ଝିଅ ଜନ୍ମ ପରେ ଦେଉଥିଲେ ଯୌତୁକ ନିର୍ଯାତନା, ବାପଘରକୁ ଯିବା ପରେ ଦ୍ୱିତୀୟ ବିବାହ: ଥାନାରେ ସ୍ତ୍ରୀ ଦେଲେ…

ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏନ୍‌.ପୁଷ୍ପା ରେଡ୍ଡୀଙ୍କୁ ତାଙ୍କ ସ୍ବାମୀ ଏନ୍‌. ସୂର୍ଯ୍ୟ ରେଡ୍ଡୀ ଏବଂ ଶାଶୁ, ଶ୍ବଶୁର, ନଣନ୍ଦ ଅଧିକ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପୁଷ୍ପା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାର ପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୧୦/୨୬ ଅନୁଯାୟୀ ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏସ୍‌ଆଇ ସୋଫିଆ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରାୟ ୧୦ ବର୍ଷ ପୂର୍ବେ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ପୁଷ୍ପା ବଜାପଲ୍ଲୀ ଗ୍ରାମର ଏନ୍‌. ବାଲାଜୀଙ୍କ ପୁଅ ସୂର୍ଯ୍ୟଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବି ପ୍ରକାରେ ୬୦ ହଜାର ଟଙ୍କା ,ବିଭିନ୍ନ ସୁନା ଗହଣା ଓ ଘରକରଣା ଆସବାବ ପତ୍ର ଦିଆଯାଇଥିଲା। ଉଭୟଙ୍କ ଔରସରୁ ଗୋଟିଏ ପୁତ୍ର ଓ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ। କନ୍ୟା ଜନ୍ମ ହେବା ପରେ ତାଙ୍କୁ ବାପ ଘରୁ ଅଧିକା ଯୌତୁକ ଆଣିବା ପାଇଁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ସେମାନେ ଜନ୍ମିତ କନ୍ୟାର ଉପଯୁକ୍ତ ଚିକିତ୍ସା ନ କରିବାରୁ ୧୭ ମାସ ପରେ କନ୍ୟା ସନ୍ତାନର ମୃତ୍ୟୁ ଘଟିଥିଲା। ପୁଷ୍ପା ୪୦ ହଜାର ଟଙ୍କା ଗ୍ରୁପ ଲୋନ ଆଣିଥିବା ବେଳେ ତାଙ୍କ ସ୍ବାମୀ ସମସ୍ତ ଟଙ୍କା ଛଡାଇ ନେଇଥିଲେ। ସ୍ବାମୀ ଓ ଶ୍ବଶୁର ଘର ଲୋକେ ତାଙ୍କୁ ଅକାରଣରେ ସଦାସର୍ବଦା ମାଡ଼ ମାରିବାରୁ ସେ ଝରିପଦର ଗ୍ରାମ ସ୍ଥିତ ବାପ ଘରକୁ ଚାଲିଆସିଥିଲେ। ଏହାର ସୁଯୋଗ ନେଇ ସ୍ବାମୀ ଗୋକର୍ଣ୍ଣପୁର ଗ୍ରାମର ଅନ୍ୟ ଜଣେ ଯୁବତୀ ସନ୍ତୋଷୀ ରେଡ୍ଡୀଙ୍କୁ ଦ୍ୱିତୀୟ ବିବାହ କରି ଘରେ ରଖିଥିବା ଏତଲାରେ ଉଲ୍ଲେଖ ରହିଛି।

Dharitri – Odisha’s No.1 Odia Daily