କର୍ପୋରେଟୀକରଣ କୃଷି ସଙ୍କଟର ସମାଧାନ ନୁହେଁ

ଭାଲଚନ୍ଦ୍ର ଷଡ଼ଙ୍ଗୀ

 

କରୋନା ମହାମାରୀ ଓ ଲକ୍‌ଡାଉନ୍‌ର ଦୋହରା ମାଡ଼ର ଶିକାର କୃଷକ ଶ୍ରେଣୀ ଭୟଙ୍କର ଦୁର୍ଦ୍ଦଶା ଭିତରେ ଥିବାବେଳେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ବିିଲ୍‌ ‘ବେଡ଼ି ଉପରେ କୋରଡ଼ା ମାଡ଼’ ପରି ହୋଇଛି। ଗତ ଛଅ ବର୍ଷର ଶାସନ କାଳରେ ସରକାର ଦେଶର କୃଷି ସଙ୍କଟକୁ ଦୂର କରିବା ଦିଗରେ କୌଣସି ପଦକ୍ଷେପ ତ ନେଲେନି ବରଂ ସେଥିରୁ ମୁକୁଳିବା ନାଁରେ କୃଷିକ୍ଷେତ୍ରକୁ ଶେଷରେ ଦେଶୀ ବିଦେଶୀ କର୍ପୋରେଟ୍‌ମାନଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ଖୋଲିଦେଲେ। କର୍ପୋରେଟମାନେ ବିନା କୌଣସି ବାଧାରେ କୃଷିରେ ସେମାନଙ୍କ ପୁଞ୍ଜିନିବେଶ କରି ବିପୁଳ ମୁନାଫା କମାଇବାର ରାସ୍ତା ପରିଷ୍କାର ହୋଇଯିବ। ତେବେ ସରକାରଙ୍କ ଉପରୋକ୍ତ ପଦକ୍ଷେପ ଦ୍ୱାରା ଦେଶର କୃଷକମାନେ ଅଧିକ ଦୁର୍ଦ୍ଦଶାଗ୍ରସ୍ତ ହେବା ସହ କୃଷିରୁ ହିଁ ବିତାଡ଼ିତ ହୋଇଯିବାର ଆଶଙ୍କା ଯୋଗୁ ଦେଶବ୍ୟାପୀ କୃଷକମାନେ ରାସ୍ତାକୁ ଓହ୍ଲାଇବା ଦେଖାଯାଇଛି।
ଏଠାରେ ପ୍ରଶ୍ନ ଉଠେ ଯେ ଆଜି କୃଷିର କର୍ପୋରେଟୀକରଣ ପାଇଁ ସରକାର ଏତେ ବ୍ୟାକୁଳ କାହିଁକି? ସରକାର ଓ ତାଙ୍କ ସହିତ ଜଡ଼ିତ ଅର୍ଥନୀତିଜ୍ଞମାନଙ୍କ ଧାରଣା ଯେ ମୁକ୍ତ ବଜାର ଜରିଆରେ ହିଁ ଦେଶର କୃଷି ସଙ୍କଟକୁ ସମାଧାନ କରାଯାଇ ପାରିବ। ଏହି ଚିନ୍ତାର ଆଧାରରେ ହିଁ ସରକାର ତିନୋଟି କୃଷି ବିଲ୍‌ ଆଣିଛନ୍ତି। ସେଥିରେ କୃଷି ଉତ୍ପାଦନ, କୃଷିଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ, କ୍ରୟ ବିକ୍ରୟ, ପ୍ରକ୍ରିୟାକରଣ ଆଦି ସମସ୍ତ କ୍ଷେତ୍ରରେ ଏଣିକି ସରକାରଙ୍କ ଭୂମିକାକୁ ସମାପ୍ତ କରି କମ୍ପାନୀଗୁଡ଼ିକୁୁ ଅବାଧ ସୁଯୋଗ ପ୍ରଦାନ କରାଯାଇଛି। ସରକାରଙ୍କ ପ୍ରଚାର ହେଉଛି ଯେ ଉପରୋକ୍ତ ବିଲ୍‌ ଫଳରେ ଦେଶରେ ଗୋଟିଏ ଏକକ କୃଷି ବଜାର ପ୍ରତିଷ୍ଠା ହେବ। କୃଷିଜାତ ଦ୍ରବ୍ୟର ସଂଗ୍ରହରେ ଥିବା ଦଲାଲ ବ୍ୟବସ୍ଥାର ଉଚ୍ଛେଦ ହେବ, କମ୍ପାନୀଗୁଡ଼ିକ ଆସିବା ଫଳରେ ଚାଷୀମାନେ ନିଜର ଉତ୍ପାଦର ଭଲ ଦାମ୍‌ ପାଇବେ ଏବଂ କୃଷି ଉତ୍ପାଦନରେ ବୃଦ୍ଧି ଘଟିବ। କିନ୍ତୁ ଏଭଳି ଯୁକ୍ତି ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ ମନେହୁଏ। କାରଣ ସରକାରୀ ମଣ୍ଡିରେ କିଣାବିକା ବନ୍ଦ ହେଲେ ଯେଉଁ ଦଲାଲମାନେ ଉଚ୍ଛେଦ ହେବେ ନୂଆ ବ୍ୟବସ୍ଥାରେ ତା’ଠାରୁ ବଡ଼ ଦଲାଲଙ୍କ ଆବିର୍ଭାବ ହେବ। କମ୍ପାନୀର ମାଲିକମାନେ କଦାପି ସିଧାସଳଖ ଚାଷୀଙ୍କ ପାଖକୁ ଯାଇ ସେମାନଙ୍କ କୃଷିଜାତ ଦ୍ରବ୍ୟ କିଣିବେ ନାହିଁ।
ତେବେ କୃଷିକ୍ଷେତ୍ରରେ ମୁକ୍ତ ବଜାରର ଏହି ନୀତିଟି ଆଦୌ ନୂଆ ନୁହେଁ। ଆମଠାରୁ ଢେର ଆଗରୁ ଦୀର୍ଘ ଛଅ ସାତ ଦଶକ ଧରି ଆମେରିକା ଓ ୟୁରୋପର ଦେଶମାନେ ଏହି ନୀତିକୁ ଅବଲମ୍ବନ କରି ଆସିଛନ୍ତି। ସେଠାରେ କମ୍ପାନୀ ପାଇଁ କୃଷିଜାତ ପଦାର୍ଥର କ୍ରୟବିକ୍ରୟ, ଭଣ୍ଡାରଣ ଏବଂ ମୂଲ୍ୟ ନିର୍ଦ୍ଧାରଣ ଆଦି ସମସ୍ତ କ୍ଷେତ୍ରରେ କୌଣସି ସରକାରୀ ନିୟନ୍ତ୍ରଣ କିମ୍ବା ସୀମା ନାହିଁ। ସେଠାକାର କୃଷକ କେବଳ ନିଜ ଦେଶରେ ନୁହେଁ ବରଂ ବିଶ୍ୱର ଯେକୌଣସି ସ୍ଥାନକୁ ନିଜର ଉପତ୍ାଦକୁ ରପ୍ତାନି କରିପାରିବାର ସୁଯୋଗ ରହିଛି। କିନ୍ତୁ ଏତେସବୁ ନୀତିଗତ ଉଦାରତା ଏବଂ ବିପୁଳ ସବ୍‌ସିଡି ସତ୍ତ୍ୱେ ସେଠାକାର କୃଷି ଏବଂ କୃଷକ ଭୟଙ୍କର ସଙ୍କଟରେ ରହିଛନ୍ତି କାହିଁକି? ଆମେରିକା ସରକାରଙ୍କ ଗତ କିଛି ବର୍ଷ ଧରି ବିଭିନ୍ନ ତଥ୍ୟ ଓ ଅଧ୍ୟୟନରୁ ଗୋଟିଏ କଥା ସ୍ପଷ୍ଟ ଯେ ସେଠାକାର କୃଷି ଆମ ଦେଶ ଭଳି ସଙ୍କଟ ଦେଇ ଗତି କରୁଛି। ନିକଟରେ ଆମେରିକାର କୃଷି ବିଭାଗର ମୁଖ୍ୟ ଅର୍ଥନୀତିଜ୍ଞ ସ୍ବୀକାର କରିଛନ୍ତି ଯେ, ସେଠାକାର କୃଷକମାନଙ୍କ ଆୟ ଲଗାତର ହ୍ରାସ ପାଇବାରେ ଲାଗିଛି। ଚଳିତବର୍ଷ ଆମେରିକାର କୃଷକମାନଙ୍କ ଉପରେ ଋଣଭାର ୪୨୫ ବିଲିଅନ୍‌ ଡଲାରରେ ଯାଇ ପହଞ୍ଚିଛି। କୃଷି ସଙ୍କଟ କାରଣରୁ ବି ସେଠାକାର ଗ୍ରାମାଞ୍ଚଳର ଆତ୍ମହତ୍ୟାର ହାର ସହରାଞ୍ଚଳ ତୁଳନାରେ ୪୫% ଅଧିକ ରହିଥିବା ଜଣାପଡ଼ିଛି।
କେବଳ ଆମେରିକା ନୁହେଁ ୟୁରୋପରେ ବି ମୁକ୍ତ ବଜାର ନୀତି ପରେ ବି କୃଷିର ସେହି ଏକା ଅବସ୍ଥା ଦେଖିବାକୁ ମିଳିଛି। ସେଠାରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକ କୃଷି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଫ୍ରାନ୍ସରେ ବାର୍ଷିକ ହାରାହାରି ୫୦୦ କୃଷକ ଆତ୍ମହତ୍ୟା କରୁଛନ୍ତି। ତେବେ ସେସବୁ ଦେଶମାନଙ୍କରେ କୃଷିର ଏତେ ଖରାପ ସ୍ଥିତି ସତ୍ତ୍ୱେ ତାହା ତିଷ୍ଠି ରହିବା ପଛରେ ଏକମାତ୍ର କାରଣ ହେଲା ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିପୁଳ କୃଷି ସବ୍‌ସିଡି। ସେଠାରେ କେବଳ କୃଷି ପାଇଁ ନୁହେଁ, କୃଷିଜାତ ଦ୍ରବ୍ୟର ରପ୍ତାନିରେ ବି ବ୍ୟାପକ ସବସିଡି ଦିଆଯାଉଛି। ଓଇସିଡିର ୨୦୧୮ର ରିପୋର୍ଟ ଅନୁଯାୟୀ ବିଶ୍ୱର ଧନୀଦେଶମାନେ ପ୍ରତିବର୍ଷ ସେମାନଙ୍କ କୃଷିକ୍ଷେତ୍ରକୁ ୨୪୬ ଲକ୍ଷ କୋଟି ସବସିଡି ପ୍ରଦାନ କରୁଛନ୍ତି, ଯେଉଁଥିରୁ ୧୦୦ ବିଲିୟନ୍‌ କେବଳ ୟୁରୋପରେ ଦିଆଯାଉଛି। ଆମେରିକାରେ ଜଣେ ଚାଷୀକୁ ବାର୍ଷିକ ହାରାହାରି ୭ ହଜାର ଡଲାର ସବସିଡି ମିଳୁଥିବା ବେଳେ ଆମ ଦେଶରେ କିନ୍ତୁ ମାତ୍ର ୨୦୦ ଡଲାର ରହିଛି। ୟୁରୋପୀୟ ୟୁନିୟନ୍‌ ଓ ଜାପାନ ନିଜର ଗୋଟିଏ ଗାଈ ପିଛା ଦୈନିକ ଯଥାକ୍ରମେ ୨.୭ ଡଲାର ଏବଂ ୮ ଡଲାର ଖର୍ଚ୍ଚ କରୁଥିବା ବେଳେ ଆମ ଦେଶର ୭୭% ଜନତା ଦୈନିକ ଅଧା ଡଲାରରୁ ବି କମ୍‌ ଖର୍ଚ୍ଚରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି।
ଆମେରିକାରେ କୃଷିର ମୁକ୍ତ ବଜାର ଫଳରେ ଆଜି ଜନସଂଖ୍ୟାର ମାତ୍ର ୨-୩% ହିଁ କୃଷିରେ ନିୟୋଜିତ ରହିଛନ୍ତି। ଅନ୍ୟପଟେ ଭାରତରେ ଜନସଂଖ୍ୟାର ୬୮.୬% ଗ୍ରାମାଞ୍ଚଳରେ ରହୁଥିବା ବେଳେ ୫୦%ରୁ ଅଧିକ ଲୋକ କୃଷିରେ ନିୟୋଜିତ ଅଛନ୍ତି। ଯଦି ସରକାର ମୁକ୍ତ ବଜାର କୃଷି ଜରିଆରେ ଅଧିକାଂଶ ଲୋକଙ୍କୁ କୃଷିରୁ ଉଚ୍ଛେଦ କରିବାକୁ ଚାହୁଁଛନ୍ତି ତା’ହେଲେ ସେମାନେ ଯିବେ କୁଆଡ଼େ। ସେମାନଙ୍କ ପାଇଁ ଏକ ସମ୍ମାନଜନକ ଏବଂ ସ୍ଥାୟୀ ରୋଜଗାରର ବ୍ୟବସ୍ଥା କଥା ଚିନ୍ତା କରାଯାଇଛି ନା ସେମାନେ ସହରରେ ଯାଇ ଶ୍ରମିକଙ୍କ ଧାଡ଼ିରେ ଠିଆହେବେ? ପରିତାପର ବିଷୟ ହେଲା, ଯେଉଁ ନୀତିକୁ ଗ୍ରହଣ କରିବାର ପରିଣାମ ସ୍ବରୂପ ପାଶ୍ଚାତ୍ୟ ଦେଶମାନଙ୍କ କୃଷି ଭୟଙ୍କର ସଙ୍କଟଗ୍ରସ୍ତ ହୋଇଛି, ଆମ ସରକାର ତାକୁ ଭାରତର କୃଷି ସଙ୍କଟର ରାମବାଣ ବୋଲି ଭାବୁଛନ୍ତି।
ଭାରତରେ ମୋଟ ୧୪.୬୫ କୋଟି ଜମି ଥିବା ଚାଷୀଙ୍କ ମଧ୍ୟରୁ ୮୬% ହେଉଛନ୍ତି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ। କୃଷି କାର୍ଯ୍ୟରେ ନିୟୋଜିତ ପରିବାର ମଧ୍ୟରେ ୫୪.୬% ହେଉଛନ୍ତି ଭୂମିହୀନ ଯେଉଁମାନଙ୍କ ନାଁରେ କୌଣସି ଜମି ମାଲିକାନା ନାହିଁ। ଏଭଳି ଅବସ୍ଥାରେ ଯଦି କୃଷିକ୍ଷେତ୍ରକୁ କର୍ପୋରେଟ୍‌ ପୁଞ୍ଜି ପାଇଁ ଖୋଲି ଦିଆଯିବ ତା’ହେଲେ ତା’ର ପରିଣାମ ଭୟଙ୍କର ହେବା ନିଶ୍ଚିତ। ଦେଶୀ ବିଦେଶୀ କର୍ପୋରେଟ୍‌ମାନଙ୍କୁ ବିପୁଳ ପରିମାଣରେ ଖାଦ୍ୟଶସ୍ୟ ସଂଗ୍ରହର ଅଧିକାର ଦିଆଗଲେ ଚାଷୀ ଅତି କମ୍‌ ମୂଲ୍ୟରେ ନିଜର ଉତ୍ପାଦକୁ ବିକ୍ରି କରିବାକୁ ବାଧ୍ୟ ହେବେ। ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ପରିବର୍ତ୍ତନ ଫଳରେ କମ୍ପାନୀଗୁଡ଼ିକ କୃଷିଜାତ ଦ୍ରବ୍ୟକୁ ଶସ୍ତାରେ କିଣି ନିଜ ଗୋଦାମରେ ଗଚ୍ଛିତ ରଖି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିବେ ଏବଂ ଶେଷରେ ଖାଉଟିଙ୍କୁ ଚଢ଼ା ଦାମରେ ବିକ୍ରି କରିବେ।
କମ୍ପାନୀଗୁଡ଼ିକ ଠିକା ଚାଷ ପାଇଁ ଅନୁମତି ପାଇଲେ ଚାଷୀମାନଙ୍କ ହାତରୁ ଚାଷ ଓ ଜମି ସେମାନଙ୍କ ହାତକୁ ଚାଲିଯିବ। ଯେଉଁ ଚାଷୀମାନେ ନିଜ ପାଖରେ ଜମି ରଖି କମ୍ପାନୀ ସହିତ ଚୁକ୍ତି କରି ଚାଷ କରିବେ, ସେମାନଙ୍କ ଅବସ୍ଥା ଜଣେ ଗୋତି ଶ୍ରମିକ ଠାରୁ ଭିନ୍ନ ହେବନି। ସେମାନେ ନିଜର ଠିକା ଚାଷ ପାଇଁ ଚୁକ୍ତି ଅନୁଯାୟୀ କମ୍ପାନୀଠାରୁ ହିଁ ବିହନ, ସାର ଓ କୀଟନାଶକ ନେବାକୁ ବାଧ୍ୟ ହେବେ। ଏପରି କି ନିଜ ଜମିରେ କେଉଁ ଫସଲ ଚାଷ କରିବେ ତାକୁ ସ୍ଥିର କରିବାର ଅଧିକାର ବି