ବାହୁବଳୀ ସହ ମୁହାଁମୁହିଁ ଧକ୍କା ହେଲା ହାଇଓ୍ବା, ଚାପି ହୋଇଗଲେ ଚାଳକ

ଦାରିଙ୍ଗବାଡ଼ି,୨୧ା୯(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସୀମାବର୍ତ୍ତୀ ଗାଜଲବାଡ଼ି ଘାଟି ନିକଟରେ ଘରୋଇ ବସ୍‌ ବାହୁବଳୀ ସହ ଅନ୍ୟ ଏକ ହାଇଓ୍ବା ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ହାଇଓ୍ବା ଚାଳକ ଚାପି ହୋଇ ରହିଯାଇଛନ୍ତି। ପ୍ରାୟ ୧ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ଖବର ଲେଖାହେବା ସୁଦ୍ଧା ତାଙ୍କୁ ଉଦ୍ଧାର କରାଯାଇପାରିନାହିଁ।

ପ୍ରକାଶ ଯେ, ବ୍ରହ୍ମପୁରରୁ ଦାରିଙ୍ଗବାଡ଼ି ଦେଇ ବାଲିଗୁଡ଼ା ଆସୁଥିବା ବାହୁବଳୀ ବସ୍‌ ଏବଂ ଦାରିଙ୍ଗବାଡ଼ିରୁ ସୋରଡ଼ା ଅଭିମୁଖେ ଯାତ୍ରା କରୁଥିବା ହାଇଓ୍ବା ସହ ଦୁର୍ଘଟଣା ଘଟିଥିଲା ତେବେ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ କୌଣସି ଆହତ ହୋଇ ନ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଉକ୍ତ ୫୯ ନଂ ଜାତୀୟ ରାଜପଥର ପ୍ରାୟ ୧୫ କିମି ରାସ୍ତା ଅଣଓସାରିଆ ରହିଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ଲଟାବୁଦା ବଢ଼ିଥିବା ବେଳେ ବୁଶ କଟିଂ ନ ହେବାରୁ ଗାଡ଼ି ଚଳାଚଳ ବେଳେ ଆଗକୁ ରାସ୍ତା ସଫା ଭାବେ ଜଣାପଡୁନାହିଁ। ଫଳରେ ବୁଲାଣି ଘାଟି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।