ଟିପିଡବ୍ଲୁଓଡିଏଲ୍‌ର ଗ୍ରାହକ ମାରଣ ନୀତିର ପ୍ରତିବାଦ, କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାରକୋଟ,୩୦|୧୨(ଶଶାଙ୍କ ଶେଖର ଝାଙ୍କର): ଟିପିଡବ୍ଲୁଓଡିଏଲ୍ (ବିଦ୍ୟୁତ ବିଭାଗ)ର ଗ୍ରାହକ ମାରଣ ନୀତିର ତୀବ୍ର ବିରୋଧ କରି ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଦେବଗଡ ସ୍ଥିତ ଟିପିଡବ୍ଲୁଓଡିଏଲ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ୬ ଦଫା ଦାବୀ ସମ୍ବଳିତ ଏକ ଦାବି ପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଦେବଗଡ ଜିଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀ ଦେବଗଡ ସ୍ଥିତ ଟିପିଡବ୍ଲୁଓଡିଏଲ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚି ଟିପିଡବ୍ଲୁଓଡିଏଲର ମନୋମୁଖି କାର୍ଯ୍ୟର ଦୃଢ ବିରୋଧ କରିବାସହ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସେହିପରି ବିଭାଗ ପକ୍ଷରୁ ଗ୍ରାହକ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ଅତିରିକ୍ତ ସ୍ଥାୟୀ ଜମାରାଶି ନିଷ୍ପତିକୁ ପ୍ରତ୍ୟାହାର କରିବା, ଦେବଗଡ ଜିଲାରେ ସ୍ମାର୍ଟ ବିଦ୍ୟୂତ ମିଟର ନଲଗାଇବା, ୱେସକୋ ସମୟରୁ ରହିଆସିଥିବା ଗ୍ରାହକମାନଙ୍କ ବକେୟା ଦେୟ ଛାଡ କରାଯିବା, ଅକାରଣରେ ଏନଫୋର୍ସମେଂଟ ନାମରେ ଗ୍ରାହକଙ୍କୁ ଲକ୍ଷଲକ୍ଷ ଟଙ୍କାର ଜୋରିମାନା ବନ୍ଦ କରିବା, ବିଲ ଏବଂ ଏରିଅର୍ ନାମରେ ଗ୍ରାହକମାନଙ୍କର ବିଜୁଳି ସଂଯୋଗ ବିଛିନ୍ନ ନକରିବା ଓ ବିଜୁଳି ନଥିବା ଗ୍ରାମ ଗୁଡିକରେ ବିଦ୍ୟୁତ ସଂଯୋଗ କରିବା ଆଦି ଦାବିରେ ଟିପିଡବ୍ଲୁଓଡିଏଲ୍ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ସମୟରେ ବିଦ୍ୟୁତ ବିଭାଗ ଦ୍ୱାରା ପ୍ରଭାବିତ ଏବଂ ନିର୍ଯ୍ୟାତିତ ହୋଇଥିବା ବହୁ ଗ୍ରାହକ ମଧ୍ୟ ସାମିଲ ହୋଇଥିଲେ ।

 

Dharitri – Odisha’s No.1 Odia Daily