ଝାଟିଆ ବିଦ୍ୟୁତ୍‌ ଷ୍ଟ୍ରକଚର ଅଧୀନରେ ଉପଭୋକ୍ତା ହନ୍ତସନ୍ତ: ସମସ୍ୟା ସମାଧାନ ନ ହେଲେ ଅନଶନ

ଖଇରା,୨୮।୪(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବିଦ୍ୟୁତ୍‌ ଉପଖଣ୍ଡ ଝାଟିଆ ଷ୍ଟ୍ରକଚର ଅଧୀନ ୩ପଞ୍ଚାୟତର ଉପଭୋକ୍ତା କ୍ରମାଗତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକାରୀମାନଙ୍କୁ ଜଣାଇଲେ ମଧ୍ୟ କିଛି ଫଳ ମିଳୁନି। ଆଗକୁ ମାଟ୍ରିକ ପରୀକ୍ଷା ଥିବାବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଠିକ୍‌ ଭାବେ ହୋଇପାରୁନି। ପ୍ରତିବାଦରେ ୩ ପଞ୍ଚାୟତ ଶ୍ୟାମସୁନ୍ଦରପୁର, କୁରୁଣ୍ଟା ଓ ଅଚ୍ୟୁତିପୁର ଶତାଧିକ ଉପଭୋକ୍ତା ଷ୍ଟ୍ରକଚର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୮ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଧାରଣାରେ ବସିବେ ବୋଲି ବିଭୂତି ପତି, ସୁବଳ ଗିରି, ସାବିତ୍ରୀ ରାଉଳ, ବିଶ୍ବଭୂଷଣ ପ୍ରଧାନ, ଶ୍ରୀଧର ପତି, ମିତାଲି ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି। ଟାଟା ପାଓ୍ବାର ଦାୟିତ୍ୱ ନେବା ଦିନଠାରୁ ଦୈନିକ ୮ରୁ ୧୦ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି। ନିୟମିତ ବିଲ୍‌ ନେବାକୁ ନ ଆସି ୩ରୁ ୪ମାସ ଧରି ବକେୟା ରହିବା ପରେ ଜରିମାନା ସହ ଆଦାୟ କରାଯାଉଛି। ନୂତନ ସଂଯୋଗ ପାଇଁ ଅନ୍‌ଲାଇନରେ ଆବେଦନର ମାସକ ପରେ ମଧ୍ୟ ଏହା ଦିଆଯାଉନାହିଁ। ଏଣୁ ଉପଭୋକ୍ତାଙ୍କୁ ଏହା ଏକ ପ୍ରକାର ମାନସିକ ନିର୍ଯାତନା ବୋଲି ଉପଭୋକ୍ତାମାନେ କହିଛନ୍ତି।