କୋରୁକୋଣ୍ଡା,୮।୩(ଶିବଦତ୍ତ ସାହୁ ): କୋରୁକୋଣ୍ଡା ବ୍ଲକ୍ ଅଧୀନ ମାରିୱାଡା ପଞ୍ଚାୟତ ଅଧୀନ ଏମ୍ଭି-୨୬ ଗ୍ରାମ ପୋଖରୀରେ ଏକ କୁମ୍ଭୀର ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ଗ୍ରାମବାସୀ ଏହି ସମ୍ପର୍କରେ ବନ ବିଭାଗକୁ ସୂଚନା ଦେବା ପରେ କର୍ମଚାରୀମାନେ ପୋଖରୀ ନିକଟରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା। ଏନେଇ ଗ୍ରାମବାସୀଙ୍କୁ ସଜାଗ ରହିବା ନିମନ୍ତେ ବନ ବଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ବନଖଣ୍ଡ ଅଧିକାରୀ ରମେଶ ରାଉତ, ବନପାଳ ଜ୍ୟୋତି ଡୁମଡୁମ, ବନରକ୍ଷୀ ବାସନ୍ତୀ ମାଡକାମୀଙ୍କ ସମେତ ଅନ୍ୟ ବନ କର୍ମଚାରୀ ଉକ୍ତ ପୋଖରୀ ନିକଟକୁ ଯାଇ ଘଟଣାର ଆନୁଧ୍ୟାନ କରିଥିଲେ । କିନ୍ତୁ ପୋଖରୀଟି ବହୁ ବଡ ହୋଇଥିବା ସହିତ ପାଣି ଅଧିକ ଥିବାରୁ କୁମ୍ଭୀରକୁ ଉଦ୍ଧାର କରିବା କଷ୍ଟସାଧ୍ୟ ବୋଲି ବନଖଣ୍ଡ ଅଧିକାରୀ ରାଉତ କହିଛନ୍ତି। କିନ୍ତୁ ଆଗାମୀ ଦିନରେ କିପରି ଭାବେ କୁମ୍ଭୀରକୁ ଉଦ୍ଧାର କରି ଅନ୍ୟ ସ୍ଥାନକୁ ସ୍ଥାନନ୍ତର କରାଯିବ ସେ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଉଦ୍ଧାର କରାଯିବ ବୋଲି ରାଉତ କହିଛନ୍ତି।