ପ୍ରସାଧନୀ ପଦକ୍ଷେପ

ଉଭୟ କେନ୍ଦ୍ର ଓ ରାଜ୍ୟରେ, କ୍ଷେତ୍ରରେ ନିର୍ବାଚନ ଜିଣି ଯେଉଁ ସରକାରମାନେ ଆସନ୍ତି, ପ୍ରଶାସନ ନାମରେ ସେମାନେ ଜନସାଧାରଣଙ୍କୁ ଯାହା ପ୍ରଦାନ କରନ୍ତି; ତାହା ବସ୍ତୁତଃ ଏକ ଏକ ପ୍ରସାଧନୀ ପଦକ୍ଷେପ। କୌତୂହଳର କଥା, ଜନସାଧାରଣଙ୍କ ସାମୂହିକ ଉଦାସୀନତା ଏହି ପ୍ରସାଧନକୁ ଆହୁରି ପ୍ରୋତ୍ସାହିତ କରେ।
ସରକାରଙ୍କ ପ୍ରସାଧନୀ ପଦକ୍ଷେପ ପ୍ରସଙ୍ଗରେ ସବୁଠି ବେଶି ମନେପଡ଼େ ଜିଲା ପ୍ରଶାସନର ଧାଡ଼ିବାନ୍ଧି ଠିଆ ହୋଇଥିବା ଅଧିକାରୀମାନଙ୍କ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଗଣ ଶପଥର ଦୃଶ୍ୟ। ଏହା ବି ବେଳେବେଳେ ହୁଏ, ଧାଡ଼ିରେ ଠିଆ ହୋଇଥିବା କୌଣସି ଅଧିକାରୀ ସେହିଦିନ ସନ୍ଧ୍ୟାରେ ଜେଲ୍‌ ଯାଆନ୍ତି ଭିଜିଲାନ୍ସ ପଞ୍ଝାରେ ପଡ଼ି। ଦୁର୍ନୀତିରେ ଲିପ୍ତ ନ ହେବା ଭଳି ମୂଳତଃ ଏକ ନୈତିକ ମନୋଭାବ ଓ ଦୃଷ୍ଟିଭଙ୍ଗୀ ସର୍ବସାଧାରଣରେ ପୂର୍ବଲିଖିତ କାଗଜ ଖଣ୍ଡିଏ ପଢ଼ି କିପରି ଜାଗ୍ରତ କରାଯାଏ ବୁଝାପଡ଼େନି। ଏତିକି ଅବଶ୍ୟ ଜାଣିହୁଏ ଯେ, ଏହା ଦୁର୍ନୀତି ନିବାରଣ ଉଦ୍ୟମ ପ୍ରତି ଏକ ଆନୁଷ୍ଠାନିକ ପରିହାସ। ସେମିତି ଅତିମାତ୍ରାରେ ଗମ୍ଭୀର ବିଷୟକୁ ଫଟୋଉଠା କାର୍ଯ୍ୟକ୍ରମରେ ପରିଣତ କରି ଉପହାସ କରିବାର ଅନ୍ୟ ନାମ ହେଉଛି ବୃକ୍ଷରୋପଣ। ବର୍ଷାଦିନ ଆସିଲେ ଫଟୋ ଉଠାଇବାକୁ ବ୍ୟାକୁଳ ଅନେକ ଲୋକଙ୍କୁ ବୃକ୍ଷଚିନ୍ତା ଘାରେ। ତା’ ସାଙ୍ଗକୁ ସରକାରଙ୍କ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ବି ଅଛି, ଯାହାକୁ ବନ ମହୋତ୍ସବ କହନ୍ତି। ଏହି ସମୟରେ ବେଶ କିଛି ଲୋକ ସକ୍ରିୟ ହୋଇ ଉଠନ୍ତି। ସେମାନେ ହେଲେ ସ୍ବେଚ୍ଛାସେବୀ ଗୋଷ୍ଠୀ, ସରକାରୀ ଅସାଧୁ ଅଧିକାରୀ, ଅସାଧୁ କାର୍ଯ୍ୟରେ ଲିପ୍ତ କିଛି ବୃକ୍ଷଚାରା ଯୋଗାଣକାରୀ ଓ ବୃକ୍ଷରୋପଣ ନାମରେ ପ୍ରହସନ ପାଲଟିଥିବା କାର୍ଯ୍ୟକୁ ଉଦ୍‌ଘାଟନ କରିବାକୁ ଆସୁଥିବା ରାଜନେତାଗଣ। ଗୋଟିଏ ପ୍ଲାଟ୍‌ଫର୍ମରେ ଚାରି ଗୋଷ୍ଠୀ, ଯାହାକୁ ଭୂତପୂର୍ବ ନିର୍ବାଚନ କମିଶନର ଟି.ଏନ୍‌. ଶେଷାନ କହିଥିଲେ- ବାବୁ, ଲାଲା; ଟୋପି, ଝୋଲା। ଅର୍ଥାତ୍‌ ସରକାରୀ ବାବୁ, ବ୍ୟବସାୟୀ, ରାଜନେତା ଓ ସ୍ବେଚ୍ଛାସେବୀ। ଦୁଃଖଲାଗେ ବିବେକର ଏହି ସାମୂହିକ ବିସର୍ଜନ ଦୃଶ୍ୟ ଦେଖି।
ଯେତେବେଳେ ପରିବେଶଜନିତ ଅବ୍ୟବସ୍ଥା ସମଗ୍ର ବ୍ରହ୍ମାଣ୍ଡକୁ ବିପର୍ଯ୍ୟସ୍ତ କଲାଣି- ମେରୁ ବରଫ ତରଳିବା, ସମଦ୍ରର ଜଳପତ୍ତନ ବଢ଼ିବା, ତାପମାତ୍ରା ବଢ଼ି ଆକାଶକୁ ଛୁଇଁବା, ନାହିଁ ନଥିବା ରୋଗ ଭୋଗୀ ମଣିଷର ପରମାୟୁ ଦ୍ରୁତଗତିରେ ହ୍ରାସ ପାଇବା- ସେତେବେଳେ ନିର୍ବାଚିତ ସରକାରମାନେ କେଡ଼େ ନିର୍ବିକାରରେ ସମସ୍ୟାକୁ ଏକ ‘ମିଶନ ମୋଡ୍‌’ରେ ମୁକାବିଲା କରିବା ପରିବର୍ତ୍ତେ ଆଖିରେ ‘କଳା ଚଷମା’ ପିନ୍ଧି, ଓଠରେ ‘ଲିପ୍‌ଷ୍ଟିକ’ ଓ ଗାଲରେ ‘ପାଉଡର’ ମାରି କାମ ସାରି ଦେଉଛନ୍ତି। ଯେଉଁ କାମ ପାଇଁ ପର୍ଯ୍ୟାପ୍ତ ବଜେଟ ବ୍ୟବସ୍ଥା କରି ଦୈନନ୍ଦିନ ଭିତ୍ତିରେ ତଦାରଖ କରିବା ଦରକାର, ସେ କାମକୁ ଜନସାଧାରଣଙ୍କୁ ଏକ ନିବେଦନ ମାଧ୍ୟମରେ ଛାଡ଼ିଦେଲେ କେମିତି ହେବ? ଏବେ ‘ଗୋଟିଏ ବୃକ୍ଷ ମା’ଙ୍କ ନାମରେ’ ସ୍ଲୋଗାନଟିଏ ଦିଆଗଲା। ଫଳହେଲା ସେହି ଫଟୋ ଉଠାଉଠି। ଅଥଚ କେଡ଼େ ସୁନ୍ଦର ଦୀର୍ଘମିଆଦୀ ପ୍ରସ୍ତାବଗୁଡ଼ିକ ପ୍ରସାଧନ ସୌଦାଗରଙ୍କ ଚକ ତଳେ ଚାପି ହୋଇଯାଇଛି। କିଛି ବର୍ଷ ତଳେ ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏକ ସୁନ୍ଦର ପ୍ରସ୍ତାବ ଉତ୍‌ଥାପନ କରିଥିଲେ। ସେ କହିଥିଲେ, ଏଣିକି ନୂତନ ରାଜପଥ ନିର୍ମାଣ ବେଳେ ଉଭୟ କଡ଼େ ୧୦୦ମି. ରୁ ଅଧିକ ଓସାରରେ ବୃକ୍ଷରୋପଣ କରାଯିବ; ଯାହା ରାଜପଥ ସହ ସମାନ୍ତରାଳ ଭାବରେ ଚାଲିବ। ତାହାର ଖର୍ଚ୍ଚ, ନିର୍ମାଣର ଖର୍ଚ୍ଚ ସହ ଯୋଡ଼ାଯିବ। ଫଳରେ ସମସ୍ତ ଭାରତବର୍ଷରେ ଗୋଟିଏ ଉଦ୍ୟମରେ ହଜାର ହଜାର ବର୍ଗ କି.ମି.ର ମଣିଷକୃତ ଜଙ୍ଗଲ ସୃଷ୍ଟି ହୋଇପାରିବ। କିନ୍ତୁ ଦୁଃଖର କଥା, କେଉଁ ଏକ ଶୀତଳ ଭଣ୍ଡାରରେ ତାହା ରହିଗଲା। ଠିକ୍‌ ସେମିତି ପ୍ରାଦେଶିକ ସ୍ତରରେ ବିଜୟଶ୍ରୀ ରାଉତରାୟ ଜଙ୍ଗଲ ମନ୍ତ୍ରୀ ଥିବାବେଳେ ଓଡ଼ିଶାର ସବୁ ନଦୀ କୂଳେ କୂଳେ ବୃକ୍ଷରୋପଣ ଯୋଜନା କଲେ, ଯାହା ଜଙ୍ଗଲ ସୃଷ୍ଟି କରିବା ସହ ନଦୀଗର୍ଭକୁ ମଧ୍ୟ ଜଳଧାରଣରେ ସହାୟକ ହେବ। କିଛି ବୃକ୍ଷରୋପଣ ହୋଇଥିଲା ମଧ୍ୟ, ମାତ୍ର ପରେ ଏହି ଯୋଜନା ବାଷ୍ପୀଭୂତ ହେଲା!
ବୃକ୍ଷରୋପଣ ଓ ଦୁର୍ନୀତି ନିବାରଣ ସପ୍ତାହ ପାଳନକୁ ନେଇ ପ୍ରଶାସନର ଅନ୍ୟ ନାମ ପ୍ରତାରଣା ବୋଲି ଲୋକେ ବିଚାର କରନ୍ତି। ତେଣୁ ଗମ୍ଭୀର ବିଷୟ ସବୁକୁ ହାଲୁକା ଭାବରେ ନେଇ ଯେନତେନ ପ୍ରକାରଣେ ପାଞ୍ଚବଷିର୍ର୍ଆ ଆଖିରେ ରାଜ୍ୟ ବା ରାଷ୍ଟ୍ରର ସ୍ବାର୍ଥକୁ ଦେଖିବାକୁ ଉଦ୍ୟମ କରି ସୁଶାସନ ବା ବିକାଶ ନାମରେ ଭେଳିକି ହିଁ ଦେଖାହେଉଛି। ଗୋଟିଏ ଦୁଇଟି ଉଦାହରଣ ନିଆଯାଉ। ୧୯୮୩ରୁ ୨୦୨୪ ଦୀର୍ଘ ୪୧ ବର୍ଷ ଭିତରେ ଓଡି଼ଶାର ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନଗୁଡ଼ିକୁ +୩ ଶିକ୍ଷାନୁଷ୍ଠାନରୁ ପୃଥକ୍‌ କରି ଏକ ସୁବ୍ୟବସ୍ଥିତ ନ୍ୟାୟ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରାଗଲା ନାହିଁ। ସବୁ ଦୁର୍ନୀତିର ମୂଳ ଉତ୍ସ ନିର୍ବାଚନ। ନିର୍ବାଚନ ଯେତେ ପ୍ରଦୂଷଣଯୁକ୍ତ ହେବ, ନିର୍ବାଚନ ପରେ ପ୍ରଶାସନ ସେତିକି ପଙ୍କିଳ ହେବ। କିନ୍ତୁ ଏକ ଶକ୍ତ ନିର୍ବାଚନୀ ଆଇନ ଆଣି ଓ ନିର୍ବାଚନୀ ପ୍ରକ୍ରିୟାରେ ଯୁଗାନ୍ତକାରୀ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରି ଏହାକୁ ଅର୍ଥ, ବାହୁବଳ ଓ ରାଜନୈତିକ ଅସମତାରୁ ମୁକ୍ତ କରି ଜ୍ଞାନୀ, ଗୁଣୀ, ସଚ୍ଚୋଟ ବ୍ୟକ୍ତି କେମିତି ରାଜନୀତିକୁ ଆସିବେ, ତା’ର ପଥ ପରିଷ୍କାର କରିବାରେ କାହାରି ଆଗ୍ରହ ନାହିଁ। ଆବର୍ଜନା ପାହାଡ଼ର ସଭାପତି ହେବାକୁ କିନ୍ତୁ ସମସ୍ତେ ବ୍ୟସ୍ତ!
