ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ ଆସୁଥିବା ଅଭିଯୋଗ ପୁଣି ବାରମ୍ବାର ସେହି ସମାନ ଅଭିଯୋଗ ଆସୁଥିବା ଓ ଏଥିପାଇଁ ଅଭିଯୋଗ କରିବାକୁ ଆସୁଥିବା ଲୋକ ପ୍ରତିନିଧି, ଅଞ୍ଚଳବାସୀ ଏହି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ତାଜୁଙ୍ଗିଆ ପଞ୍ଚାୟତ ଅଞ୍ଚଳର ସିକରମାହାରେ ମୋବାଇଲ ନେଟ୍ଓ୍ବର୍କ ସମସ୍ୟା ଜାରି ରହିଛି। ସେହିପରି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପିଇବା ପାଣି ସମସ୍ୟା ସମ୍ପର୍କରେ ବାରମ୍ବାର ଏହି ମିଳିତ ଅଭିଯୋଗରେ ଅଭିଯୋଗ କରି ଫଳ ଶୂନ ବୋଲି ତାଜୁଙ୍ଗିଆ ସରପଞ୍ଚ ଅଭିଯୋଗ କରିଛନ୍ତି। ସେହିପରି ଗ୍ରୀନବାଡ଼ିରେ ଜଳ ସଙ୍କଟ ଗତ କିଛିଦିନ ହେଲା ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ରହିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ସରାମୁଳି ପଞ୍ଚାୟତରେ ହାଟପଦା ଜମି ଚି଼ହ୍ନଟ ସହ ଲକ୍ଷ୍ମୀବସ୍ ପାଇଁ ବସ୍ଷ୍ଟାଣ୍ଡ ନ ଥିବାରୁ ପଞ୍ଚାୟତ ହେଡ୍କ୍ୱାର୍ଟର୍ସରୁ ବସ ରାସ୍ତାରେ ଠିଆ ହେଉଥିବା ଅଭିଯୋଗ ଓ ସରକାରୀ ଜମି ଜବର ଦଖଲ ଭଳି ଅଭିଯୋଗ ନେଇ ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ମୁଠାମାଝି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ଲ୍ୟାମ୍ପସରେ ଉଚ୍ଚ ଦରରେ ସାର ବିକ୍ରି ଅଭିଯୋଗ ସହ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟି ଦୀର୍ଘ ବର୍ଷ ହେଲା ସମ୍ପ୍ରସାରଣ କରାଯାଇପାରିନି। ତାକୁ ସମ୍ପାସାରଣ କରାଯିବାକୁ ନିବେଦନ କରାଯାଇଛି।
ଖରା ପୂର୍ବରୁ ଏକାଧିକ ପଞ୍ଚାୟତ ଅଞ୍ଚଳରେ ଜଳସଙ୍କଟ, ମୋବାଇଲ ନେଟ୍ଓ୍ବର୍କ ସମସ୍ୟା, ରାସ୍ତା ସଂଯୋଗୀକରଣ କାର୍ଯ୍ୟ, ଏକାଧିକ ରୋଗୀଙ୍କ ଚିକିତ୍ସା ପାଇଁ ନିବେଦନ ସହ ଭତ୍ତା, ଆବାସ ଯୋଜନା ଭଳି ସମସ୍ୟାକୁ ନେଇ ଅଭିଯୋଗ ହୋଇଛି। ବ୍ରାହ୍ମଣୀଗାଁ ପଞ୍ଚାୟତରେ ମୋବାଇଲ ନେଟ୍ଓ୍ବର୍କ ସମସ୍ୟା ସହ ବିଭିନ୍ନ ସମସ୍ୟା ନେଇ ମାନବାଧିକାର କର୍ମୀ ବିକ୍ରମ ବସ୍ତରାୟ, ଅଭିଯୋଗ କରିଥିଲେ। ବଳଭଦ୍ର ମଲିକ ମଧ୍ୟ ମୋବାଇଲ ନେଟଓ୍ବର୍କ ସମେତ କିନାରୀଗାଁ, ଗଡ଼ମା ରାସ୍ତା ମରାମତି ପାଇଁ ଅଭିଯୋଗ କରିଥିଲେ। ବାଡାବାଙ୍ଗା ପଞ୍ଚାୟତ ସମେତ ପ୍ଳିହେରୀ ଆଦି ପଞ୍ଚାୟତର ସରପଞ୍ଚ ପ୍ରସନ୍ନ ପ୍ରଧାନ, ପାଉଲ ପ୍ରଧାନ ପ୍ରମୁଖ ତାଙ୍କ ପଞ୍ଚାୟତରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ।
ଖବର ଲେଖାହେବା ସୁଦ୍ଧା ଶତାଧିକ ଲୋକ ଅଭିଯୋଗ କରିବାକୁ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଜମାଇଛନ୍ତି ଓ ଜିଲାପାଳ ଅଭିଯୋଗ ଶୁଣାଣି ଜାରି ରଖିଛନ୍ତି। ଏହି ଅଭିଯୋଗ ଶୁଣାଣିବେଳେ କନ୍ଧମାଳ ସିଡିଓ ଶମ୍ବୁନାଥ ନନ୍ଦୀ, ବାକିଗୁଡ଼ା ଏସଡିପିଓ ଶୁଭମ୍ ଭୋସଲେ, ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ଅଧିକାରୀ, ବନ ଅଧିକାରୀ ଓ କର୍ମଚାରୀ, ଅବକାରୀ, ପୋଲିସ, କୃଷି, ଜଳ ଯୋଗାଣ, ଶିଶୁ ଓ ମହିଳା ବିକାଶ ଯୋଜନା ଆଦି ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।