ବଲାଙ୍ଗୀର,୩ା୯(ସୁନୀଲ ମହାନ୍ତି): ବଲାଙ୍ଗୀର ପୁଇଁତଳା ବ୍ଲକ କାର୍ଯ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ବ୍ଲକ ଜେଇ ବିଭୂତି ଭୂଷଣ ମହାନ୍ତି ନିଜ ଅଫିସ ଚ୍ୟାମ୍ବରରେ କାର୍ଯ୍ୟରତ ଥିବାବେଳେ ଏହି ସମୟରେ ଜଣେ ଠିକାଦାର ଆସି ଜେଇଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ପୁଇଁତଳା ଥାନାରେ ଅଭିଯୋଗ ହୋଇଛି । ଏନେଇ ବୁଧବାର ଜେଇ ଥାନାରେ ଏତଲା ଦେଇଛନ୍ତି।
ସୂଚନା ଅନୁଯାୟୀ, ପୁଇଁତଳା ବ୍ଲକ ଦଶପୁର ଗାଁରେ ଏକ ପହରୀ ମଣ୍ଡପ ନିର୍ମାଣ କାମ ଚାଲିଥିଲା। ମଣ୍ଡପ କାମର ବିଲ କରିବାକୁ ଜେଇ ଅଫିସ ଚ୍ୟାମ୍ବରକୁ ଆସି ବିଲ୍ ପାସ କରିବାକୁ ଠିକାଦାର ଜଣକ କହିଥିଲେ। ହେଲେ ଜେଇ ନିମ୍ନମାନର କାମ ହୋଇଥିବାରୁ ବିଲ୍ ହୋଇ ପାରିବ ନାହିଁ ବୋଲି କହିଥିଲେ। ଏ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ହଠାତ୍ ଠିକାଦାର ଜଣକ ଜେଇଙ୍କୁ ମାଡ଼ ମାରିଥିଲେ। ଏ ନେଇ ଜେଇ ବିଭୂତି ଭୂଷଣ ମହାନ୍ତି ପୁଇଁନ୍ତଲା ଥାନାରେ ଠିକାଦାର ପଞ୍ଚାନନ ଡାଙ୍ଗଙ୍କ ନାମରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ବ୍ଲକ କାର୍ଯ୍ୟାଳୟକୁ ଆସି ତଦନ୍ତ ଆରମ୍ଭ କରିଛି। ଏବେ ପୋଲିସ ଠିକାଦାର ପଞ୍ଚାନନଙ୍କୁ ଖୋଜୁଥିବା ବେଳେ ତଙ୍କ ମୋବାଇଲ ସୁଇଚ ଅଫ୍ କରିଦେଇଥିବା ଥାନାଧିକାରୀ ଅନିତା ପ୍ରଧାନ କହିଛନ୍ତି l