ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ, ସ୍ଥାନୀୟ ଖମାର ନାଳରେ ଦୂଷିତ କେମିକାଲ ପାଣି ଛାଡୁଥିବା ଓ ନିଷ୍କାସିତ ହେଉଥିବା ଗ୍ୟାସ ପୋଚକା ଗନ୍ଧ ଯୋଗୁ, ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଗତ ୨୨ ତାରିଖ ‘ଧରିତ୍ରୀ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ଅଞ୍ଚଳର ସାମାଜିକ କର୍ମୀ ଦିଲ୍ଲୀପ କୁମାର ଦାସ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ ଅଭିଯୋଗ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହି ସମସ୍ୟା ବିଷୟରେ ସେ ଟୁଇଟ କରିଛନ୍ତି। ଆଇପିଏଲ କିପରି ଲୋକଙ୍କ ଜୀବନ ସହ ଖେଳି ନାଳରେ ଦୁଷିତ ପାଣି ଛାଡୁଥିବା ଓ ଦୂଷିତ ବାଷ୍ପ ଯୋଗୁ ପରିବେଶ କିପରି ଦୂଷିତ ହେବା ସହ ଅଞ୍ଚଳରେ କିପରି ଶ୍ୱାସ ଜନିତ ସମସ୍ୟା ହେଉଛି ତାହା ଉପରେ ସେ ଅଭିଯୋଗରେ ଦର୍ଶାଇଛନ୍ତି।


