illustration of hand with voting sign of India
ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): କରୋନା ସମୟରେ ନିରାପଦ ଭାବେ ନିର୍ବାଚନ ପରିଚାଳନା କରିବା ଲାଗି ଭାରତ ନିର୍ବାଚନ ଆୟୋଗ ନିୟମାବଳୀ ଜାରି କରିଛନ୍ତି। ନିର୍ବାଚନରେ ନିୟୋଜିତ କର୍ମଚାରୀ ଏବଂ ଭୋଟରଙ୍କ ସୁରକ୍ଷା ନେଇ ଏଥିରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ମାସ୍କ ପରିଧାନ, ଭୋଟ କାର୍ଯ୍ୟରେ ବ୍ୟବହୃତ ପ୍ରକୋଷ୍ଠକୁ ସାନିଟାଇଜ, ପର୍ଯ୍ୟାପ୍ତ ସାବୁନ ମହଜୁଦ ରଖିବା, ନିୟମିତ ବିଶୋଧନ, ସାମାଜିକ ଦୂରତ୍ୱ ନିୟମ ମାନିବାକୁ ନିର୍ବାଚନ ଆୟୋଗ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କୋଭିଡ୍ ମୁକ୍ତ ନିର୍ବାଚନ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ଭିଡିଓ କନଫରେନ୍ସରେ ବାଲେଶ୍ୱର ଓ ଜଗତ୍ସିଂହପୁର ଜିଲାପାଳଙ୍କ ସହ ସମୀକ୍ଷା କରିଛନ୍ତି। ମତଦାନ ପାଇଁ ବୁଥ୍ ସଂଖ୍ୟା ବୃଦ୍ଧି କାରଣରୁ ପୋଲିଂ ଅଧିକାରୀ ସଂଖ୍ୟା ବୃଦ୍ଧି କରାଯାଇଛି। ବାଲେଶ୍ୱରରେ ୨୭୬୮ ଏବଂ ତିର୍ତ୍ତୋଲରେ ୨୯୮୪ ପୋଲିଂ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଅତିରିକ୍ତ ଭାବେ ୨ଜଣ ବ୍ୟକ୍ତି ଏବଂ ଜଣେ ଆଶାକର୍ମୀ ବୁଥ୍ ବାହାରେ ରହି ଥର୍ମାଲ ସ୍କ୍ରିନିଂ କରିବେ। ସାନିଟାଇଜ ବ୍ୟବସ୍ଥା ତଦାରଖ ସହ ଗ୍ଲୋବ୍ସ ବାଣ୍ଟିବେ। ଆଉ ଜଣେ ଭୋଟରଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବେ। ମତଦାନ ପୂର୍ବରୁ ଭୋଟ ଗ୍ରହଣ କେନ୍ଦ୍ର ବିଶୋଧନ କରିବା ସହିତ ଅନ୍ୟ ନିୟମ ପାଳନ ଲାଗି ଜିଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।