ପ୍ରତାରଣା ପ୍ରତାରଣାକୁ ଜନ୍ମଦିଏ। ସରକାର ଯେମିତି ଜନସାଧାରଣଙ୍କୁ ଶାସନ ବା ପ୍ରଶାସନ ନାମରେ ପ୍ରସାଧନ ଭେଟି ଦେଉଛନ୍ତି, ଜନସାଧାରଣ ମଧ୍ୟ ସରକାର, ସରକାରୀ କାର୍ଯ୍ୟକ୍ରମ, ସରକାରୀ ପ୍ରତିଶ୍ରୁତିକୁ ଗମ୍ଭୀରତାର ସହିତ ନେଉନାହାନ୍ତି। ‘ସରକାର’ ଶବ୍ଦଟି ଏବେ ଯାବତୀୟ କଟୁ ସମାଲୋଚନା ପାଇଁ ଏକ ଉପମାର ସାମଗ୍ରୀ। ଅବିଶ୍ୱାସର ବ୍ୟବଧାନ ଏତେ ବଢ଼ିଯାଇଛି ଯେ, ଦଳୀୟ ସମର୍ଥକଙ୍କୁ ଛାଡ଼ିଦେଲେ ଆଜି କାହାରି ମାଟି ବା ପକ୍କା କାନ୍ଥରେ କୌଣସି ରାଜନେତାଙ୍କ ଫଟୋଚିତ୍ର ନାହିଁ; ଯାହା ସ୍ବାଧୀନୋତ୍ତର ଅପେକ୍ଷାକୃତ ଗରିବ ଭାରତର ଏକ ନିୟମିତ ଚିତ୍ର ଥିଲା। ଏଥିରେ ଅସୁବିଧା ଏତିକି ଯେଉଁ କେତେକ ଉତ୍ସର୍ଗୀକୃତ, ମହାନ୍‌ ଆତ୍ମାମାନେ ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ସଜାଡ଼ିବାକୁ କିଛି ନିଷ୍ଠାପର ଉଦ୍ୟମ କରିଥିଲେ, ସେମାନେ ଏବେ ସେହି ଅନୁଷ୍ଠାନର ଏକଦା ସମର୍ପିତ କର୍ମଚାରୀମାନଙ୍କ ମଧ୍ୟରେ ସରକାରସ୍ତରୀୟ ମନୋଭାବ ଦେଖିଲେଣି- ଅର୍ଥାତ୍‌ ବିଷୟ ପ୍ରତି ଏକ ନିଷ୍ଠାପର, ଉପକାରୀ ଦୃଷ୍ଟିଭଙ୍ଗୀ ପରିବର୍ତ୍ତେ ଅଗଭୀର ଚାଷ ମାଧ୍ୟମରେ ଏକ ‘ହାରାହାରି’ କାମଚଳା ମନୋଭାବ ନେଇ କର୍ତ୍ତବ୍ୟ ସମ୍ପାଦନ କରିବା। ବୋଧହୁଏ, ସେମାନେ ଚାହାନ୍ତି ନିଷ୍ଠା କି ଗମ୍ଭୀରତା ନୁହେଁ, ପ୍ରସାଧନ ହିଁ ଆମର ଦିଗବାରେଣୀ ହେଉ!
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ଼, ବାଲେଶ୍ୱର
ମୋ. : ୯୪୩୭୩ ୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?