୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ କମାଣ୍ଡର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ଥାନାଧିକାରୀ ରୁନୁ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସବ୍‌ ଇନ୍ସପେକ୍ଟର ସୁଧାଂଶୁ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ସୋମବାର ଅପରାହ୍ନରେ ବାଗ୍ରାଗୁଡ଼ା ମହାଦେଇପୁଟ ରାସ୍ତାର ରାଉତପୁଟ ଛକରେ ଯାନବାହନ ଚେକିଂ କରୁଥିଲେ। ସେହି ସମୟରେ ଚାଉଳ ବୋଝେଇ ଗାଡ଼ି ଆସିବାରୁ ତାକୁ ଅଟକାଇ ଯାଞ୍ଚ କରିବା ବେଳେ ଉକ୍ତ ଗାଡ଼ିର କୌଣସି କାଗଜପତ୍ର ନ ଥିବା ଜଣାପଡ଼ିଥିଲା। ଅନ୍ୟପକ୍ଷରେ କମାଣ୍ଡରରେ ଥିବା ଚାଉଳ ସମ୍ପର୍କରେ ମଧ୍ୟ ଡ୍ରାଇଭର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିବା ବେଳେ ତାହା ଏକ ଆଶ୍ରମ ବିଦ୍ୟାଳୟର ଚାଉଳ ବୋଲି କହିଥିଲେ ମଧ୍ୟ ଚାଉଳ ସମ୍ପର୍କିତ କାଗଜପତ୍ର କିଛି ଦେଖାଇ ପାରି ନ ଥିଲେ। ତେଣୁ
ପୋଲିସ ଚାଉଳ ସହ ଉକ୍ତ କମାଣ୍ଡରକୁ ଜବତ କରି ସଦର ଥାନାରେ ରଖିଥିବା ବେଳେ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରୁନୁ ମାଝୀ ସୂଚନା ଦେଇଛନ୍ତି। ସବ ଇନ୍ସପେକ୍ଟର ସୁଧାଂଶୁ ନାୟକ ଏକ ମାମଲାରେ କେସ୍‌ ନଂ ୫୯/୨୬ ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share