ସଙ୍କଟ ଏବେ ସୁଯୋଗ

ଓ୍ବାଶିଂଟନ,୨୧ା୧:ଘାତକ କରୋନା ମହାମାରୀ ୪ ଲକ୍ଷ ୧୧ ହଜାର ୫୨୦ ଆମେରିକୀୟଙ୍କ ଜୀବନ ନେଇସାରିଛି। ଏହି ଅଦୃଶ୍ୟ ଭୂତାଣୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଉଜାଡ଼ି ସୃଷ୍ଟି କରିଛି ନାହିଁ ନ ଥିବା ଅଚଳାବସ୍ଥା। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅମଳରେ ଆରମ୍ଭ ହୋଇଥିବା ବର୍ଣ୍ଣବୈଷମ୍ୟ ଆନ୍ଦୋଳନ, ବେକାରି ସମସ୍ୟା, ଚାଇନା ସହ ବାଣିଜ୍ୟ ଯୁଦ୍ଧ ଓ ଦଙ୍ଗା ଭୟ ଭଳି ସଙ୍କଟର ଅବସାନ ଘଟିନାହିଁ। ଫଳରେ ଅନେକ ଆହ୍ବାନର ସାମ୍ନା କରୁଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର। ଅଭୂତପୂର୍ବ ଆର୍ଥିକ ଦୁର୍ଗତି ଦେଇ ଗତିକରୁଥିବା ଆମେରିକାରେ ବୁଧବାର ହୋଇଛି ବହୁପ୍ରତୀକ୍ଷିତ କ୍ଷମତା ପରିବର୍ତ୍ତନ। ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍‌ ନେତା ଜୋ ବାଇଡେନ୍‌। ତାଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ, ଯାହାକୁ ଦେଶର ସବୁଠୁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତି ଭାବେ ସେ ନିଜ ଦୀର୍ଘ ଅନୁଭୂତିକୁ ପୁଞ୍ଜି କରି ସୁଯୋଗରେ ପରିଣତ କରିପାରିବେ।
ନଭେମ୍ବର ୩ ନିର୍ବାଚନ ଦିବସକୁ ୧୧ ସପ୍ତାହ ବିତିଛି। ଆମେରିକାରେ ନୂଆ ନେତା ଜୋ ବାଇଡେନ୍‌ଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବାକୁ ଆଉ କେହି ନାହାନ୍ତି। ଚ୍ୟାଲେଞ୍ଜ ରୂପେ ଯଦି କିଛି ରହିଛି ତାହା ହେଉଛି କେବଳ ସଙ୍କଟ। ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ ହେଉଛି ସାମ୍ପ୍ରତିକ ସମୟର ସବୁଠୁ ବଡ଼ ଆହ୍ବାନ। କରୋନା ମହାମାରୀ ଦେଶର ଅର୍ଥନୀତିକୁ ବିପର୍ଯ୍ୟୟ ଭିତରକୁ ଟାଣିନେବା ପରେ ୧୯୩୩ର ଗ୍ରେଟ୍‌ ଡିପ୍ରେଶନ ଭଳି ମାନ୍ଦାବସ୍ଥା ମାଡ଼ିବସିଛି ଆମେରିକାକୁ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅର୍ଥନୀତିକୁ ପୁଣିଥରେ ଟ୍ରାକ୍‌କୁ ଫେରାଇ ଆଣିବା ଏବଂ ବିଶ୍ୱରେ ନିଜ ବାଣିଜି୍ୟକ ଓ କୂଟନୈତିକ ଆଧିପତ୍ୟ ବଜାୟ ରଖିବାରେ ବାଇଡେନ୍‌ କେତେ ସଫଳ ହେବେ ତାକୁ ନେଇ ଚାଲିଛି ଆଲୋଚନା ଓ ପର୍ଯ୍ୟାଲୋଚନା।
ଟ୍ରମ୍ପ୍‌ଙ୍କୁ ଗାଦିଚ୍ୟୁତ କରିବା ଲାଗି ନିର୍ବାଚନ ପ୍ରଚାର ବେଳେ ବାଇଡେନ୍‌ ଅନେକ ମହଙ୍ଗା ପ୍ରତିଶ୍ରୁତି ଦେଇଥିଲେ। ସଂସ୍କାରବାଦୀ ପରିବର୍ତ୍ତନ ଓ ଲୋଭନୀୟ ନୀତିର ଘୋଷଣା କରିଥିଲେ। ଏବେ ସେଗୁଡ଼ିକୁ ପୂରଣ କରିବା ବାଇଡେନ୍‌ଙ୍କ ପ୍ରାଥମିକତା ହେବ। ଏସବୁର ଅନୁକୂଳ କରିବାକୁ ଯାଇ ବାଇଡେନ୍‌ ଶପଥ ଗ୍ରହଣ କରିବା ପରେ ୧୫ଟି ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ସ୍ବାକ୍ଷର କରିଛନ୍ତି।

ସମାରୋହରେ ସେଲିବ୍ରିଟି

ଶପଥଗ୍ରହଣ ଉତ୍ସବ ‘ସେଲିବ୍ରେଟିଂ ଆମେରିକା’ରେ ସାମିଲ ହୋଇଥିଲେ ପ୍ରସିଦ୍ଧ ତଥା ଲୋକପ୍ରିୟ ସେଲିବ୍ରିଟି। ସେମାନଙ୍କ ମଧ୍ୟରେ ସାମିଲ ଥିଲେ କିମ୍ବଦନ୍ତୀ ଅଭିନେତା ଟମ୍‌ ହ୍ୟାଙ୍କ୍‌। ବେଶ ଆକର୍ଷଣୀୟ ଢଙ୍ଗରେ ସେ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ। ହାମିଲଟନ୍‌ ଫିଲ୍ମ ଫେମ୍‌ ଆକ୍ଟର ଖ୍ରୀଷ୍ଟୋଫର ଜ୍ୟାକ୍ସନ ଭର୍ଚୁଆଲ ଭାବେ ଉତ୍ସବରେ ଯୋଡ଼ି ହୋଇଥିଲେ। କାର୍ଯ୍ୟକ୍ରମ ଚମକ ବଢ଼ାଇ ଏହାକୁ ନିଆରା କରିଥିଲେ ବିଖ୍ୟାତ ଗାୟିକା ଲେଡି ଗାଗା। ଜାତୀୟ ସଙ୍ଗୀତ ଗାନ ସହ ଉପସ୍ଥାପନାରେ ତାଙ୍କୁ ସହଯୋଗ କରିଥିଲେ ଅଭିନେତ୍ରୀ ତଥା ଗାୟିକା ଜେନିଫେର ଲୋପେଜ୍‌ ଏବଂ ଗାୟକ ଗାର୍ଟ ବ୍ରୁକ୍ସ। ଏମାନଙ୍କ ସହ ବ୍ରୁସ୍‌ ସ୍ପ୍ରିଙ୍ଗଷ୍ଟେନ୍‌, ଜନ୍‌ ଲିଜେଣ୍ଡ୍‌, ଡେମି ଲୋବୋଟୋ, ଫୁ ଫାଇଟର୍‌, ଜଷ୍ଟିନ ଟିମ୍ବରଲେକ୍‌ ଏବଂ ଜନ୍‌ ବୋନ ଜେବିଙ୍କ ଭଳି କଳାକାର ମଧ୍ୟ ସାମିଲ ଥିଲେ।

