ବସ୍‌ରେ ଦିବ୍ୟାଙ୍ଗ ନାବାଳିକାଙ୍କୁ କଣ୍ଡକ୍ଟରଙ୍କ ଦୁର୍ବ୍ୟବହାର, ବସ୍‌ ମାଲିକଙ୍କୁ ନୋଟିସ୍‌

କେନ୍ଦୁଝର,୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ଦିବ୍ୟାଙ୍ଗ ନାବାଳିକା ତାଙ୍କ ମା’ଙ୍କ ସହିତ ଚିକିତ୍ସା ପାଇଁ ଭୁବନେଶ୍ବରକୁ ଯାଉଥିବା ବେଳେ ସେମାନଙ୍କୁ ଏକ ବସ୍‌ର କଣ୍ଡକ୍ଟର ଦୁର୍ବ୍ୟବହାର କରିବା ସହ ଓ ସରକାରୀ ପାସ୍‌କୁ ବେଖାତିର କରିବା ଘଟଣାକୁ ନେଇ ପ୍ରୀତିପ୍ରଜ୍ଞାଙ୍କ ବାପା ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖତ ଅଭିଯୋଗ କରିବା ପରେ ଆର୍‌ଟିଓ କେନ୍ଦୁଝର ମାନସ ରଞ୍ଜନ ସାହୁ ବସ୍‌ ମାଲିକ ବିକ୍ରମକେଶରୀ ଜେନା, ବସ୍‌ କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ଆସନ୍ତା ପାଞ୍ଚ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଆଦେଶ କରି ନୋଟିସ ପଠାଇଛନ୍ତି।

ଅଭିଯୋଗ ଅନୁଯାୟୀ, ବସର କଣ୍ଡକ୍ଟର ସରକାରଙ୍କ ପକ୍ଷରୁ ମିଳିଥିବା ବସ୍‌ ରିହାତି ପାସ୍‌କୁ ଅମାନ୍ୟ କରି ନାବାଳିକା ଦିବ୍ୟାଙ୍ଗ ପ୍ରୀତିପ୍ରଜ୍ଞା ଓ ତାଙ୍କ ମାଆ ଚିକିତ୍ସା ପାଇଁ ଭୁବନେଶ୍ବର ଯିବା ସମୟରେ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହିତ କଟକରେ ବସ୍‌ରୁ ଓହ୍ଲାଇ ଦେବା ପାଇଁ ଧମକ ଦେଇଥିଲେ ଏବଂ ସମ୍ପୂର୍ଣ୍ଣ ଭଡ଼ା ନେଇଥିଲେ। ପୂର୍ବରୁ ଜିଲାର ଓ ବାହାର ଅନେକ ବେସରକାରୀ ବସ୍‌ କର୍ମଚାରୀ ସରକାରଙ୍କ ଦ୍ବାରା ପ୍ରଦତ୍ତ ଏହି ପାସ୍‌କୁ ମାନୁ ନ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପଦକ୍ଷେପ ନିଆ ଯାଉ ନ ଥିବାରୁ ଆନନ୍ଦପୁର ଅଞ୍ଚଳର ରତିକାନ୍ତ କାନ୍ତ ସାହୁ ଏ ନେଇ ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରଦର୍ଶନ କରାଯାଇଛି। ଅଭିଯୋଗ ପରେ ଆରଟିଓ ଅଭିଯୋଗ ତ୍ୱରିତ ବିଚାର ପଶି ପଦକ୍ଷେପ ନେଇଥିବା ବେଳେ ଜିଲାର ଅନ୍ୟାନ୍ୟ ଦିବ୍ୟାଙ୍ଗ ସେମାନଙ୍କ ଚିକିତ୍ସା ପାଇଁ ଯିବା ଆସିବାରେ ବସ୍‌ରେ କିଭଳି ସୁବିଧା ପାଇ ପାରିବେ ସେ ନେଇ ପଦକ୍ଷେପ ନେବାକୁ ଦିବ୍ୟାଙ୍ଗ ପ୍ରୀତିପ୍ରଜ୍ଞାଙ୍କ ବାପା ଦାବି କରିଛନ୍ତି।

Dharitri – Odisha’s No.1 Odia Daily

 

Share