ବରଗଡ଼,୨୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ କିଛିଦିନ ହେଲା ଚାଷୀଙ୍କ ପରିବା କିଆରି ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି ପଡ଼ିଛି। ପ୍ରଥମେ ବରଗଡ଼ ଜିଲା ଜମୁର୍ଡା ଗ୍ରାମରେ ଚାଷୀଙ୍କ କୋବି ଫସଲରେ ଦୁର୍ବୃତ୍ତମାନେ ଲଟାମରା ଔଷଧ ସିଞ୍ଚନ କରିଥିଲେ। ଫଳରେ ସେହି ଫସଲ ଧୂଳିସାତ୍ ହୋଇଯାଇଥିଲା। ଏହାର କିଛିଦିନ ପରେ ବରପାଲି ବ୍ଲକ କୁମ୍ଭାରୀ ପଞ୍ଚାୟତର ଭୋଇଟିକ୍ରା ଗ୍ରାମରେ ଜଣେ ଚାଷୀଙ୍କ ଅଧା ଏକର କଲରା କିଆରିକୁ କେହି ଦୁର୍ବୃତ୍ତ ନଷ୍ଟ କରି ଦେଇଥିଲେ। ତେବେ ଉପରୋକ୍ତ ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ରବିବାର ବିଳମ୍ବିତ ରାତିରେ ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ପୁଣି ଜଣେ ଚାଷୀ ସ୍ଥାନୀୟ ଟାଙ୍ଗରପଡ଼ା ନିବାସୀ ଗଜିନ ମାଝୀଙ୍କ ଫୁଲକୋବି କିଆରିକୁ ଦୁର୍ବୃତ୍ତମାନେ ନଷ୍ଟ କରି ଦେଇଛନ୍ତି। ଫୁଲକୋବିକୁ ଉପାଡ଼ି ଫିଙ୍ଗା ଫୋପଡ଼ା ସହିତ ଚୋରି ମଧ୍ୟ କରି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଦୁର୍ବୃତ୍ତମାନଙ୍କୁ ଧରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।