ଦୌଡ଼ରେ ଥିଲେ ଦୁଇଥର

ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ଉପରାଷ୍ଟ୍ରପତି ଥିବା ଜୋ ବାଇଡେନ୍‌ ଏହା ପୂର୍ବରୁ ୨ ଥର ରାଷ୍ଟ୍ରପତି ଦୌଡ଼ରେ ସାମିଲ ଥିଲେ। ପ୍ରଥମେ ୧୯୮୮ ଓ ପରେ ୨୦୦୮ରେ ସେ ଏହି ପଦ ପାଇଁ ଲଢ଼ିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ୧୯୮୮ରେ ସେ ବ୍ରିଟିଶ ଲେବର ପାର୍ଟିର ନେତା ନୀଲ କିନ୍ନକଙ୍କ ଭାଷଣକୁ ନକଲ କରିଥିବା କହି ଏହି ଦୌଡ଼ରୁ ନିଜେ ହଟିଯାଇଥିଲେ। ସେହିପରି ୨୦୦୮ରେ ପୁଣି ବାଇଡେନ ଡେମୋକ୍ରାଟିକ ପାର୍ଟିରୁ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଥିଲେ ହେଁ ସେତେବେଳ ଓବାମାଙ୍କ ଉପରେ ଦଳ ମୋହର ମାରିଥିଲା। ନିର୍ବାଚନ ଜିତିବା ପରେ ଓବାମା ସହଯୋଗୀ ବାଇଡେନ୍‌ଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ।

କଶ୍ମୀରକୁ ନେଇ ମତ

ଗତ ବର୍ଷ ଜୁନ୍‌ରେ କଶ୍ମୀରବାସୀଙ୍କ ପାଇଁ ମତ ରଖି ବାଇଡେନ କହିଥିଲେ ଯେ, ସେଠାକାର ଲୋକଙ୍କୁ ପୂର୍ଣ୍ଣ ସ୍ବାଧୀନତା ଓ ଅଧିକାର ମିଳିବା ଦରକାର। ଏଥିପାଇଁ ଭାରତ ସରକାର ଆବଶ୍ୟକ ପଦକ୍ଷେପ ନେବା ଜରୁରୀ। ଏହାସହ ଭାରତର ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଆଇନ ନିରାଶାଜନକ ବୋଲି କହିଥିଲେ। ଭାରତରେ ଧର୍ମନିରପେକ୍ଷତା ଏବଂ ବହୁ ଧର୍ମୀୟ ବିଶ୍ୱାସ ଗଣତନ୍ତ୍ର ବହୁ ପୁରୁଣା ପରମ୍ପରା। ଏଭଳି ପରିସ୍ଥିତିରେ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ବିପରୀତ ବୋଲି ସେ କହିଥିଲେ।

ମୁସଲିମ୍‌ ରାଷ୍ଟ୍ରରୁ ହଟିବ ପ୍ରବେଶ କଟକଣା

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କାର୍ଯ୍ୟକାଳର ପ୍ରଥମ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ୧୫ ଆଦେଶନାମାରେ ସ୍ବାକ୍ଷର କରିପାରନ୍ତି। ଏଥିମଧ୍ୟରେ ପ୍ୟାରିସ୍‌ ଜଳବାୟୁ ଚୁକ୍ତି, ଶହେ ଦିନିଆ ମାସ୍କ ପରିଧାନ, ମୁସଲିମ୍‌ ରାଷ୍ଟ୍ରରୁ ଆମେରିକା ଆସୁଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ହଟାଇବା ଆଦି ରହିଛି। ଏଥିସହ ଇମିଗ୍ରେସନ ବିଲ୍‌କୁ କଂଗ୍ରେସରେ ଆଗତ କରାଇବାକୁ ବାଇଡେନ ପ୍ରାଥମିକତା ଦେବେ ବୋଲି ତାଙ୍କ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ବିଲ୍‌ରେ ଆମେରିକାରେ ବିନା କାଗଜପତ୍ରରେ ଦୀର୍ଘ ବର୍ଷ ହେଲା ରହୁଥିବା ଲୋକଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ ନିୟମ ରହିବ। ଅନ୍ୟପକ୍ଷରେ ଦେଶ ପାଇଁ ପ୍ରମୁଖ ଆହ୍ବାନ ଭାବେ ଉଭା ହୋଇଥିବା କରୋନା ସଙ୍କଟରୁ ଲୋକଙ୍କୁ ରକ୍ଷା କରିବାକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଓ ଯୋଜନା ଉପରେ ବାଇଡେନ ମୋହର ମାରିବେ। ଟ୍ରମ୍ପ୍‌ଙ୍କ ସମୟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନକୁ ଅର୍ଥ ଯୋଗାଣ ଉପରେ କଟକଣା ଲଗାଯିବା ଘଟଣାରେ ମଧ୍ୟ ସେ ପଦକ୍ଷେପ ନେବେ। ଆମେରିକା ଓ ମେକ୍ସିକୋ ସୀମାରେ ପାଚେରି ନିର୍ମାଣ ଉପରେ ରୋକ ଲଗାଇବା ଦିଗରେ ମଧ୍ୟ ବାଇଡେନ କାମ କରିବେ।

ବିନୟଙ୍କ ଭାଷଣ ପଢ଼ିଲେ

ନିଜ ଟିମ୍‌ରେ ରେକର୍ଡ ସଂଖ୍ୟାରେ ଭାରତୀୟ ବଂଶୋଦ୍ଭବଙ୍କୁ ସାମିଲ କରିଥିବା ବାଇଡେନ୍‌ ଶପଥ ଗ୍ରହଣ ପରେ ପଢ଼ିଥିଲେ ତେଲଙ୍ଗାନା ଯୁବକ ବିନୟ ରେଡ୍ଡିଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣ। ଏହା ପୂର୍ବରୁ ବିନୟ ନିର୍ବାଚନ ପ୍ରଚାର ବେଳେ ବାଇଡେନ୍‌ ଓ କମଲା ହାରିସ୍‌ଙ୍କ ଭାଷଣ ପ୍ରସ୍ତୁତ କରିଥିଲେ। କେବଳ ଏତିକି ନୁହେଁ, ବାଇଡେନ ଉପରାଷ୍ଟ୍ରପତି ଥିବାବେଳେ ବିନୟ ତାଙ୍କ ଚିଫ୍‌ ସ୍ପିଚ୍‌ ରାଇଟର ରହିଥିଲେ।

ଶପଥବେଳେ ସ୍ତ୍ରୀ, ଝିଅଙ୍କୁ ହରାଇଥିଲେ

୧୯୭୨ରେ ପ୍ରଥମ ଥର ଆମେରିକା ସିନେଟ୍‌କୁ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିବା ଦିନ ବାଇଡେନ୍‌ ହରାଇଥିଲେ ସ୍ତ୍ରୀ ଓ ଝିଅଙ୍କୁ। ଏକ କାର୍‌ ଦୁର୍ଘଟଣାରେ ସ୍ତ୍ରୀ ନିଲିଆ ଓ ଝିଅ ନାଓମିଙ୍କ ମୃତ୍ୟୁ ଘଟିଥିଲା। ପୁଅ ବ୍ୟୁ ଓ ହଣ୍ଟର ଗୁରୁତର ହୋଇଥିଲେ। ୨୦୧୫ରେ ୪୬ ବର୍ଷ ବୟସରେ ବ୍ରେନ ଟ୍ୟୁମର ଯୋଗୁ ବ୍ୟୁଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା।

‘ହାରିସ୍‌ ହୋଇପାରନ୍ତି ରାଷ୍ଟ୍ରପତି’

ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ଭାବେ ଆମେରିକା ଉପରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିବା କମଲା ହାରିସ୍‌ଙ୍କ ତାମିଲନାଡୁ ସ୍ଥିତ ଥୁଲାସେନ୍ଦ୍ରାପୁରମ୍‌ ଗ୍ରାମରେ ଲୋକେ ଉତ୍ସବ ପାଳିଛନ୍ତି। ଆସନ୍ତା ୪ ବର୍ଷ ମଧ୍ୟରେ ଭାରତ ପ୍ରତି ସମର୍ଥନ ରହିଲେ ହାରିସ୍‌ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି। ତାଙ୍କ ସଫଳତା କାମନା କରାଯାଇ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି। ପ୍ରାୟ ଦଶନ୍ଧି ପୂର୍ବରୁ ହାରିସ୍‌ଙ୍କ ଅଜା ତାମିଲନାଡୁ ପଳାଇ ଆସିଥିଲେ। ହାରିସ୍‌ଙ୍କ ସ୍ବର୍ଗତା ମା’ ମଧ୍ୟ ଭାରତରେ ଜନ୍ମ ଗ୍ରହଣ କରିଥିଲେ। ଜାମାଇକାର ଜଣେ ବ୍ୟକ୍ତିଙ୍କୁ ହାରିସ୍‌ଙ୍କ ମା’ ବିବାହ କରିଥିଲେ।

ବାଇଡେନ୍‌ଙ୍କୁ ଶୁଭେଚ୍ଛା

ବିଦାୟ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ଏକ ଅବସରକାଳୀନ ବାର୍ତ୍ତା ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ରଖିଛନ୍ତି। ‘ଗୁଡ୍‌ ଲକ୍‌’ କହି ସେ ଶୁଭେଚ୍ଛା ଜଣାଇଛନ୍ତି। ଆମକୁ ନୂଆ ସରକାର ମିଳିବାକୁ ଯାଉଛନ୍ତି। ଦେଶକୁ ସୁରକ୍ଷିତ ଓ ସମୃଦ୍ଧଶାଳୀ କରି ରଖିବାରେ ତାଙ୍କୁ ସଫଳତା ମିଳୁ ବୋଲି ଟ୍ରମ୍ପ୍‌ କହିଛନ୍ତି। କିନ୍ତୁ ଏଥିରେ ଟ୍ରମ୍ପ୍‌ ବାଇଡେନଙ୍କ ନାଁ ନେଇ ନ ଥିଲେ। କେବଳ ଆଗାମୀ ପ୍ରଶାସନ ଓ ନୂଆ ସରକାର ଉଚ୍ଚାରଣ କରି ଏହି ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ନିଜ ସରକାର ଅମଳରେ ତାଙ୍କ ସଫଳତାର ଗାଥା ମଧ୍ୟ ଟ୍ରମ୍ପ୍‌ ବଖାଣିଥିଲେ। ତାଙ୍କ ସମୟରେ କୌଣସି ଯୁଦ୍ଧର ଆରମ୍ଭ ହୋଇନାହିଁ ଏବଂ ଏଥିପାଇଁ ସେ ଗର୍ବିତ ବୋଲି କହିଥିଲେ। ଏଥିସହ ଟ୍ରମ୍ପ୍‌ କହିଥିଲେ ଯେ, ଏବେ ଆରମ୍ଭ ମାତ୍ର। ଆଗକୁ ମଧ୍ୟ ତାଙ୍କ ଆନ୍ଦୋଳନ ଜାରି ରହିବ।

ସମଲିଙ୍ଗୀ ବିବାହକୁ ସମର୍ଥନ

୨୦୧୨ରେ ଖୋଲାଖୋଲି ସମଲିଙ୍ଗୀ ବିବାହକୁ ସମର୍ଥନ କରି ସେ ବେଶ୍‌ ଚର୍ଚ୍ଚାରେ ଥିଲେ। ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ଏହା ଉପରେ କୌଣସି ମନ୍ତବ୍ୟ ରଖୁ ନ ଥିବାବେଳେ ଏଭଳି କରି ବାଇଡେନ ରାଷ୍ଟ୍ରପତିଙ୍କୁ ଅଣଦେଖା କରୁଥିବା ଆଲୋଚନା ହୋଇଥିଲା। କିନ୍ତୁ ପରେ ଓବାମା ସମଲିଙ୍ଗୀ ବିବାହ ସପକ୍ଷରେ ମତ ରଖିଥିଲେ।

ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ଙ୍କ ଝିଅର ନିର୍ବନ୍ଧ

ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ମଙ୍ଗଳବାର ହ୍ବାଇଟ ହାଉସ୍‌ରେ ସାନ ଝିଅ ଟିଫାନି ଟ୍ରମ୍ପ୍‌ ଓ ତାଙ୍କ ବୟଫ୍ରେଣ୍ଡଙ୍କ ନିର୍ବନ୍ଧ ହୋଇଛି। ଟିଫନି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହାର ଫଟୋ ଶେୟାର କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି, ଏହା ତାଙ୍କ ପାଇଁ ବେଶ୍‌ ଗର୍ବର କଥା ଯେ, ହ୍ବାଇଟ ହାଉସ୍‌ରେ ତାଙ୍କର ଅନେକ ସ୍ମୃତି ଜଡ଼ିତ ହୋଇରହିଛି। ସେଠାରେ ପରିବାର ସହ କଟାଇଥିବା ଅନେକ ଦିନ ଏପରି ରହିଛି ଯାହା ସବୁଦିନେ ମନେରହିବ। ସେ ସବୁ ମଧ୍ୟରୁ ସବୁଠାରୁ ଅଧିକ ସ୍ମୃତିଭରା ଦିନ ହେଉଛି ମାଇକେଲ ବୋଲସ୍‌ଙ୍କ ସହ ନିର୍ବନ୍ଧ। ୨୭ ବର୍ଷୀୟ ଟିଫାନି ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତାଙ୍କ ଦ୍ୱିତୀୟ ସ୍ତ୍ରୀ ମାର୍ଲା ମାପଲେସଙ୍କ ଝିଅ।

ନୂଆ ଦଳ ଗଢ଼ିବେ

ବିବାଦୀୟ ହୋଇ ବିଦାୟ ନେବା ପରେ ଏବେ ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଚର୍ଚ୍ଚାରେ। ରିପବ୍ଲିକାନ ପାର୍ଟିର ଏହି ନେତା ନିର୍ବାଚନ ହାରିବା ପରେ ଏକ ନୂଆ ଦଳ ଗଢ଼ିବେ ବୋଲି କୁହାଯାଉଛି। ଏହାର ନାମ ‘ପାଟ୍ରିଏଟ୍‌ ପାର୍ଟି’ ରଖାଯିବାକୁ ସେ ସ୍ଥିର କରିଥିବା ସୂଚନା ରହିଛି। ରିପବ୍ଲିକାନ ପାର୍ଟିରେ ଅନ୍ତଃକନ୍ଦଳ ସହ ସହଯୋଗୀମାନେ ତାଙ୍କ ବିରୋଧରେ ସ୍ବର ଉଠାଇବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଦଳ ଗଠନ ସମ୍ପର୍କରେ ଟ୍ରମ୍ପ୍‌ ତାଙ୍କ ନିକଟତମ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି। ତେବେ ଟ୍ରମ୍ପ୍‌ଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରମାଣ ହେଲେ ସେ ପରବର୍ତ୍ତୀ ନିର୍ବାଚନ ଲଢ଼ିପାରିବେ ନାହିଁ।

୭୩ ଜଣଙ୍କୁ କ୍ଷମାଦେଲେ

ରାଷ୍ଟ୍ରପତି ପଦ ଛାଡ଼ିବାର କିଛି ଘଣ୍ଟା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ମୋଟ ୭୩ ଜଣଙ୍କୁ କ୍ଷମାଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ତାଙ୍କ ପରାମର୍ଶଦାତା ଷ୍ଟିଭ ବେନନ ମଧ୍ୟ ରହିଛନ୍ତି। କିନ୍ତୁ ଟ୍ରମ୍ପ୍‌ ନିଜ ସହ ପରିବାର ଏବଂ ଲୟର ରୁଡ୍ଡିଙ୍କୁ କ୍ଷମା ପ୍ରଦାନ କରିନାହାନ୍ତି। ନିଜକୁ କ୍ଷମା ନ କରିବାକୁ ହ୍ବାଇଟ ହାଉସ୍‌ ଅଧିକାରୀମାନେ ଟ୍ରମ୍ପ୍‌ଙ୍କୁ ପରାମର୍ଶ ଦେଇଥିଲେ। ଯଦି ସେ ଏପରି କରିବେ ତେବେ ନିଜକୁ ଦୋଷୀ ମାନିଥିବା ସମସ୍ତେ ଧରିନେବେ ବୋଲି ଅଧିକାରୀମାନେ କହିଥିଲେ। କାର୍ଯ୍ୟକାଳ ସରିବା ପୂର୍ବରୁ ଟ୍ରମ୍ପ୍‌ ୧୪୦ ଜଣଙ୍କୁ କ୍ଷମା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଜନଗଣନା ପରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୧।୭(ରବିନାରାୟଣ ଜେନା): ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ଏବଂ ଜନଗଣନା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ(କମିଶନର)…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri