ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ବେଧଡ଼କ ଚାଲିଛି ଚୋରା ମଦକାରବାର ଓ ଜୁଆ ଆଡ୍ଡା। ସିମନବାଡ଼ିଠାରୁ ରାଇକିଆକୁ ସଂଯୋଗ କରୁଥିବା ତେଲି ଛକ, ବ୍ୟାଙ୍କ ଓ ସାହୁ ନଗର, ଜୁଡ଼ାବାଡି, ଶିବମନ୍ଦିର ରୋଡ୍ ଆଦିରେ କିଛି ବ୍ୟବସାୟୀ ଦେଶୀ ଓ ବିଦେଶୀ ମଦକୁ ବେଧଡ଼କ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଗୋଟିଏ ପରିବାରର ସ୍ତ୍ରୀ-ସ୍ବାମୀ ଏକ କ୍ୟାବିନ୍ କରି ନାମକୁ ମାତ୍ର ବିସ୍କୁଟ ମିକ୍ସଚର ଓ ଅନ୍ୟାନ୍ୟ ସାମଗ୍ରୀ ଲୋକ ଦେଖାଣିଆ ବିକ୍ରି କରୁଥିବା ବେଳେ ଖୁଲମଖୁଲା ବିଦେଶୀ ମଦକୁ ଉକ୍ତ କ୍ୟାବିନରେ ବିକ୍ରି କରାଯାଉଛି। ସେହି ବ୍ୟବସାୟୀ ଜଣଙ୍କୁ ଭଡ଼ାସୂତ୍ରରେ ଦେଇଥିବା ମାଲିକଙ୍କ ଜାଣନ୍ତରେ ଏହି ସବୁ ବ୍ୟବସାୟୀ ଚାଲିଥିବା ଅଭିଯୋଗ ହେଉଛି। ଦାରିଙ୍ଗବାଡ଼ି ପୋଲିସ ଓ ଅବକାରୀ ବିଭାଗ ଶନିବାର ସନ୍ଧ୍ୟାରେ ଚଢ଼ାଉ କରି କିଛି ବିଦେଶୀ ମଦକୁ ଜବତ କରିବାରେ ସଫଳ ହୋଇଥିବା ବେଳେ ମହିଳା ବ୍ୟବସାୟୀଜଣଙ୍କ ପୋଲିସକୁ ଦେଖି ଦୌଡ଼ି ଯାଇ ଚୋରା ବିଦେଶୀ ମଦ ରଖିଥିବା ଗୋଦାମ ଘରକୁ ତାଲା ପକାଇ ଚୁପ୍ଚାପ ଆସୁଥିବା ଭିଡିଓ ଏବେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି। ଏଥିସହ ପୋଲିସ ଧରିବା ପରେ ପୁଣି ଉକ୍ତ ସ୍ବାମୀ ଓ ସ୍ତ୍ରୀ ଚୋରା ବ୍ୟବସାୟକୁ ଚଳାଇଥିବା ଓ ଏକ ଅଟୋ ଯୋଗେ ପେଟି ପେଟି ବିଦେଶୀ ମଦକୁ ଉକ୍ତ ଗୋଦାମ ଘରେ ରଖୁଥିବା ଭିଡିଓ ଭାଇରାଲ ହେଉଛି। ଏହି ଖବର ପୋଲିସ ନିକଟରେ ମଧ୍ୟ ରହିଥିବା ଜଣାପଡ଼ିଛି। ପୋଲିସ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିବା ସହ ଏହାର କାର୍ଯ୍ୟାନୁଷ୍ଠାନ ନେବାକୁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏକାଧିକ ବ୍ୟବସାୟୀ ଚୋରା ମଦ କାରବାର କରୁଥିବା ବେଳେ ଜୁଡ଼ାବାଡ଼ିରେ ମଧ୍ୟ ଜଣେ ବ୍ୟବଦାୟୀ ଜୁଆଆଡ୍ଡା ଚଳାଇବା ସହ ଦେଶୀ ମଦ କାରବାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଜୁଆ ଖେଳୁଥିବା ଲୋକ ସେଠାରେ ଅଧିକ ନିଶାସକ୍ତ ହୋଇ କ୍ଷତି ସହୁଥିବା ଚର୍ଚ୍ଚା ଜୋର ଧରିଛି।