ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି ବୋଲି କଂଗ୍ରେସ ପକ୍ଷରୁ ଖବରଦାତା ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଜିଲା କଂଗେସ କାର୍ଯ୍ୟାଳୟରେ ଶୁକ୍ରବାର ଆୟୋଜିତ ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି ଏପରି ବଡ଼ ଧରଣର ଦୁର୍ନୀତି ପୂର୍ବ ବିଜେଡି ସରକାର ଅମଳରେ ଚାଲିଆସୁଥିବା ବେଳେ ବର୍ତ୍ତମାନ ଭାଜପା ସରକାର ସମୟରେ ଚାଲିଛି ବୋଲି କହିଛନ୍ତି। ଜିଲାର ବଡ଼ ବଡ଼ ନେତା, ବିଭାଗୀୟ ଉଚ୍ଚ ପଦାଧିକାରୀ ଏବଂ ସମ୍ପୃକ୍ତ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଟେଣ୍ଡର ନ କରି ବିଭିନ୍ନ ବ୍ଲକର ବିଡିଓମାନଙ୍କ ମାଧ୍ୟମରେ ନିମ୍ନମାନର କାର୍ଯ୍ୟ କରାଯାଇ ବ୍ୟାପକ ଅର୍ଥ ହରିଲୁଟ୍‌ ହୋଇଛି। ଯେଉଁ ମାନର ଲାଇଟ୍‌ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ତାହା ଠାରୁ ନିମ୍ନମାନର ଲାଇଟ ଲଗାଯାଇ ଏ ବାବଦ ଅର୍ଥ ହଡ଼ପ କରାଯାଇଛି। ଏଥି ସହିତ ସ୍କୁଲରେ ପଢୁଥିବା ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟି ଦିଆ ନ ଯାଇ ନିମ୍ନମାନର ଲାଇଟ୍‌ ଓ ଆନୁସଙ୍ଗିକ ଜିନିଷ ବ୍ୟବହାର ହୋଇଥିବାରୁ ଏଥି ନେଇ ସିପିଡବ୍ଲ୍ୟୁଡ଼ି ଦ୍ୱାରା ମାନ ଯାଞ୍ଚ କରାଯାଇ ସିବିଆଇ ତଦନ୍ତ କରାଗଲେ ବହୁ ଦୁର୍ନୀତି ପଦାକୁ ଆସିପାରିବ ବୋଲି ସମ୍ମିଳନୀରେ ସଭାପତି ମହାନ୍ତି ସୂଚନା ଦେଇଛନ୍ତି।

୭ଟି ଓଡ଼ିଆ ଆଦର୍ଶ ବିଦ୍ୟାଳୟ, ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ଓ ଗୋଟିଏ ଜବାହର ନବୋଦୟ ବିଦ୍ୟାଳୟରେ ହାଇମାଷ୍ଟ ଲାଇଟ୍‌ ଲଗାଯିବା କାମ ବିଡିଓଙ୍କ ମାଧ୍ୟମରେ କାର୍ଯ୍ୟକାରା ଯାଇଛି l ବିଭିନ୍ନ ବ୍ଲକ ପକ୍ଷରୁ କରାଯାଇଥିବା କାମରେ ୬୦ ଓ୍ବାଟ୍‌ ଏଆଇଓ ସୋଲାର ଲାଇଟ ଲଗାଯାଇଛି। ଏଥି ସହିତ କମ ରେଟିଂର ସୋଲାର ପ୍ୟାନେଲ ଲଗାଯାଇଛି। ଅନିୟମିତତାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଆଗାମୀ ଦିନରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବା ସଙ୍ଗେ ସଙ୍ଗେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଜିଲା ସଭାପତି ନଳିନୀ ମହାନ୍ତି ଧମକ ଦେଇଛନ୍ତି l ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଟାଉନ ସଭାପତି ଅବଦୁଲ ମୋକିତ ଖାଁ, ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା, ବ୍ଲକ ସଭାପତି ପୀତବାସ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily