ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଅ,ସିପିଆଇ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭବାନୀପାଟଣା,୩୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନକୁ ଶୀଘ୍ର ଉଠାଣ ଦାବିରେ ଗୁରୁବାର ଭବାନୀପାଟଣାରେ ଜିଲାପାଳଙ୍କ ଅଫିସ ଘେରାଉ କରିଛି ସିପିଆଇ। ଏହା ପୂର୍ବରୁ ସ୍ଥାନୀୟ ଟାଉନ ହଲଠାରୁ ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ହୋଇଥିଲା। ପରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ମଣ୍ଡିରେ ପଡିରହିଥିବା ଧାନ ଶୀଘ୍ର ଉଠାଣ, କଟନି ଛଟନି ବନ୍ଦ, ପେଶା ଆଇନ ଓ ୨୦୦୬ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା, ଟାଟା ପାୱାର ଦ୍ୱାରା ବାଧ୍ୟତାମୂଳକ ସ୍ମାର୍ଟ ମିଟର ବସାଇବା ନାରେ ଶୋଷଣ ବନ୍ଦ କରିବା, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଲ୍‌ ଛାଡ ଆଦି ଦାବି ନେଇ କର୍ମକର୍ତ୍ତା ସରକାରଙ୍କ ଉପରେ ବର୍ଷିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲା ସମ୍ପାଦକ ଜଗଦୀଶ ଦୁର୍ଗାଙ୍କ ସଭାପତିତ୍ୱର ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥୀ ଦାମୋଦର ବେହେରା, ଜିଲା ସହ ସମ୍ପାଦକ ସଞ୍ଜୟ ସୁନାନି, ଅଖିଳ ଭାରତ ଛାତ୍ର ସଂଘ ଜିଲା ସଭାପତି ରାଜାରାମ ଡଙ୍ଗରି, ଜୁନାଗଡ ଜୋନ ସମ୍ପାଦକ ବାନାମ୍ବର ମେହେର, ପୂର୍ବତନ ଜିଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ବିନିତା ମାଝୀ, ଯଶୋବନ୍ତ ବେମାଲ, ଅଖିଲ ଭାରତ ଯୁବସଂଘ ଜିଲା ଆବାହକ ହିମାଂଶୁ ନାୟକ, ବୈଦେହି ବିହାରୀ ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ।