କଟକଠାରେ ପ୍ରତିଷ୍ଠିତ ହେଲ୍ଥ ଫୁଡ୍ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍ଜିକ୍ୟୁଟିଭ ଡାଇରେକ୍ଟର କରିମ୍ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର ଚେଷ୍ଟା କରୁଛନ୍ତି। ଭିନ୍ନ ଭିନ୍ନ ସ୍ବାଦର ଆଇସ୍କ୍ରିମ ଉତ୍ପାଦନ କରି ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । କରିମଙ୍କ ସହ ତାଙ୍କର ବ୍ୟବସାୟିକ ଯାତ୍ରା ସମ୍ପର୍କରେ ସ୍ବତନ୍ତ୍ର ସାକ୍ଷାତ୍କାର…
ପ୍ର- ଆପଣଙ୍କର ବାଲ୍ୟଜୀବନ କିପରି ଥିଲା ଓ ବ୍ୟବସାୟିକ ଯାତ୍ରା କିପରି ଆରମ୍ଭ ହୋଇଥିଲା?
ଉ- କଟକ ସହରରେ ମୋର ଜନ୍ମ। ମୋର ପାଠପଢା ଆରମ୍ଭ ଷ୍ଟିୱାର୍ଟ ସ୍କୁଲ ଏବଂ ପରେ ରେଭେନ୍ଶା କଲେଜରେ ବାଣିଜ୍ୟ(ସମ୍ମାନ)ରେ ସ୍ନାତକ ସହ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ଗ୍ରାଜୁଏଟ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିଲି । ମୋ ଜେଜେବାପା ଅମଳରୁ ମାଲଗୋଦାମରେ ବ୍ୟବସାୟ ଥିଲା। ପରେ ବାପା ଓ ବଡ଼ବାପା ମଧ୍ୟ ସେଥିରେ ନିଯୁକ୍ତ ହୋଇଥିଲେ। ବାପାଙ୍କର ଅସମୟରେ ଦେହାନ୍ତ ହୋଇଯାଇଥିଲା। ତେଣୁ ଅବସର ସମୟରେ ମାଲଗୋଦାମ ଯାଇ ପାରିବାରିକ ବ୍ୟବସାୟରେ କିଛିମାତ୍ରାରେ ଜଡ଼ିତ ହୋଇଥିଲି। ପରେ ପରେ ପାରିବାରିକ ବ୍ୟବସାୟର ଦାୟିତ୍ୱ ମଧ୍ୟ ନେବାକୁ ହେଲା ।
ପ୍ର- ଆଇସ୍କ୍ରିମ ପରି ଏକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଆଗ୍ରହୀ ହେଲେ କାହିଁକି ?
ଉ-ମାଲଗୋଦାମ ବ୍ୟବସାୟ ସହ ଅନ୍ୟ କିଛି କରିବାର ଇଚ୍ଛା ଥିଲା। ନିଜେ ବଞ୍ଚିବା ସହିତ ଅନ୍ୟ ଲୋକମାନଙ୍କୁ କର୍ମସଂସ୍ଥାନ ଦେବା ଆରମ୍ଭରୁ ଲକ୍ଷ୍ୟ ଥିଲା। ଏହି ସମୟରେ ଏକ ଆଇସ୍କ୍ରିମ କମ୍ପାନୀର ଟେକ୍ଓଭର ପାଇଁ ପ୍ରସ୍ତାବ ଆସିଲା। ପରେ ସେଥିପ୍ରତି ଆଗ୍ରହ ପ୍ରକାଶ କରି ଆଇସ୍କ୍ରିମ କମ୍ପାନୀ ସ୍ଥାପନ କଲି ଏବଂ ଏହାର ନାମ ହେଲ୍ଥ ଫୁଡ୍ ପ୍ରଡକ୍ଟ କମ୍ପାନୀ ରଖିଲି, ଯାହାକି ଫ୍ରଷ୍ଟି ବ୍ରାଣ୍ଡରେ ଉପଲବ୍ଧ ହେଲା। ପରେ ଏହା ଫନ୍ ଇଣ୍ଡିଆ ବ୍ରାଣ୍ଡରେ ପରିବର୍ତ୍ତନ ହୋଇଛି ।
ପ୍ର- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ କ’ଣ ସତର୍କତା ଜରୁରୀ ?
ଉ- ସରକାରୀ ନିୟମାନୁଯାୟୀ ପ୍ରତ୍ୟେକ ସମୟରେ ସତର୍କତା ସହ ଉତ୍ପାଦନ କରିବାକୁ ପଡ଼େ। ଏପରିକି ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ବାସ୍ଥ୍ୟରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ, ଯେହେତୁ ଏହା ଗ୍ରାହକମାନେ ସିଧାସଳଖ ଗ୍ରହଣ କରିଥାନ୍ତି । ଉତ୍ପାଦନ ପାଇଁ ଉତ୍ତମ ଗୁଣମାନର କଞ୍ଚାମାଲ ଓ ସ୍ବୟଂକ୍ରିୟ ଯନ୍ତ୍ର ସାହାଯ୍ୟରେ ତିଆରିରୁ ପ୍ୟାକିଂ ପର୍ଯ୍ୟନ୍ତ ସମସ୍ତ ନିରାପତ୍ତା ଅବଲମ୍ବନ କରାଯାଇଥାଏ।
ପ୍ର- ଓଡ଼ିଶାରେ ଏହାକୁ ଉତ୍ପାଦନ କରି ବିକ୍ରି ପର୍ଯ୍ୟନ୍ତ କେଉଁସବୁ ଆହ୍ବାନ ରହିଛି ?
ଉ- ଆଇସ୍କ୍ରିମ ଏକ ହାଇଲି ପେରିସେବୁଲ ଆଇଟମ୍। ପ୍ରାୟ -୩୦ ଡିଗ୍ରୀ ତାପମାତ୍ରାରେ ଏହାକୁ ରଖିବାକୁ ପଡ଼େ। ବହୁତ ସମୟରେ ପାୱାର କଟ୍ ଆମକୁ ଅସୁବିଧାରେ ପକାଇଥାଏ। ଏହାଛଡ଼ା ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍ ସହ ସମକକ୍ଷ ହୋଇ ଗୁଣବତ୍ତା ଓ ଉତ୍ତମ ଉତ୍ପାଦନକୁ ବଜାରରେ ପହଞ୍ଚାଇବା ପାଇଁ ବହୁ ଶ୍ରମ ସ୍ବୀକାର କରିବାକୁ ପଡ଼େ। ଏହାବ୍ୟତୀତ ଆଇସ୍କ୍ରିମ ପରିବହନ ପାଇଁ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ ଯାନର ଆବଶ୍ୟକ ପଡ଼ିଥାଏ। ରାସ୍ତାରେ ଦୁର୍ଘଟଣା ବା ଅସୁବିଧା ହେଲେ ସମୟାନୁସାରେ ବରାଦ ମୁତାବକ ଆଇସ୍କ୍ରିମ ପଠାଇବା କଷ୍ଟକର ବ୍ୟାପାର ହୋଇଯାଇଥାଏ । ଏହା ମଧ୍ୟ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇଥାଏ ।
ପ୍ର- ଯୁବ ଉଦ୍ୟୋଗୀଙ୍କ ପ୍ରତି କ’ଣ ପରାମର୍ଶ ରହିବ?
ଉ- ନିଜର ସଂସ୍ଥା ପ୍ରତି ଲକ୍ଷ୍ୟ ରଖି ସମୟାନୁସାରେ ନିଷ୍ଠା ଓ ଏକାଗ୍ରତା ସହକାରେ କାମ କରିବା ଉଚିତ। ଗ୍ରାହକମାନଙ୍କ ସ୍ବାର୍ଥ ପ୍ରତି ଧ୍ୟାନ ଦେବା ସହ ସମୟକୁ ସମୟ ଆବଶ୍ୟକ ଅନୁସାରେ ନୂତନ ଜ୍ଞାନକୌଶଳକୁ ଉପଯୋଗ କରି ଉତ୍ପାଦନ କରିବା ଆବଶ୍ୟକ। ନୋ ସଟ୍କଟ୍ ଟୁ ସକ୍ସେସ୍।
ପ୍ର- ଆଗାମୀ ଦିନରେ ଆଉ କ’ଣ ଆଶା ରଖିଛନ୍ତି ?
ଉ- ନୂଆ ଅପ୍ଡେଟ୍ ମେଶିନ ଆଣି ବଜାରକୁ ପରିବ୍ୟାପ୍ତ କରିବା ଆଶା ରହିଛି। ପୂର୍ବ ଭାରତ ସହିତ ଦକ୍ଷିଣ ଓ ଉତ୍ତର ଭାରତରେ ଫନ୍ ଇଣ୍ଡିଆକୁ ପହଞ୍ଚାଇବାର ଲକ୍ଷ୍ୟ ରହିଛି ।