ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ ମାନହାନି ମାମଲାକୁ ଅଦାଲତ ଭିତ୍ତିହୀନ ଦର୍ଶାଇ ଖାରଜ କରିଦେଇଛନ୍ତି। ପ୍ରକାଶିତ ଖବରରେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ନିଆଯାଇ ନ ଥିଲା କିମ୍ବା ନିର୍ଦ୍ଦିଷ୍ଟ ବିଦ୍ୟାଳୟ ନାମ ଉଲ୍ଲେଖ କରାଯାଇ ନ ଥିବାରୁ ଏହା କୌଣସି ଆକ୍ଷେପମୂଳକ ଖବରକୁ ପ୍ରୋତ୍ସାହିତ କରୁ ନାହିଁ ବୋଲି ଦର୍ଶାଇ ନିମାପଡ଼ା ଅତିରିକ୍ତ ଜିଲାଜଜ୍ ମାନ୍ୟବର ସୌମ୍ୟକ ପାତ୍ର ଅପିଲକୁ ରଦ୍ଦ କରିବା ସହ ନିମାପଡ଼ା ସିଭିଲ୍ ଜଜ୍ ସିନିୟର ଡିଭିଜନ କୋର୍ଟଙ୍କ ରାୟକୁ ବଳବତ୍ତର ରଖିଛନ୍ତି।
ପ୍ରକାଶ ଯେ, ୨୦୦୮ ମସିହାରେ ଧରିତ୍ରୀରେ ଗୋପ ବ୍ଲକ ଅଞ୍ଚଳରେ ଜାଲ ସାର୍ଟିଫିକେଟରେ କେତେଜଣ ଶିକ୍ଷକ ଚାକିରି କରିଥିବା ସମ୍ପର୍କିତ ଅଭିଯୋଗକୁ ନେଇ ଏକ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏପରି କି ଉକ୍ତ ଖବରରେ ଗୋପ ଅଞ୍ଚଳର ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ପୃକ୍ତ ଥାଇ ୫ ହଜାରରୁ ୨୦ ହଜାର ଟଙ୍କା ମଧ୍ୟରେ ବିଭିନ୍ନ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରୁଥିବା ନେଇ ଖବର ପ୍ରକାଶିତ ହୋଇଥିଲା। ଉକ୍ତ ଖବର ବିରୋଧରେ ଜଣେ ଶିକ୍ଷକ ଧରିତ୍ରୀ ସମ୍ପାଦକ ଏବଂ ଗୋପ ଅଞ୍ଚଳରେ କାର୍ଯ୍ୟ କରୁଥିବା ଖବରଦାତା ଭାରତୀ ଭୂଷଣ ଉପାଧ୍ୟାୟଙ୍କ ବିରୋଧରେ ନିମାପଡ଼ା ସିଭିଲ୍ ଜଜ୍(ବରିଷ୍ଠ)ଙ୍କ ଅଦାଲତରେ ଏକ ମାନହାନି ମାମଲା(ସିଏସ୍ ନଂ. ୧୨୪/୨୦୦୮) ରୁଜୁ ସହ ୧ଲକ୍ଷଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଉକ୍ତ ମାମଲାରେ ସିଭିଲ ଜଜ୍ ଶୁଣାଣି କରି ସମସ୍ତ ସାକ୍ଷ୍ୟ ଏବଂ ପ୍ରମାଣକୁ ଭିତ୍ତି କରି ୨୦୨୫ ଫେବୃଆରୀ ୧୧ରେ ରାୟ ପ୍ରକାଶ କରିବା ସହ ମାମଲାକୁ ଖାରଜ କରିଥିଲେ। ଅଦାଲତଙ୍କ ଉକ୍ତ ରାୟ ବିରୋଧରେ ସମ୍ପୃକ୍ତ ଶିକ୍ଷକ ନିମାପଡ଼ା ଅତିରିକ୍ତ ଜିଲା ଜଜ୍ କୋର୍ଟରେ ଅପିଲ୍ କରିଥିଲେ। ଅତିରିକ୍ତ ଜିଲା ଜଜ୍ ସମସ୍ତ ଦସ୍ତାବିଜ ଏବଂ ତଳ କୋର୍ଟଙ୍କ ରାୟକୁ ସମୀକ୍ଷା କରିବା ପରେ ଆବେଦନକାରୀଙ୍କ ପ୍ରାର୍ଥନାକୁ ଖାରଜ କରିବା ସହ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।