ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ଚିନ୍ତା:ଅପେକ୍ଷାରେ ୨୩, ଛାଡ଼ୁନାହାନ୍ତି ୯

ଭୁବନେଶ୍ୱର,୧୧।୩ (ରବିନାରାୟଣ ଜେନା):ରାଜ୍ୟରେ ଭାଜପା ସରକାରକୁ ପ୍ରାୟ ୯ ମାସ ବିତିବାକୁ ବସିଲାଣି। ହେଲେ ଏପର୍ଯ୍ୟନ୍ତ ସମସ୍ତ ୧୪୭ ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ମିଳିପାରି ନାହିଁ। କେଉଁଠି ପୂର୍ବତନ ବିଧାୟକ କିମ୍ବା ସ୍ବର୍ଗତ ବିଧାୟକଙ୍କ ନାଁରେ ସରକାରୀ ବାସବଭବନ ରହିଛି ତ ଆଉ କେଉଁଠି ଅବସରପ୍ରାପ୍ତ ପ୍ରଶାସକ କ୍ୱାର୍ଟର୍ସକୁ ନିଜ ଅକ୍ତିଆରରେ ରଖିଛନ୍ତି। ଏପର୍ଯ୍ୟନ୍ତ ୯ଜଣ ସରକାରୀ କ୍ୱାର୍ଟର୍ସ ଛାଡ଼ି ନ ଥିବାବେଳେ ୧୦ ବିଧାୟକ ସରକାରୀ କ୍ୱାର୍ଟର୍ସ ପାଇଁ ଆବେଦନ କରିଛନ୍ତି। ଏପରି କି ୬ ବିଧାୟକ କ୍ୱାର୍ଟର୍ସ ନିଜ ଦଖଲକୁ ନେଇ ପାରି ନାହାନ୍ତି। ଏହାବାଦ୍‌ ୭ ବିଧାୟକ ତାଙ୍କର କ୍ୱାର୍ଟର୍ସ ପରିବର୍ତ୍ତନ ପାଇଁ ସରକାରଙ୍କୁ ଆବେଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ ସୂଚନା ଦେଇଛନ୍ତି।
ସୋମବାର ମୁଖ୍ୟମନ୍ତ୍ରୀ ମାଝୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି ଯେ, ଯାଜପୁର ବିଧାୟିକା ସୁଜାତା ସାହୁ, ବିଧାୟକ ନରସିଂହ ଭତ୍ର, ନଳିନୀକାନ୍ତ ପ୍ରଧାନ, ସୁଧୀର ପାଟ୍ଟଯୋଶୀ, ରୂପେଶ କୁମାର ପାଣିଗ୍ରାହୀ, ସଞ୍ଜୀବ କୁମାର ମଲ୍ଲିକ, ଅରବିନ୍ଦ ମହାପାତ୍ର, ମାନସ କୁମାର ଦତ୍ତ, ରମେଶ ଚନ୍ଦ୍ର ଜେନା ଓ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ସରକାରୀ କ୍ୱାର୍ଟର୍ସ ପାଇଁ ଆବେଦନ କରି ରହିଛନ୍ତି। ସେହିପରି ବିଧାୟିକା ଉପାସନା ମହାପାତ୍ର, ବିଧାୟକ ରମେଶ ଚନ୍ଦ୍ର ବେହେରା, ଚକ୍ରମଣି କହଁର, ପଦ୍ମଚରଣ ହାଇବ୍ରୁରୁ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଓ ଓମ୍‌ ପ୍ରକାଶ ମିଶ୍ର ଏପର୍ଯ୍ୟନ୍ତ ଘର ପାଇ ପାରି ନାହାନ୍ତି। ପୂର୍ବରୁ କ୍ୱାର୍ଟର୍ସ ନେଇଥିବା ନେତା, ମନ୍ତ୍ରୀ ଓ ବିଧାୟକ ତାହା ଛାଡ଼ି ନ ଥିବାରୁ ସମ୍ପୃକ୍ତ ବିଧାୟିକା ଏବଂ ବିଧାୟକ ସରକାରୀ ବାସଭବନ ପାଇପାରିବାରୁ ବଞ୍ଚତ୍ତ ହୋଇଛନ୍ତି। ସରକାରୀ କ୍ୱାର୍ଟର୍ସ ପାଇ ନ ଥିବା ବିଧାୟିକାବିଧାୟକ ଏବେ ରାଜ୍ୟ ଅତିଥିଭବନ ଏବଂ ଅନ୍ୟସ୍ଥାନରେ ରହୁଛନ୍ତି। ଅନ୍ୟପକ୍ଷରେ ୭ ବିଧାୟକ ତାଙ୍କର ସରକାରୀ ବାସଭବନ ପରିବର୍ତ୍ତନ କରିବାକୁ ଚାହିଁଛନ୍ତି। ସେମାନଙ୍କ ମଧ୍ୟରେ ବିଧାୟକ ଦୁର୍ଗାଚରଣ ତନ୍ତ୍ରୀ, ନୀଳମଣି ବିଶୋଇ, ଛବି ମଲ୍ଲିକ, ସନାତନ ବିଜୁଳି, ସନତ ଗର୍ତିଆ, ମାନସ କୁମାର ଦତ୍ତ ଓ ଦୁଷ୍ମନ୍ତ କୁମାର ସ୍ବାଇଁ ରହିଛନ୍ତି। ଏପରିକି ୯ଜଣ ପୂର୍ବତନ ବିଧାୟକ, ସ୍ବର୍ଗତ ବିଧାୟକ ଓ ଅବସରପ୍ରାପ୍ତ ପ୍ରଶାସକ ଏପର୍ଯ୍ୟନ୍ତ ସରକାରୀ ବାସଭବନ ଛାଡ଼ିନାହାନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅମରପ୍ରସାଦ ଶତପଥୀ, ଜୟନ୍ତ କୁମାର ଷଡ଼ଙ୍ଗୀ, ପ୍ରଦୀପ୍ତ କୁମାର ନାୟକ, ରମେଶ ଚନ୍ଦ୍ର ସାଏ, ସାଲୁଗା ପ୍ରଧାନ, ଶଙ୍କର ଓରାମ, ସ୍ବର୍ଗତ ବେଦ ପ୍ରକାଶ ଅଗ୍ରଓ୍ବାଲ, ସ୍ବର୍ଗତ କିଶୋର କୁମାର ମହାନ୍ତି ଓ ଅବସରପ୍ରାପ୍ତ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଗୃହକୁ ଜଣାଇଛନ୍ତି।