ବରଗଡ଼ରେ କଂଗ୍ରେସର ଚାଷୀ ସମାବେଶ: ଧାନବିକ୍ରି ଅବ୍ୟବସ୍ଥା ନେଇ ସରକାରଙ୍କ ବିରୋଧରେ ଗର୍ଜିଲେ…

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ):  ରାଜ୍ୟରେ ଖରିଫ୍ ଧାନବିକ୍ରି ବ୍ୟବସ୍ଥା ବାଟବଣା ହୋଇ ପଡିଛି। ଟୋକନ କଟକଣା, ଧାନ ଉଠାଣରେ ଶିଥିଳତା, କଟନୀଛଟନୀ ଆଦି ସମସ୍ୟା ଯୋଗୁ ଅନେକ ଚାଷୀ ଏପର୍ଯ୍ୟନ୍ତ ଖରିଫ ଧାନ ବିକ୍ରି କରି ପାରି ନାହିଁ। ଅନ୍ୟପଟେ ରବି ଚାଷକାର୍ଯ୍ୟ ସମୟ ଗଡି ଚାଲିଥିବାବେଳେ ଖରିଫ୍ ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ସରି ବସିଛି। ବରଗଡ଼ ଜିଲାରେ ମଧ୍ୟ ଏହି ସମସ୍ୟା ଲାଗି ରହିଥିବା ବେଳେ ଚାଷୀ ଅସନ୍ତୋଷ ବଢିଚାଲିଛି। ଏଭଳି ସମସ୍ୟାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ରାଜ୍ୟ ସରକାରଙ୍କୁ ଘେରି ବସିଛି। ବିଜେଡ଼ି ଜିଲାର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଚାଷୀ ସମାବେଶ କରି ଆସୁଥିବା ବେଳେ ମଙ୍ଗଳବାର କଂଗ୍ରେସ ବରଗଡ଼ ସଦର ମହକୁମାରେ ବିଶାଳ ଚାଷୀ ସମାବେଶ କରିଛି। ଜିଲା କିସାନ କଂଗ୍ରେସ ତରଫରୁ ହୋଇଥିବା  ଏହି ସମାବେଶ ପରିପ୍ରେକ୍ଷୀରେ ସ୍ଥାନୀୟ ନଦୀ ପଡାରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା। ଜିଲାପାଳ କାର୍ଯ୍ୟାଳୟ ନିକଟ ଗାନ୍ଧିଛକରେ ଧାନବିକ୍ରି ଅବ୍ୟବସ୍ଥା ନେଇ ଏକ ପ୍ରତିବାଦ ସଭା ହୋଇଛି । ଏଥିରେ ଓଡିଶା କଂଗ୍ରେସ ପ୍ରଭାରୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ ଲଲ୍ଲୁ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ , ପ୍ରଦେଶ କିସାନ ସେଲ ସଭାପତି ଅଭୟ ସାହୁ ପ୍ରମୁଖ ଯୋଗଦାନ କରି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ପରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି।

Dharitri – Odisha’s No.1 Odia Daily