ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ: ରାଉରକେଲା, ରାଜଗାଙ୍ଗପୁରକୁ ବଢ଼ିଲା ଇଣ୍ଟରନେଟ୍ କଟକଣା

ସୁନ୍ଦରଗଡ଼,୧୬ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଭୟାବହ ସଂଘର୍ଷ ଘଟିଛି। ଏହି ହିଂସାକାଣ୍ଡରେ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ଆହତ ହୋଇଥିବା ବେଳେ ସହରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

ସହରରେ ଭାରତୀୟ ନ୍ୟାୟ ସଂହିତା (BNS) ର ୧୬୩ ଧାରା (ପୂର୍ବରୁ ୧୪୪ ଧାରା) ଜାରି କରାଯାଇଛି। ଗୁରୁବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ପାଇଁ ସହରରେ ଇଣ୍ଟରନେଟ୍ ସେବାକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଶୁକ୍ରବାର ସୁନ୍ଦରଗଡ଼ ସହରର ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବେଳେ ରାଜଗାଙ୍ଗପୁର ଓ ରାଉରକେଲା ସହରରେ ମଧ୍ୟ କଟକଣା ଲଗାଯାଇଛି।

ସହରରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ରାଜଗାଙ୍ଗପୁର ଓ ରାଉରକେଲା ସହରରେ ମଧ୍ୟ କଟକଣା ଲଗାଯାଇଛି। ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି।

ରିପୋର୍ଟ ଅନୁସାରେ ଗୁରୁବାର ପୂର୍ବାହ୍ନରେ ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରି ହେଉଥିବା ଖବର ପାଇ କିଛି ସ୍ଥାନୀୟ ଯୁବକ ଏହାକୁ ବିରୋଧ କରିଥିଲେ। ପରେ ଅପରାହ୍ନ ପ୍ରାୟ ୨:୩୦ ବେଳକୁ ସ୍ଥିତି ଅଣାୟତ୍ତ ହୋଇଥିଲା।

ଉଭୟ ଗୋଷ୍ଠୀ ପକ୍ଷରୁ ପରସ୍ପର ଉପରକୁ ଢେଲା, ପଥର ଓ ଠେଙ୍ଗା ମାଡ଼ ହେବା ସହ ଖଣ୍ଡା ବୁଲିଥିଲା। ଏହି ସଂଘର୍ଷରେ ଏକ କାର୍, ସ୍କୁଟି ଓ ପିକ୍-ଅପ୍ ଭ୍ୟାନ୍‌ ସମେତ ଅନେକ ଦୋକାନ ବଜାର ଭଙ୍ଗାରୁଜା ଓ ପୋଡ଼ାଜଳା କରାଯାଇଛି।

ଏଥିରେ ରିଙ୍କୁ ପଟେଲ ନାମକ ସମେତ ୪ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଅଧିକାରୀ ପ୍ରତାପ କାଲୋଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୧୦୦ରୁ ଅଧିକ ଲୋକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ।

ଡିଆଇଜି ବ୍ରିଜେଶ ରାୟ, ଜିଲାପାଳ ଶୁଭଙ୍କର ମହାପାତ୍ର ଏବଂ ଏସପି ଅମ୍ରିତ ପାଲ କୌର ନିଜେ ଘଟଣାସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସହରର ପ୍ରବେଶ ପଥରେ କଡ଼ା ଚେକିଂ କରାଯାଉଛି ଯେପରି ବାହାର ଲୋକ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି ନ କରିବେ। ଡିଆଇଜି ସହରବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାରେ ସହଯୋଗ କରିବାକୁ ନିବେଦନ କରିଛନ୍ତି।

Share