ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୨୫ରୁ ରାଜ୍ୟରେ ଶୀତର ପ୍ରକୋପ ଵୃଦ୍ଧି ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର ଜିଲାଗୁଡିକର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୨ଡିଗ୍ରୀ ହ୍ରାସ ପାଇଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ବାଭାବିକଠାରୁ ପ୍ରାୟ ୩ରୁ ୪ ଡିଗ୍ରୀ କମ୍, ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରାୟ ୨ଡିଗ୍ରୀ କମ୍, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ବାଭାବିକଠାରୁ ପ୍ରାୟ ୨ଡିଗ୍ରୀ ଅଧିକ ଏବଂ ଓଡ଼ିଶାର ଅନ୍ୟ ଜିଲାରେ ତାପମାତ୍ରା ସ୍ବାଭାବିକ ଥିଲା।
ଅନ୍ୟପକ୍ଷରେ ରାଉରକେଲାରେ ଘନ କୁହୁଡି ପାଇଁ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। କେନ୍ଦୁଝର, ଫୁଲବାଣୀ, ଭବାନୀପାଟଣା, ଚାନ୍ଦବାଲି, କୋରାପୁଟ ଏବଂ ବାରିପଦାରେ କୁହୁଡି ଦେଖାଦେଇଥିଲା। ପାଣିପାଗ କେନ୍ଦ୍ରର ସଥ୍ୟ ଅନୁସାରେ, ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରହିଥିଲା। ସେହିପରି ସେମିଳିଗୁଡାରେ ୬.୭ ଡିଗ୍ରୀ, ଦାରିଙ୍ଗବାଡି ଏବଂ ଫୁଲବାଣୀରେ ୭ଡିଗ୍ରୀ, କୋରାପୁଟ ୭.୬, ନବରଙ୍ଗପୁର ଓ ଚିପିଲିମାରେ ୯ ଡିଗ୍ରୀ, ଭବାନୀପାଟଣା ୯.୪, ଝାରସୁଗୁଡା ଓ ଅନୁଗୋଳରେ ୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ଅପରପକ୍ଷେ ଆସନ୍ତା ୨ଦିନ ପାଇଁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ଘନ କୁହୁଡି ସତର୍କତା ଜାରି କରାଯାଇଛି।