ରାଜଧାନୀରେ କଂଗ୍ରେସର ଗର୍ଜନ: ଭୁବନେଶ୍ୱରକୁ ମାଡ଼ି ଆସିଲେ…

ଭୁବନେଶ୍ୱର,୧୭।୭: ସୌମ୍ୟାଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶା ସହ ଜାତୀୟ ରାଜନୀତି ସରଗରମ ରହିଛି। ଘଟଣାକୁ ନେଇ କଂଗ୍ରେସ ଆଜି ଓଡ଼ିଶାରେ ବଡ଼ ବନ୍ଦ ଡାକରା ଦେଇଛି। ତେବେ ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ କରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଖ ଚକ ଜାମ କରିଛନ୍ତି କଂଗ୍ରେସ କର୍ମୀ । ବାଲେଶ୍ବର ଏଫଏମ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ତେବେ ଏହାରି ମଧ୍ୟରେ ଭୁବନେଶ୍ୱରରେ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି ।

ବନ୍ଦ ପାଇଁ ଭୁବନେଶ୍ୱରରେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି।
ବନ୍ଦ ଯୋଗୁଁ ବିଶେଷ କରି ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁର ଆଦି ସହରରେ ଜନଜୀବନ ପ୍ରଭାବିତ ହୋଇଛି। କୋଲକାତା-ଚେନ୍ନାଇ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବାରୁ ଶହଶହ ଟ୍ରକ ଏବଂ ଅନ୍ୟାନ୍ୟ ଯାନବାହାନ ଅଟକି ରହିଥିଲା। ବସ ଓ ଅନ୍ୟାନ୍ୟ ସାର୍ବଜନିକ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ରେଳ ସେବାରେ ମଧ୍ୟ ବିଳମ୍ବ ଦେଖାଦେଇଥିଲା, ଯଦିଓ ଜରୁରୀକାଳୀନ ସେବା ଯଥା ହସ୍ପିଟାଲ, ଆମ୍ବୁଲାନ୍ସ ଏବଂ ଔଷଧ ଦୋକାନଗୁଡ଼ିକ ବନ୍ଦରୁ ମୁକ୍ତ ରହିଥିଲା। ବସ୍‌ ଚାଲୁ ନ ଥିବାରୁ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଖାଁ ଖାଁ। ଯାନବାହନ ଯାତାୟାତ କରୁ ନ ଥିବାରୁ ଭୁବନେଶ୍ୱର ଜାତୀୟ ରାଜପଥରେ ୨ କିମି ଯାଏ ଗାଡି ଅଟକି ରହିଛି।

ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, “ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଉଛି ଏବଂ ଆମେ ରାଜ୍ୟରେ ମହିଳାଙ୍କ ନିରାପତ୍ତା ପାଇଁ ନ୍ୟାୟ ଦାବି କରୁଛୁ।” ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି, ଯାହା ତାଙ୍କୁ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା।

Share