ପୁରୀ,୩୦ା୧୧: ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ଶୁଭଙ୍କର ମିଶ୍ର ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଅବିବାହିତ ପ୍ରେମୀ ଯୁଗଳଙ୍କ ଆଗମନ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ପୁରୀର ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି। ଶ୍ରୀମନ୍ଦିରର ଜଣେ ସେବାୟତ ଗୌରାହରି ପ୍ରଧାନ ସିଂହଦ୍ୱାର ଥାନାରେ ଏହି ଅଭିଯୋଗ ଦାଖଲ କରି ତୁରନ୍ତ ଶୁଭଙ୍କର ମିଶ୍ରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
ସେବାୟତ ପ୍ରଧାନ କହିଛନ୍ତି, “ଶୁଭଙ୍କର ମିଶ୍ର ଶ୍ରୀମନ୍ଦିର ବିଷୟରେ ଭୁଲ୍ ବାର୍ତ୍ତା ପ୍ରଚାର କରୁଛନ୍ତି। ତାଙ୍କର ଏହି ମନ୍ତବ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କ ମଧ୍ୟରେ ଅନାବଶ୍ୟକ ଭ୍ରାନ୍ତ ଧାରଣା ସୃଷ୍ଟି କରିପାରେ।” ଶୁଭଙ୍କର ମିଶ୍ର ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରକାଶିତ ଏକ ଭିଡିଓରେ ଦାବି କରିଥିଲେ ଯେ, ଯଦି କୌଣସି ଅବିବାହିତ ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଆନ୍ତି, ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ଏବଂ ବିବାହ ହୋଇପାରେ ନାହିଁ।
ସେ ଏହାର କାରଣ ଦର୍ଶାଇ କହିଥିଲେ ଯେ, ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ତାଙ୍କ କାହାଣୀ ଅନୁଯାୟୀ, ଦିନେ ରାଧାରାଣୀଙ୍କୁ ସେବାୟତମାନେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ, ଯାହା ପରେ ରାଧାରାଣୀ କ୍ରୋଧିତ ହୋଇ ଏହି ଅଭିଶାପ ଦେଇଥିଲେ।
ଶୁଭଙ୍କର ମିଶ୍ରଙ୍କ ଏହି ମନ୍ତବ୍ୟ ଶୀଘ୍ର ଭାଇରାଲ୍ ହୋଇଯାଇଥିଲା। ଏହି ଅଭିଯୋଗକୁ ଭକ୍ତ ଏବଂ ସେବାୟତମାନେ ବିଭ୍ରାନ୍ତିକର, ଅପ୍ରମାଣିକ ଏବଂ ଶ୍ରୀମନ୍ଦିର ପରମ୍ପରା ପ୍ରତି ଅସମ୍ମାନଜନକ ବୋଲି କହିବା ସହ ତୀବ୍ର ନିନ୍ଦା କରିଛନ୍ତି। ଏହି ପବିତ୍ର ଧାମ ବିଷୟରେ ମିଥ୍ୟା ସୂଚନା ପ୍ରଚାର କରିଥିବାରୁ ଅନେକ ଲୋକ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।