ଭୁବନେଶ୍ୱର, ୪ା୨(ସୁନିତ୍ ମିଶ୍ର): ଅନୁସୂଚିତ ଜାତି ଓ ଉପଜାତି, ଗରିବ ମହିଳାଙ୍କ ଉପରେ ଗତ ୧୦ ବର୍ଷ ହେଲା ଭାରତରେ ଯେଉଁଭଳି ଅତ୍ୟାଚାର ହୋଇଚାଲିଛି ସେହିସବୁ ବିଷୟ ଲୋକଙ୍କ ଆଗରେ ରଖିବାକୁ କଂଗ୍ରେସ ସବୁବେଳେ ଚେଷ୍ଟା କରିଆସିଛି ବୋଲି ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି। ଦିଲ୍ଲୀଠାରେ ସୋମବାର ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି,
ଦେଶରେ ଥିବା ମୁଖ୍ୟ ଗଣମାଧ୍ୟମଗୁଡିକ ଏହି କଥାକୁ ଆଗକୁ ଆଣିବେ ବୋଲି ବିଶ୍ୱାସ ରଖାଯାଇଛି। ସେ କହିଛନ୍ତି, ଓଡିଶାରେ ଗତ ୭ ମାସ ହେଲା ଜଙ୍ଗଲରାଜ ଆରମ୍ଭ ହୋଇଛି। ଭାଜପା ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଏକ ଉତ୍ସବରେ କହୁଛନ୍ତି ଆଦିବାସୀ ଝିଅମାନେ ସଫାସୁତୁରା ନୁହନ୍ତି। ସେଥିଲାଗି ସେ ଅନ୍ୟ ଜିଲା ଯାଇ ବାହା ହେଲେ। ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ବିରୋଧରେ ଯେଉଁ ଭାଷା ପ୍ରୟୋଗ କଲେ ଏହା କେବଳ ଆର୍ଏସ୍ଏସ୍ ଛାତ୍ର ହିଁ କହିପାରିବେ। ମୋହନ ମାଝୀ ହେଉଛନ୍ତି ସେହି ବିଦ୍ୟାଳୟର ଛାତ୍ର। ଏହା କେତେ କ୍ଷତିକାରକ ବିଚାରଧାରା। ଜଣେ ମୁଖ୍ୟମନ୍ତ୍ରୀ ନିଜ ଜାତିର ମହିଳାଙ୍କ ପ୍ରତି ଯେଉଁ ଭାଷା ପ୍ରୟୋଗ କରୁଛନ୍ତି, ଭାଜପା ଓ ଆରଏସ୍ଏସ୍ ଗ୍ରାଜୁଏଟ କରିପାରିବେ। ବାଲେଶ୍ୱର ଜିଲାରେ ବଡ଼ଦିନ ପାଳନ ସମୟରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧିକି ମାରିଲେ। ଯଦି ଏହି ଘଟଣା ବାଲେଶ୍ୱରରେ ହୋଇପାରୁଛି ଆଗକୁ ଭୁବନେଶ୍ୱର ଏବଂ ପରେ ଦିଲ୍ଲୀରେ ଏମିତି ହୋଇପାରିବ ବୋଲି ଅଜୟ କହିଛନ୍ତି।
ପୁଣି କହିଛନ୍ତି, ଗତ ନିର୍ବାଚନ ପ୍ରଚାର ସମୟରେ ଓଡିଶା ଲୋକଙ୍କୁ ସୂଚାଇ ଦିଆଯାଇଥିଲା ଭାଜପା ସରକାରକୁ ଆସିଲେ କୌଣସି ଜିନିଷ ସୁରକ୍ଷିତ ରହିବ ନାହିଁ। ସେହି କଥା ଏବେ ସତ୍ୟ ପ୍ରମାଣିତ ହେଉଛି। ଗତ ୭ ମାସ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ମହିଳା ଗଣବଳାତ୍କାରର ଶିକାର ହୋଇଛନ୍ତି। ଭରତପୁର ଥାନାରେ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଜଣେ ପୋଲିସ୍ ଅଧିକାରୀ ପ୍ରବଳ ମାଡ଼ମାରି ନିର୍ଯାତନା ଦେଲେ ବୋଲି ସେ କହିଛନ୍ତି।
କୋରାପୁଟ ଏମ୍ପି ସପ୍ତଗିରି ଉଲାକା କହିଛନ୍ତି, ଭାଜପା ସରକାର ଚାହୁଁଛନ୍ତି ରାଜ୍ୟରେ ଆର୍ଏସ୍ଏସ୍ ଏଜେଣ୍ଡା ଚାଲୁ। ଭାଜପାର ଉଦ୍ଦେଶ୍ୟ ହେଉଛି ଏଠି ଆଦିବାସୀ ଚେହେରାକୁ ଶୀର୍ଷ ସ୍ଥାନରେ ବସାଇ ଏହି ଜାତିକୁ ନିର୍ଯାତନା ଦେବ। ଆର୍ଏସ୍ଏସ୍ ସବୁବେଳେ ଆଦିବାସୀଙ୍କୁ ବନବାସୀ ବୋଲି କହିଆସଛି। ଓଡ଼ିଶା ଖଣିଜ ସମ୍ପଦରେ ପରିପୂର୍ଣ୍ଣ। ଆଦିବାସୀଙ୍କୁ ବନବାସୀ କହିକି ଖଣିଜ ସମ୍ପଦ କିଭଳି ଲୁଟିବେ ସରକାର ତା’ର ଯୋଜନା କରୁଛନ୍ତି । ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ୧୨୨ ଆଦିବାସୀ ଗାଁ ବୁଡ଼ିଯିବ। ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ସେମାନେ କିଛି କହୁନାହାନ୍ତି। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଥିବା ସତ୍ତ୍ୱେ ସେମାନେ ସମାଧାନ କରୁନାହାନ୍ତି। ଆଦିବାସୀଙ୍କ ହିତ ଲାଗି ମୁଖ୍ୟମନ୍ତ୍ରୀ କହିବା ଆରମ୍ଭ କରନ୍ତୁ। ସେମାନେ ଓଡିଶା ଲୋକଙ୍କ ସମ୍ପତ୍ତି ଲୁଟିକି ଯାହା ପୁଞ୍ଜିପତିଙ୍କୁ ଦେବାକୁ ଚାହୁଁଛନ୍ତି ତାହା ହେବାକୁ ଦେବୁ ନାହିଁ ବୋଲି ଉଲାକା କହିଛନ୍ତି।