Posted inଜାତୀୟ

ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌

ନୂଆଦିଲ୍ଲୀ,୧୨ା୩: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ଲାଗି ପ୍ରଚଳିତ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ କାର୍ଯ୍ୟକାରୀ ହେବା ଦିନଠାରୁ ଏହାକୁ ବିରୋଧ କରାଯାଇଥିଲା। ଏହି ଯୋଜନାରେ ଚାନ୍ଦା ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ବା ଅନୁଷ୍ଠାନଙ୍କ ନାଁକୁ ଗୋପନ ରଖାଯାଉଥିବାରୁ କିଏ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଉଛନ୍ତି, କେଉଁ ସୂତ୍ରରୁ ଦଳଗୁଡ଼ିକ ଏତେ ପରିମାଣରେ ଅର୍ଥ ପାଉଛନ୍ତି, ସେ ସମ୍ପର୍କରେ ଜାଣିବା ସାଧାରଣ ଲୋକଙ୍କ ପକ୍ଷେ ଅସମ୍ଭବ ଥିଲା। ଏହା ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତା ସାମ୍ବିଧାନିକ ଅଧିକାର ଏବଂ ତଥ୍ୟ ଜାଣିବା ଅଧିକାରର ଉଲ୍ଲଂଘନ ବୋଲି ଦର୍ଶାଇ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଅନ୍ୟମାନେ ମଧ୍ୟ ବଣ୍ଡ୍‌ ବ୍ୟବସ୍ଥାକୁ ବିରୋଧ କରି ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଥିଲେ।
ଲୋକ ସଭା ନିର୍ବାଚନ ପୂର୍ବରୁ ସର୍ବୋଚ୍ଚ ଅଦାଲତ ଏହି ଐତିହାସିକ ରାୟ ବଳରେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ ରଦ୍ଦ କରିଦେଇଥିଲେ। ଫଳରେ ସରକାରଙ୍କ ପାଇଁ ଏହା ବଡ଼ ଝଟ୍‌କା ହୋଇଛି। ଚାନ୍ଦା ସଂଗ୍ରହରେ ଇଲେକ୍ଟୋରାଲ ବଣ୍ଡ୍‌ର ପ୍ରଚଳନ ଅସାମ୍ବିଧାନିକ ବୋଲି ଅତାଲତ କହିବା ସହ ଏହା ମାଧ୍ୟମରେ ଚାନ୍ଦା ଦେଇଥିବା ବ୍ୟକ୍ତି ଓ ଗ୍ରହଣ କରିଥିବା ଦଳଙ୍କ ନାଁ ଓ ଚାନ୍ଦା ପରିମାଣ ଜଣାଇବାକୁ ଅଦାଲତ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ର ଏହି ଯୋଜନା ମତବ୍ୟକ୍ତ କରିବାର ସ୍ବାଧୀନ ଅଧିକାର ଏବଂ ତଥ୍ୟ ଜାଣିବା ଅଧିକାରର ଉଲ୍ଲଂଘନ କରୁଛି ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ କହିଥିଲେ। ରାଜନୈତିକ ଚାନ୍ଦା ସଂଗ୍ରହରେ ସ୍ବଚ୍ଛତା ଆଣିବା ଏବଂ କଳାଧନ ରୋକିବା ପାଇଁ ଇଲେକ୍ଟୋରାଲ ବଣ୍ଡ୍‌ ପ୍ରଚଳନ କରାଯାଇଥିବା ସରକାର ଯୁକ୍ତି ଦର୍ଶାଇଥିଲେ ହେଁ, ସାମ୍ବିଧାନିକ ପୀଠ ଏଥିରେ ସହମତ ହୋଇ ନ ଥିଲେ। ଉକ୍ତ ଯୋଜନାକୁ ତୁରନ୍ତ ବନ୍ଦ କରିବା ସହ ବଣ୍ଡ୍‌ ବିକ୍ରି କରୁଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)କୁ ମାର୍ଚ୍ଚ ୬ ସୁଦ୍ଧା ସବିଶେଷ ବିବରଣୀ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ଦାଖଲ ପାଇଁ ସମୟ ବଢ଼ାଇବା ନିମନ୍ତେ ଏସ୍‌ବିଆଇ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ମଙ୍ଗଳବାର ଅଫିସ ସମୟ ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ଦାଖଲ କରିବା ଲାଗି ଏସ୍‌ବିଆଇକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏସ୍‌ବିଆଇ ଦାଖଲ କରିଥିବା ତଥ୍ୟକୁ ମାର୍ଚ୍ଚ ୧୫ ଅପରାହ୍ନ ୫ଟା ସୁଦ୍ଧା ସରକାରୀ ଓ୍ବେବ୍‌ସାଇଟ୍‌ରେ ରଖିବା ପାଇଁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗୋପନ ବାଲଟ ବ୍ୟବସ୍ଥା ଭଳି ଚାନ୍ଦା ଦେଉଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକର ନାଁ ଗୋପନ ରଖିବା ପାଇଁ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ପ୍ରଚଳନ ହୋଇଥିଲା ବୋଲି କେନ୍ଦ୍ର ସରକାର ଦର୍ଶାଇଥିବା ତ୍ରୁଟିପୂର୍ଣ୍ଣ ଯୁକ୍ତିକୁ ଅଦାଲତ ଖଣ୍ଡନ କରିଦେଇଥିଲେ। ଉକ୍ତ ବଣ୍ଡ୍‌ ଜରିଆରେ ଶାସକ ଦଳଗୁଡ଼ିକ ଜନସାଧାରଣ ଏବଂ ସଂସ୍ଥାକୁ ଚାନ୍ଦା ଦେବା ପାଇଁ ବାଧ୍ୟ କରୁଥାଇପାରନ୍ତି। ଇଲେକ୍ଟୋରାଲ ବଣ୍ଡ୍‌ ଓ ଭୋଟରଙ୍କ ତଥ୍ୟ ଜାଣିବା ଅଧିକାରକୁ ଉଲ୍ଲଂଘନ କରିବା ପାଇଁ ସେଥିରେ ରହିଥିବା ବିବାଦୀୟ ବ୍ୟବସ୍ଥା ସମ୍ବିଧାନର ଅନୁଚ୍ଛେଦ ୧୯(୧)(କ)ରେ ରହିଥିବା ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତା ଅଧିକାରର ଉଲ୍ଲଂଘନ ବୋଲି ସାମ୍ବିଧାନିକ ପୀଠ କହିଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟ ରାଜନୈତିକ ପାଣ୍ଠି ସଂଗ୍ରହରେ ସ୍ବଚ୍ଛତା ଆଣିବ ବୋଲି ବିଭିନ୍ନ ରାଜନୈତିକ ଦଳ ପ୍ରତିକ୍ରିୟାରେ କହିଥିଲେ। ଇଲେକ୍ଟୋରାଲ ବଣ୍ଡ୍‌ କାର୍ଯ୍ୟକାରୀ ହେବା ଦିନରୁ କଂଗ୍ରେସ ଏହାକୁ ଅସ୍ବଚ୍ଛ ଓ ଅଗଣତାନ୍ତ୍ରିକ କହିବା ସହ ବିରୋଧ କରୁଥିଲା ବୋଲି ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ମୋଦି ସରକାରଙ୍କ ଏହି ବିବାଦୀୟ ଯୋଜନା ବନ୍ଦ କରିବା ପାଇଁ ୨୦୧୯ରେ କଂଗ୍ରେସ ଆଣିଥିବା ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ରାଜନୈତିକ ଓ ନିର୍ବାଚନୀ ଚାନ୍ଦା ସଂଗ୍ରହରେ ସଂସ୍କାର ଅଣାଯିବା ଜରୁରୀ ବୋଲି ସିପିଆଇ(ଏମ୍‌) ପଲିଟି ବ୍ୟୁରୋ ପକ୍ଷରୁ କୁହାଯାଇଥିଲା।