ସେମାନଙ୍କର ରହିବନି ଏବଂ ସମସ୍ତ ସର୍ତ୍ତ ମାନି ବି ସେମାନେ ଚାଷ କଲା ପରେ ସେମାନଙ୍କ ଉତ୍ପାଦକୁ କମ୍ପାନୀଗୁଡ଼ିକ ଯେ ଚୁକ୍ତି ମୁତାବକ ଦରରେ ହିଁ କିଣିବେ ତା’ର କିଛି ନିଶ୍ଚିତତା ନାହିଁ। ବିଭିନ୍ନ ଆଳରେ କମ୍ପାନୀ ନିଜର ଚୁକ୍ତି ମୁତାବକ ଦରକୁ ମୋଡ଼ି ଦେବାର ଅଧିକାର ରହିଛି। ଏଭଳି ପରିସ୍ଥିତିରେ ଦେଶର ଅଧିକାଂଶ ଚାଷୀ ଶେଷରେ କୋର୍ଟକୁ ଯିବେ ଅଥବା ଚାଷ ଛାଡ଼ିବାକୁ ବାଧ୍ୟ ହେବେ।
ଏହା ସତ ଯେ ଦେଶର ମାତ୍ର ୩୦% ଫସଲ ଏବଂ ୬% ଚାଷୀ ହିଁ ନିଜର ୨୩ଟି ଫସଲ ପାଇଁ ସରକାର ଘୋଷିତ ସହାୟକ ଦର ବା ଏମ୍‌ଏସ୍‌ପିର ସୁବିଧା ପାଇ ପାରୁଛନ୍ତି। ଦେଶର ଅଧିକାଂଶ ଚାଷୀ ଏମ୍‌ଏସ୍‌ପିରୁ ବଞ୍ଚିତ ହେଉଛନ୍ତି। ସରକାର ଯଦି ନିଜ ପ୍ରତିଶ୍ରୁତି ମୁତାବକ ସ୍ବାମୀନାଥନ କମିଶନଙ୍କ ସୁପାରିସ ଅନୁଯାୟୀ ଏମ୍‌ଏସ୍‌ପି ବୃଦ୍ଧି କରି ଚାଷୀର ସମସ୍ତ ଉତ୍ପାଦକୁ କିଣିବାର ବ୍ୟବସ୍ଥା କରିଥାନ୍ତେ ତା’ହେଲେ ଚାଷୀଙ୍କ ଆୟରେ ନିଶ୍ଚିତ ବୃଦ୍ଧି ସହ ବଜାରରେ ଶିଳ୍ପଜାତ ଦ୍ରବ୍ୟ ପାଇଁ ଚାହିଦା ସୃଷ୍ଟି ହୋଇପାରିଥାନ୍ତା। କିନ୍ତୁ ସରକାର ସେପରି ନ କରି କର୍ପୋରେଟଙ୍କ ଦୟାରେ ଚାଷୀକୁ ଛାଡ଼ିଦେବା ପାଇଁ ମଣ୍ଡି ଆଇନରେ ପରିବର୍ତ୍ତନ ଆଣିଛନ୍ତି। ଘରୋଇ କମ୍ପାନୀମାନେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଯେ ଅଧିକ ମୂଲ୍ୟ ଦେବେ ତା’ର କୌଣସି ଗ୍ୟାରେଣ୍ଟି ନାହିଁ।
କୃଷକଙ୍କୁ ସ୍ବାଧୀନତା ଦେବା ନାଁରେ ତିନି ଅଧ୍ୟାଦେଶ ଦେଶର ଜନଗଣଙ୍କ ଟ୍ରିପଲ ମର୍ଡ଼ର ପରି ହୋଇଛି। ପାଶ୍ଚାତ୍ୟର ନବ ଉଦାରବାଦୀ ମଡ଼େଲକୁ ଅନୁକରଣ କରି କର୍ପୋରେଟ୍‌ଙ୍କ ପାଇଁ ଦେଶର କୃଷିକ୍ଷେତ୍ରକୁ ସମ୍ପୂର୍ଣ୍ଣ ଖୋଲିଦେବାର ଏହି ନିଷ୍ପତ୍ତି କୃଷକଙ୍କ କୃଷି, କୃଷି ଶ୍ରମିକଙ୍କ ଜୀବିକା, ସାଧାରଣ ଖାଉଟିଙ୍କ ସ୍ବାର୍ଥ ଏବଂ ସର୍ବୋପରି ଦେଶର କୃଷିର ସାର୍ବଭୌମତା ଉପରେ ସବୁଠାରୁ ବଡ଼ ଆକ୍ରମଣ ହେବାକୁ ଯାଉଛି।
ମୋ:୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri