ଜଳିଗଲା ଲକ୍ଷାଧିକ ଟଙ୍କାର ମକା, ସରକାରଙ୍କ ପାଖରେ କ୍ଷତିପୂରଣ ଦାବି କରି…

ମୋହନା,୧୦ା୧(ମନ୍ମଥ ମିଶ୍ର): ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଶୁଖିଲା ମକା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲା ରା.ଉଦୟଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମରେ। ଶୁକ୍ରବାର ହଠାତ୍‌ ନିଆଁ ଲାଗିଥିଲା ମକା ଖଳାରେ। ପରିସଲ ଗ୍ରାମର ଅନେକ ପରିବାର ମକା ଚାଷ କରି ପରିବାରର ଜୀବନ ଜୀବିକା ନିର୍ବାହ କରୁଛନ୍ତି। ବଞ୍ଚିବା ପାଇଁ ଧନ ଉପାର୍ଜନ ଆଶାନେଇ ବର୍ଷା ଖରାକୁ ଖାତିର ନ କରି ସମସ୍ତ ମକାକୁ ଏକ ପଥର ଚାଞ୍ଚଡ଼ାରେ ପରିସଲ ଗ୍ରାମର ତୀର୍ଷା ମାଳି, ଆନ୍ଦ୍ରିୟଜେନା, ସରସ ଆନନ୍ଦ, ସଞ୍ଜୁମଣି ଲିମା ୪ଟି ପରିବାରର ପରିଶ୍ରମ କରିଥିବା ମକା ଆଜି ପାଉଁଶ ହୋଇଯାଇଛି। ଖବର ପାଇଁ ଗ୍ରାମର ଅନେକ ଲୋକେ ଆସି ନିଆଁକୁ ଲିଭେଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଧିକରୁ ଅଧିକ ନିଆଁ ହୁତୁହୁତୁ ହୋଇ ଲାଗିଥିଲା। ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ନିଆଁକୁ ଆୟତ୍ତ ହୋଇଥିଲେ ମଧ୍ୟ ୪ଟି ଚାଷୀଙ୍କ ସମସ୍ତ ମକା ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଣୁ ବର୍ଷକ ମଧ୍ୟରେ ଯାହା ଅର୍ଜନ କରିଥିଲେ ତାହା ସବୁ ଧୂଳିସାତ ହୋଇଯାଇଛି। ପରିବାର ଲୋକ କ୍ଷତିପୂରଣ ପାଇଁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily