କେନ୍ଦୁଝର,୩୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ସରକାରୀ ବାଳିକା ବିଦ୍ୟାଳୟ ସମ୍ମୁଖରେ ଭେଣ୍ଡିଂ ଜୋନ୍ କରିବା ପାଇଁ କାମ ଆରମ୍ଭ ହୋଇଛି। ଫଳରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। କିଛି ମାସ ତଳେ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟ ସମ୍ମୁଖରେ ଦୋକାନ, ପାର୍କିଂକୁ ନେଇ ବିଦ୍ୟାଳୟ ପକ୍ଷରୁ ଟାଉନ ଥାନା ଅଧିକାରୀଙ୍କୁ ଚିଠି କରିଥିଲେ। ଏଭଳି ଅଭିଯୋଗିକୁ ନେଇ ଉଠା ଦୋକାନ ଓ ପାର୍କିଂ ବନ୍ଦ କରାଯାଇଥିଲା। ଏବେ ସ୍ଥାୟୀ ଭେଣ୍ଡିଂ ଜୋନ୍ ନିର୍ମାଣ କରି ବିଦ୍ୟାଳୟର ପରିସରକୁ ଅଶାନ୍ତ ପରିବେଶ କରିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରାଯାଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏଠାରେ ବିଶେଷ କରି ଛାତ୍ରୀମାନେ ପଡ଼ୁଥିବା ବେଳେ ହଷ୍ଟେଲରେ ରହୁଛନ୍ତି। ଏଣୁ ଏଠାରେ ଭେଣ୍ଡି ଜୋନ୍ ହେଲେ ଶୃଙ୍ଖଳା ଭଙ୍ଗ ହେବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବ ବୋଲି ବରିଷ୍ଠ ଆଇନଜୀବୀ ସନ୍ତୋଷ ସାହୁ କହିଛନ୍ତି। ନିକଟରେ ବହୁ ଅର୍ଥ ଖର୍ଚ୍ଚ କରି ରାସ୍ତା କଡ଼ର ବିକାଶ ହୋଇଥିଲା। ବାହାର ଜବର ଦଖଲ ଉଚ୍ଛେଦ କରାଯାଇଥିଲା। କିନ୍ତୁ ଏବେ ପ୍ରଶାସନ କିପରି ଏଠାରେ ଭେଣ୍ଡିଂ ଜୋନ କରି ଆଇନତଃ ଦୋକାନ ଖୋଲିବାକୁ ଉଦ୍ୟମ କରୁଛନ୍ତି ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।
ସରକାରୀ ବାଳିକା ସ୍କୁଲ କାନ୍ଥକୁ ଲାଗି ଭେଣ୍ଡିଂ ଜୋନ୍ କରି ବାହାର ଫଳ ଦୋକାନୀଙ୍କୁ ଥଇଥାନ କରିବାକୁ ଏଭଳି ପଦକ୍ଷେପ ଅତ୍ୟନ୍ତ ନିନ୍ଦନୀୟ। ଏଣୁ ଏହାର ବିଚାର କରି ପଦକ୍ଷେପ ନିଆଯାଉ, ନଚେତ୍ ପିଲାଙ୍କ ପାଠପଢ଼ା ବ୍ୟାହତ ହେବ ବୋଲି କହିଛନ୍ତି ସ୍ଥାନୀୟ ସାମାଜିକ କର୍ମୀ ଦିଲୀପ କୁମାର ସାହୁ। ଥାନା ଛକ ନିକଟରେ ବହୁ ବେଆଇନ ଗୃହ ନିର୍ମାଣ, ରାସ୍ତା ଅବରୋଧ ଓ ସରକାରୀ ଜମି ଜବରଦଖଲ ଭଳି ଅଭିଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏବଂ ଉଚ୍ଛେଦ କରିବାରେ ବିଫଳ ପ୍ରଶାସନ ଏଭଳି ସ୍ଥାନରେ ଭେଣ୍ଡି ଜୋନ ନିର୍ମାଣ ପରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ବରିଷ୍ଠ ଆଇନଜୀବୀ ଅଶୋକ ଦାସ କହିଛନ୍ତି।