ଖଲ୍ଲିକୋଟ,୧୩ା୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟସ୍ଥିତ ରାମଚନ୍ଦ୍ର ମର୍ଦ୍ଦରାଜ (ଆର୍ସିଏମ୍) କଲେଜରେ ଛୁରାମାଡ଼ କରିଥିବା ଛାତ୍ର ମେଘନାଦ ପାହାନ (୨୨)ଙ୍କୁ ପୋଲିସ ଗୁରୁବାର ଗିରଫ କରିଛି।
ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମର ମେଘନାଦ ଆର୍ସିଏମ୍ କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷ ବାଣିଜ୍ୟ ଛାତ୍ର। ପ୍ରେମ ବ୍ୟାପାରକୁ ନେଇ କଲେଜକୁ ଲାଗି ରହିଥିବା ଖେଳପଡ଼ିଆରେ ୩ ଅଣଛାତ୍ର ବିଜୟ ନାୟକ, ରାଜା ଗୌଡ଼ ଏବଂ ରାଜା ସେଠୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଝଗଡା ଭିତରେ ମେଘନାଦ ହଠାତ୍ ବ୍ୟାଗରୁ ଏକ ଛୁରି ବାହାର କରି ସେମାନଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଆହତମାନଙ୍କୁ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।
ରାଜାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି। ଏହି ସମ୍ପର୍କରେ ନଂ.୧୨୮/୨୦୨୫ରେ ମାମଲା ରୁଜୁ କରି ଅଭିଯୁକ୍ତ ମେଘନାଦଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।