ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି। ୧୪୯ ଛାତ୍ରୀଛାତ୍ର, ୭ ଶିକ୍ଷାନୁଷ୍ଠାନ ବିରୋଧରେ ମାମଲା ହୋଇଛି। ମିଥ୍ୟା ଆୟ ଓ ଜାତି ପ୍ରମାଣପତ୍ର ଦାଖଲ କରି ମାଟ୍ରିକ ପରବର୍ତ୍ତୀ ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ଖୋର୍ଦ୍ଧା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ୧୪୯ ଛାତ୍ରୀଛତ୍ରଙ୍କ ବିରୋଧରେ ଜିଲା ମଙ୍ଗଳ ଅଧିକାରୀ ଗତ ନଭେମ୍ବର ୧୩ରେ ଆଦର୍ଶ ଥାନାରେ ଲିଖତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୪୮୭/୨୫) ରୁଜୁ କରିଛି । ଖୋର୍ଦ୍ଧା ଜିଲାପାଳଙ୍କ ନିର୍ଦ୍ଦେଶାନୁସାରେ ଉପରୋକ୍ତ ୧୪୯ ଛାତ୍ରୀଛାତ୍ରଙ୍କ ବିରୋଧରେ ଓଡ଼ିଶା ସାର୍ବଜନୀନ ଦାବି ଆଦାୟ(ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ) ଅଧିନିୟମ ପାଇଁ ଜିଲାପାଳମାନଙ୍କୁ ଅନୁରୋଧ କରାଯାଇଛି।
ମହାଲେଖାପାଳ (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) ଓଡ଼ିଶାଙ୍କ ଦ୍ବାରା ଖୋର୍ଦ୍ଧାଜିଲାରେ ମାଟ୍ରିକ ପରବର୍ତ୍ତୀ ଯୋଜନାର କାର୍ଯ୍ୟାନୟନ ୨୦୧୭ରୁ ୨୦୨୦ ଅବଧି ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷା ରିପୋର୍ଟରେ ପ୍ରକାଶ ପାଇଛି ଯେ ଏହି ଅବଧି ମଧ୍ୟରେ ମୋଟ ୧୪୯ ଆବେଦନକାରୀ ଛାତ୍ରୀଛାତ୍ର ମିଥ୍ୟା ଆୟ ପ୍ରମାଣପତ୍ର ଏବଂ ଜାତି ପ୍ରମାଣପତ୍ର ଦାଖଲ କରି ମାଟ୍ରିକ ପରବର୍ତ୍ତୀ ମେଧାବୃତ୍ତି ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି ହାସଲ କରିବାରେ ସକ୍ଷମ ହୋଇଥିଲେ।
ଏହି ରିପୋର୍ଟ ହସ୍ତଗତ ହେବା ପରେ ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲାସ୍ତରରେ ଏହାର ଅନୁଧ୍ୟାନ ପରେ ଜିଲାପାଳ ଅମ୍ରିତ୍ ଋତୁରାଜ ସମ୍ପୃକ୍ତ ଛାତ୍ରୀଛାତ୍ର ଏବଂ ୭ ଶିକ୍ଷାନୁଷ୍ଠାନ ବିରୋଧରେ ମାମଲା ରୁଜୁ ପାଇଁ ଜିଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶାନୁସାରେ ଜିଲା ମଙ୍ଗଳ ଅଧିକାରୀ ଆଦର୍ଶ ଥାନାରେ ପୃଥକ ଭାବେ ଲିଖତ ଅଭିଯୋଗ କରିଛନ୍ତି ।