ବିଦ୍ୟାଭାରତୀଙ୍କ ନାମରେ ୩୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ, ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ତ୍ରୀ ଦିବ୍ୟାଭାରତୀଙ୍କ ବିରୋଧରେ ଶୁକ୍ରବାର ରାତିରେ ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି। ୩ ଶହ ପୃଷ୍ଠାର ଉକ୍ତ ଚାର୍ଜଶିଟ୍‌ରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି।

ବିଦ୍ୟାଭାରତୀଙ୍କ ନାମରେ ଦଫା ୨୮୫ ଓ ୩୦୪(ଏ)ରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ଏହାଛଡ଼ା ସିଆର୍‌ପିସି ୪୧ ଧାରାରେ ତାଙ୍କୁ ନୋଟିସ କରାଯାଇଥିବା କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।

କହିରଖୁଛୁ, ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ଖବରଦାତା ସମ୍ମିଳନୀରେ କ୍ୱାଟର୍‌ରେ ହିଁ ସୋମ୍ୟଙ୍କ ମୃତ୍ୟୁ ଘଟିଥିବା କହିଥିଲେ। ଏହା ଦୁର୍ଘଟଣା ଥିଲା। କିରୋସିନିରୁ ଦେହରେ ନିଆଁ ଲାଗିଥିଲା। ସ୍ତ୍ରୀ ବିଦ୍ୟାଭାରତୀ ଲିଭାଇବାକୁ ଚେଷ୍ଟା କରି ନ ଥିଲେ। ଏପରିକି ପାଟି କରି କାହାକୁ ନିଆଁ ଲିଭାଇବାକୁ ଡାକି ନ ଥିଲେ। ଏହା ଅପରାଧ ହୋଇଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଥିଲେ।