ମୋହନା,୩୦ା୮(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ବ୍ଲକ ଲିଲିଗଡ଼ ପଞ୍ଚାୟତ ନାଏବ ସରପଞ୍ଚ ସନ୍ତୋଷ ନାୟକଙ୍କୁ ମୋହନା ଜେଏମ୍ଏଫ୍ସି ଶୁଭଜିତ ବେହେରା ଅଯୋଗ୍ୟ ଘୋଷଣା କରିଛନ୍ତି। ଅଧିକ ସନ୍ତାନ ଥିବା ଅଭିଯୋଗର ବିଚାର କରି ସନ୍ତୋଷଙ୍କ ନାଏବ ସରପଞ୍ଚ ପଦବୀକୁ ବିଚାରପତି ଅସିଦ୍ଧ ଘୋଷଣା କରିଥିବା ଜଣାପଡିଛି।
ଖବରରୁ ପ୍ରକାଶ, ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ଲିଲିଗଡ଼ ପଞ୍ଚାୟତର ୫ ନମ୍ବର ୱାର୍ଡର ସଦସ୍ୟ ପାଇଁ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ସନ୍ତୋଷ ବିଜୟୀ ହୋଇଥିଲେ। ପରେ ସେ ନାଏବ ସରପଞ୍ଚ ହୋଇଥିଲେ। ତେବେ ସନ୍ତୋଷ ତାଙ୍କ ସତ୍ୟପାଠରେ ତାଙ୍କର ୨ଟି ସନ୍ତାନ ଥିବା ଉଲ୍ଲେଖ କରିଥିଲେ। ଏହାକୁ ଚାଲେଞ୍ଜ କରି ସନ୍ତୋଷଙ୍କର ୪ଟି ସନ୍ତାନ ଥିବା ଅଭିଯୋଗ ଆଣି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଏଫ୍ଟି ଦେବେନ୍ଦ୍ର ୨୦୨୨ ମାର୍ଚ୍ଚ ୧୭ରେ ଜେଏମଏଫସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ବିଚାରପତି ଏବେ ଉପରୋକ୍ତ ରାୟ ଶୁଣାଣି କରିଛନ୍ତି। ନାଏବ ସରପଞ୍ଚ ସନ୍ତୋଷଙ୍କ ପାଇଁ ଆଇନଜୀବୀ ସନ୍ତୋଷ ପାଢ଼ୀ ଓ ପ୍ରତିପକ୍ଷ ଏଫ୍ଟି ଦେବେନ୍ଦ୍ରଙ୍କ ଲାଗି ଆଇନଜୀବୀ ରବୀନ୍ଦ୍ର ନାୟକ ମାମଲା ପରିଚାଳନା କରୁଥିଲେ। ଏହି ୱାର୍ଡସଭ୍ୟ ପଦବୀ ପାଇଁ ପୁନଃ ନିର୍ବାଚନ କରିବାକୁ ମୋହନା ବିଡିଓ ରାଜୀବ ଦାସ ଓ ଗଜପତି ଜିଲାପାଳଙ୍କୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ଆଇନଜୀବୀ ନାୟକ ପ୍ରକାଶ କରିଛନ୍ତି।


