ଭୁବନେଶ୍ୱର,୧୮।୨(ସୁନିତ୍ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ ସବୁ ଦଳର ପ୍ରାୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବିରୋଧୀ ସଦସ୍ୟମାନଙ୍କ ଭିତରେ ସମନ୍ବୟର ଘୋର ଅଭାବ ରହୁଥିବା ଲକ୍ଷ୍ୟ କରାଯାଉଛି। ସ୍ଥିତି ମୁତାବକ ଯେତେବେଳେ ଶାସକ ଦଳ ବିରୋଧରେ ନିଷ୍ପତ୍ତି ନେବାକୁ ପଡ଼ୁଛି ସେହି ସମୟରେ ସମନ୍ବୟର ଅଭାବ ବିରୋଧୀ ଦଳ ଭିତର ଫାଟକୁ ପଦାରେ ପକାଇ ଦେଉଛି। ଗୃହକାର୍ଯ୍ୟ ଆରମ୍ଭ ଦିନ ଏପରି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ବିଜେଡି ନେତାଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟିହେବାରୁ ବିରୋଧୀ ଆସନର ଲାଭ ଏକ ପ୍ରକାର କଂଗ୍ରେସକୁ ଚାଲିଯାଇଛି।
ଅଭିଭାଷଣ ଚାଲିଥିବା ବେଳେ ବିରୋଧୀ ଦଳର କେତେଜଣ ସଦସ୍ୟ କକ୍ଷତ୍ୟାଗ ନେଇ ଆଲୋଚନା ଆରମ୍ଭ କରିଦେଲେ। ରାଜ୍ୟପାଳଙ୍କ ଭାଷଣରେ କିଛି ନୂଆ ନାହିଁ, ସବୁ ପୁରୁଣା କଥା ବୋଲି କେତେଜଣ ବିଜେଡି ବିଧାୟକ ଅଭିଯୋଗ କରି କକ୍ଷତ୍ୟାଗ କରିବା ପାଇଁ ସେଠାରେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମତାମତ ଲୋଡ଼ିବାକୁ ଚାହିଁଲେ। ହେଲେ ନବୀନ କିଛି ପ୍ରତିକ୍ରିୟା ଦେଉ ନ ଥାଆନ୍ତି। ସେତେବେଳକୁ ବିଜେଡିର କେତେଜଣ ବରିଷ୍ଠ ବିଧାୟକ ରାଗି ପଞ୍ଚମ ହୋଇସାରିଲେଣି। ଯାହା ଲକ୍ଷ୍ୟ କରାଯାଉଥିଲା, ବରିଷ୍ଠ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଜେଡି ସଦସ୍ୟ ନିରଞ୍ଜନ ପୂଜାରୀଙ୍କ ସହ କିଛି ଆଲୋଚନା କଲେ। ହେଲେ କକ୍ଷତ୍ୟାଗ ନେଇ ଦଳର କୌଣସି ନିଷ୍ପତ୍ତି ନ ହେବା ଦ୍ୱାରା ରଣେନ୍ଦ୍ର ଯେପରି ବିରକ୍ତ ହେଉଥାଆନ୍ତି ସେମିତି କିଛି ଲକ୍ଷ୍ୟ କରାଯାଉଥାଏ। ଏହି ସମୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବୋଧହୁଏ ବିଜେଡିର ଆଲୋଚନା ସମ୍ପର୍କରେ ଜାଣିପାରିଲେ। ସଙ୍ଗେସଙ୍ଗେ କାଡାମ ରାଜ୍ୟପାଳଙ୍କ ଭାଷଣରେ କିଛି ନୂଆ ନାହିଁ, ଅନେକ ପ୍ରସଙ୍ଗରେ ଏଠାରେ କିଛି କୁହାଯାଉନାହିଁ ଅଭିଯୋଗକରି କଂଗ୍ରେସ କକ୍ଷତ୍ୟାଗ କରିବାକୁ ନିଷ୍ପତ୍ତି ନେଇଗଲା। ଏହାପରେ ରଣେନ୍ଦ୍ର ଆହୁରି ରାଗିଯାଇ ଏକୁଟିଆ କକ୍ଷତ୍ୟାଗ କଲେ। ଫଳରେ ବିଜେଡି ଭିତରେ ଏହି ଯେଉଁ ସମନ୍ବୟର ଅଭାବ ରହିଛି ସେକଥା ଜଣାପଡିଯିବ ଭାବି ସଙ୍ଗେସଙ୍ଗେ ଦଳ କକ୍ଷତ୍ୟାଗ କରିବାକୁ ନିଷ୍ପତ୍ତି ନେଲା। ବିଜେଡିର ଏହି ଦ୍ୱନ୍ଦ୍ୱ କଂଗ୍ରେସକୁ ଲାଭ ଦେଲା ବୋଲି ବିଧାନସଭା ଭିତରେ ପ୍ରବଳ ଚର୍ଚ୍ଚା ହେଲା। କଂଗ୍ରେସକୁ ଦେଖି ବିଜେଡି ନିଷ୍ପତ୍ତି ନେଲା ବୋଲି ସବୁଆଡ଼େ ଆଲୋଚନା ଚାଲିଲା।
ବିଜେଡି ବିଧାୟକ ଦଳ ବୈଠକରେ ଧାନ ପ୍ରସଙ୍ଗରେ ଗୃହ ଚଲାଇ ନ ଦେବା ପାଇଁ ଯେଉଁ ନିଷ୍ପତ୍ତି ହୋଇଛି ତାକୁ ନେଇ ମଧ୍ୟ ଧୀରେଧୀରେ ଦଳ ଭିତରେ ଅସନ୍ତୋଷ ଉଗ୍ରରୂପ ନେବ ବୋଲି ଜଣାପଡୁଛି। କାରଣ କେତେଜଣ ବିଧାୟକ ଏହାକୁ ବିରୋଧ କରିବା ସହ ଯଦି ତାଙ୍କ ଦଳର ସଦସ୍ୟ ହୋହଲ୍ଲା କରି କକ୍ଷତ୍ୟାଗ କରନ୍ତି ତେବେ ସେମାନେ ଆଲୋଚନାରେ ଭାଗ ନେବେ ବୋଲି ଚୂଡ଼ାନ୍ତ କରିଛନ୍ତି; ଯାହା ବିଜେଡି ନେତୃତ୍ୱକୁ ଆଗକୁ ଦ୍ୱନ୍ଦ୍ୱରେ ପକାଇବ ବୋଲି କୁହାଯାଉଛି। ଯେଉଁ କେତେଜଣ ବିଜେଡି ନେତା ଗୃହ ଚଲାଇ ନ ଦେବା ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ସେମାନଙ୍କ କହିବା କଥା, ଯଦି ଗୃହରେ ଆଲୋଚନା ନ ହେବ ତେବେ ଏହାର ଲାଭ ତ ଶାସକ ଦଳକୁ ଯିବ। ଦଳର ଜଣେ ସାଧାରଣ ସମ୍ପାଦକ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ବିଜେଡି ଗୃହ ଚଳାଇ ନ ଦେବା ପଛର କାରଣ କେବଳ ରାଜ୍ୟ ସଭା ନିର୍ବାଚନ। ଏହାଦ୍ୱାରା ୨ଟି କଥା ଆଲୋଚନା ହେବ। ବିଜେଡି ଏବେ ବିରୋଧୀ ଦଳ ଭୂମିକା ଭଲରେ ତୁଲାଉଛି। ଏହି ବାହାନାରେ ଶାସକ ଦଳ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ସହଜରେ ପାରିତ କରାଇବା ସଙ୍ଗେସଙ୍ଗେ ବିଜେଡି ସହ ସେମାନଙ୍କ ସମ୍ପର୍କ ନେଇ ଯେଉଁ ଆଲୋଚନା ହେଉଛି ସେହି ଦୋଷ କଂଗ୍ରେସ ମୁଣ୍ଡରେ ଲଦିହେବ।