ଗୋପାଳପୁର,୧୮ା୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଏକ ଗ୍ରାମର ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ମାମଲାରେ ଗୁରୁବାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କୋଳଥିଗାଁ ଦିବାକର ଦାସ (୧୯)। ଏହି ଥାନା ଅଧିନସ୍ଥ ଏକ ଗ୍ରାମର ଯୁକ୍ତ ଦୁଇ ବାଣିଜ୍ୟ ଦ୍ୱତୀୟ ବର୍ଷର ଛାତ୍ରୀଙ୍କୁ କୋଳଥିଗାଁ ଦିବାକର ଦାସ ପ୍ରୋଲାଭନ ଦେଖି ସେପ୍ଟେମ୍ବର ୪ ତାରିଖରେ ଘରୁ ଅପହରଣ କରି ନେଇ ଯାଇଥିଲେ। ଛାତ୍ରୀଙ୍କ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଟେର ପାଇ ନ ଥିଲେ।
ଏନେଇ ପରିବାର ଲୋକ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେଶ୍ ନଂ. ୩୯୩/୨୫ ପ୍ରକାରେ ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଛାତ୍ରୀ ଓ ଦିବାକର ତାମିଲନାଡୁରେ ଥିବା ଖବର ପାଇ ବୁଧବାର ଗୋଳନ୍ଥରା ଥାନାର ଏକ ପୋଲିସ ଟିମ ସେଠାରେ ଚଢ଼ାଉ କରି ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଦିବାକରକୁ କାବୁ କରିଥିଲା। ଛାତ୍ରୀ ଜଣକ ପୋଲିସ ନିକଟରେ ଶାରୀରିକ ସମ୍ପର୍କ ରଖିଥିବା ନେଇ ପ୍ରକାଶ କରିଥିଲେ। ପରେ ପୋଲିସ ମାମଲାକୁ ପରିବର୍ତ୍ତନ କରି ବଳତ୍କାର ମାମଲା ରୁଜୁ କରିଥିଲା। ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ଦିବାକରଙ୍କୁ ପୋଲିସ ଗିରଫ କରିଥିଲା।
ବିଏନ୍ଏସ୍ଏସ୍ ୧୮୩ ଧାରା ଅନୁସାରେ ନାବାଳିକା ଛାତ୍ରୀଙ୍କ ବିଚାରପତିଙ୍କ ନିକଟରେ ବୟାନ ରେକର୍ଡ କରାଯାଇଥିଲା। ଗୁରୁବାର ଦିବାକରକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।