ଇଲେକ୍ଟୋରାଲ ବଣ୍ଡ୍‌ କ’ଣ

ରାଜନୈତିକ ଦଳଗୁଡ଼ିକର ଚାନ୍ଦା ସଂଗ୍ରହ ପାଇଁ ଇଲେକ୍ଟୋରାଲ ବଣ୍ଡ୍‌ ଏକ ଆର୍ଥିକ ସାଧନ। ଏଥିରେ କ୍ରେତା ଏବଂ ପ୍ରାପକଙ୍କ ନାଁ ରହୁ ନ ଥିବାରୁ ଏହା ଏକ ବିଅରିଂ ସାଧନ ଭାବେ କାର୍ଯ୍ୟ କରିଥାଏ ଏବଂ ଦାତାଙ୍କୁ ଗୋପନ ରଖିଥାଏ। ୨୦୧୭-୧୮ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ପ୍ରଥମେ ଇଲେକ୍ଟୋରାଲ ବଣ୍ଡ୍‌ ଘୋଷଣା କରିଥିଲେ। ଭାରତର ନାଗରିକ ଏବଂ ଘରୋଇ କମ୍ପାନୀଗୁଡ଼ିକ ଏହା ଜରିଆରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇପାରିବେ। ଜଣେ କ୍ରେତା କେତେ ବଣ୍ଡ୍‌ କିଣିବେ, ତାହାର କୌଣସି ସୀମା ଧାର୍ଯ୍ୟ ହୋଇ ନ ଥିଲା। ୧,୦୦୦ରୁ ଆରମ୍ଭ କରି ୧୦ ହଜାର, ୧ ଲକ୍ଷ, ୧୦ ଲକ୍ଷ ଏବଂ ୧ କୋଟି ଟଙ୍କା ମୂଲ୍ୟର ବଣ୍ଡ୍‌ ଉପଲବ୍ଧ ରହିଥିବାବେଳେ ୧ କୋଟି ମୂଲ୍ୟର ବଣ୍ଡ୍‌ ସର୍ବାଧିକ ବିକ୍ରି ହୋଇଥାଏ। କେବଳ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କେତେକ ନିର୍ଦ୍ଦିଷ୍ଟ ଶାଖା ଜରିଆରେ ଏହି ବଣ୍ଡ୍‌ ବିକ୍ରି ହୋଇଥାଏ। ୧୫ ଦିନ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ଏହାକୁ ନ ମୁକୁଳାଇଲେ, ତାହା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠିକୁ ଚାଲିଯାଇଥାଏ। ୭ ବର୍ଷ ଧରି ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ଚାନ୍ଦା ସଂଗ୍ରହ କରୁଥିବାବେଳେ ସୁପ୍ରିମକୋର୍ଟ ଗତ ମାସ ୧୫ ତାରିଖରେ ଏହାକୁ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଦେଇଛନ୍ତି।

କେବେ ଆସିଥିଲା ଏହି ଯୋଜନା

୨୦୧୭ର ଅର୍ଥ ବିଲ୍‌ରେ ପ୍ରସ୍ତାବିତ ସଂଶୋଧନ ଉପରେ ସେହିବର୍ଷ ଜାନୁଆରୀ ୨୮ରେ ଅର୍ଥ ମନ୍ତ୍ରଣାଳୟ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ମତାମତ ଲୋଡ଼ିଥିଲେ। ୩୦ ତାରିଖରେ ଆର୍‌ବିଆଇ ଏହାର ଉତ୍ତରରେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ଉପରେ ଗମ୍ଭୀର ଆଶଙ୍କା ବ୍ୟକ୍ତ କରିଥିଲା। ଏହି ବଣ୍ଡ୍‌ ଦ୍ୱାରା ବେଆଇନ ଆର୍ଥତ୍କ କାରବାରର ସୁଯୋଗ ଦେବା ସହ ସ୍ବଚ୍ଛତା ରହିବ ନାହିଁ ବୋଲି ଆର୍‌ବିଆଇ କହିଥିଲା। ତେବେ କେନ୍ଦ୍ର ସରକାର ଆର୍‌ବିଆଇର ଉଦ୍‌ବେଗକୁ ଏଡ଼ାଇ ଯାଇ ୨୦୧୭ ଫେବୃଆରୀ ୧ରେ ଲୋକ ସଭାରେ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ଘୋଷଣା କରିଥିଲେ। ଅର୍ଥବିଲ୍‌ ହୋଇଥିବାରୁ ଏହା ପାର୍ଲାମେଣ୍ଟର ଉଭୟ ଗୃହରେ ଅନାୟାସରେ ଗୃହୀତ ହୋଇଥିଲା। ୨୦୧୮ ଜାନୁଆରୀ ୨ରେ ଏହା ଉପରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

୧୬ ହଜାର କୋଟିର ବଣ୍ଡ୍‌ ବିକ୍ରି

ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କାର୍ଯ୍ୟକାରୀ ହେବାଠାରୁ ଅଦ୍ୟାବଧି ରାଜନୈତିକ ଦଳଗୁଡ଼ିକୁ ଏହାର ବିକ୍ରିରୁ ୧୬,୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ମିଳିଛି। ଏଥିରୁ ଏକ ସିଂହଭାଗ ଶାସକ ଦଳ ଭାଜପାକୁ ମିଳିଥିଲା। ସୁପ୍ରିମକୋର୍ଟ ଉକ୍ତ ଯୋଜନାକୁ ରଦ୍ଦ କରିଦେବା ଭାଜପା ପାଇଁ ସବୁଠୁ ବଡ଼ ଝଟକା। ନିର୍ବାଚନ କମିଶନ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପାଖରେ ଥିବା ତଥ୍ୟ ଅନୁଯାୟୀ ଗତ ଆର୍ଥତ୍କ ବର୍ଷ ସୁଦ୍ଧା ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାରେ ୧୨,୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ପାଇଥିବାବେଳେ ସେଥିରୁ ଭାଜପାର ଭାଗ ଥିଲା ୫୫ ପ୍ରତିଶତ ବା ୬,୫୬୫ କୋଟି ଟଙ୍କା। ଚଳିତ ଆର୍ଥତ୍କ ବର୍ଷ ୨୦୨୩-୨୪ର ତଥ୍ୟ ଅନୁଯାୟୀ ୨୦୧୮ ମାର୍ଚ୍ଚରୁ ଗତ ଜାନୁଆରୀ ସୁଦ୍ଧା ରାଜନୈତିକ ଦଳଗୁଡ଼ିକୁ ସମୁଦାୟ ୧୬,୫୧୮.୧୧ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡ୍‌ରୁ ମିଳିଛି। ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଞ୍ଚଳିକ ଦଳଗୁଡ଼ିକର ମୋଟ ଚାନ୍ଦାର ୯୦ ପ୍ରତିଶତରୁ ଅଧିକ ଉକ୍ତ ବଣ୍ଡ୍‌ରୁ ପାଇଛନ୍ତି। ତେବେ ମୋଟାମୋଟି ଦେଖିଲେ ଇଲେକ୍ଟୋରାଲ ବଣ୍ଡ୍‌ରୁ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦା ମୋଟ ଆୟର ଅଧାରୁ ଅଧିକ ଥିଲା। ଉପା ସରକାରର ଶେଷ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ସବୁଠୁ ଧନୀ ଦଳ ଥିଲା। ୨୦୧୩-୧୪ ଆର୍ଥିକ ବର୍ଷରେ ଚାନ୍ଦା ସଂଗ୍ରହରେ ଭାଜପା କଂଗ୍ରେସକୁ ଟପିଥିଲା।

ମାମଲାର ଘଟଣାକ୍ରମ

୨୦୧୭: ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ୨୦୧୭ ଅର୍ଥ ବିଲ୍‌ରେ ଆଗତ ହୋଇଥିଲା।
୨୦୧୭ ସେପ୍ଟେମ୍ବର ୧୪: ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ମୁଖ୍ୟ ଆବେଦନକାରୀ ଭାବେ ଏହି ଯୋଜନାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।
୨୦୧୭ ଅକ୍ଟୋବର ୩: ଏନ୍‌ଜିଓ ଦାଖଲ କରିଥିବା ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଆଧାରରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଥିଲେ।
୨୦୧୮ ଜାନୁଆରୀ ୨: କେନ୍ଦ୍ର ସରକାର ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ଉପରେ ବିଜ୍ଞପ୍ତି ଜାରି କଲେ।
୨୦୨୨ ନଭେମ୍ବର ୭: ଉକ୍ତ ସ୍କିମ୍‌ରେ ସଂଶୋଧନ କରାଯାଇ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ଅବଧିକୁ ବର୍ଷକୁ ୭୦ ଦିନରୁ ୮୫ ଦିନକୁ ବୃଦ୍ଧି କରାଯାଇଥିଲା।
୨୦୨୩ ଅକ୍ଟୋବର ୧୬: ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଇଲେକ୍ଟୋରାଲ ବଣ୍ଡ୍‌ ମାମଲାର ବିଚାର ପାଇଁ ୫ ଜଣିଆ ସାମ୍ବିଧାନକ ପୀଠକୁ ପଠାଇଥିଲେ।
୨୦୨୩ ଅକ୍ଟୋବର ୩୧: ପ୍ରଧାନ ବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଗଢ଼ାଯାଇଥିଲା।
୨୦୨୩ ନଭେମ୍ବର ୨: ଶୁଣାଣି ଶେଷ କରିବା ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
୨୦୨୪ ଫେବୃଆରୀ ୧୫: ମତବ୍ୟକ୍ତ କରିବାର ସାମ୍ବିଧାନିକ ଅଧିକାର ଏବଂ ତଥ୍ୟ ଜାଣିବା ଅଧିକାର ଉଲ୍ଲଂଘନ କରୁଥିବା ଦର୍ଶାଇ ସାମ୍ବିଧାନିକ ପୀଠ ଇଲେକ୍ଟୋରାଲ ବଣ୍ଡ୍‌କୁ ରଦ୍ଦ କରିଥିଲେ।
୨୦୨୪ ମାର୍ଚ୍ଚ ୪: ଇଲେକ୍ଟୋରାଲ ବଣ୍ଡ୍‌ର ସବିଶେଷ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେବା ପାଇଁ ଜୁନ୍‌ ୩୦ ପର୍ଯ୍ୟନ୍ତ ସମୟ ବଢ଼ାଇବାକୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସୁପ୍ରିମକୋର୍ଟରେ ଆବେଦନ କରିଥିଲା।
୨୦୨୪ ମାର୍ଚ୍ଚ ୭: ଧାର୍ଯ୍ୟ ସମୟ ମାର୍ଚ୍ଚ ୬ ମଧ୍ୟରେ ତଥ୍ୟ ନ ଦେଇ ଏସ୍‌ବିଆଇ ଜାଣିଶୁଣି ଅଦାଲତ ନିର୍ଦ୍ଦେଶର ଅବମାନନା କରୁଥିବା ଦର୍ଶାଇ ଏହା ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ପାଇଁ ୨ଟି ଏନ୍‌ଜିଓ ପକ୍ଷରୁ ଆବେଦନ କରାଯାଇଥିଲା।
୨୦୨୪ ମାର୍ଚ୍ଚ ୧୧: ସମୟ ବଢ଼ାଇବା ପାଇଁ ଏସ୍‌ବିଆଇର ଆବେଦନକୁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ପୀଠ ଖାରଜ କରିଦେଇଛନ୍ତି। ଏଥିସହିତ ୧୨ ତାରିଖ ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ୍‌ର ସବିଶେଷ ତଥ୍ୟ ଇସିଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ନିଷ୍ପତ୍ତି: ଓଟଙ୍କୁ ମିଳିବ ପାସପୋର୍ଟ

ରିଆଦ୍‌,୬ା୨:ଓଟଙ୍କୁ ନେଇ ସାଉଦି ଆରବ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ସାରା ଙ୍କ ପକ୍ଷରୁ ପାସ୍‌ପୋର୍ଟ ଦିଆଯିବ। ପାରମ୍ପରିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ସାଉଦି…

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri