୟ ୧୫ ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ କରାଯାଇଛି।

Dharitri – Odisha’s No.1 Trusted Odia Daily

Share