ଭଞ୍ଜନଗର ଅଞ୍ଚଳରେ ହାଡ଼ ଭଙ୍ଗା ଶୀତ: ଥଣ୍ଡାରେ ଚାଲିଗଲା ବୃଦ୍ଧଙ୍କ ଜୀବନ…

ଭଞ୍ଜନଗର,୧୦।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡିରେ ଅତ୍ୟଧିକ ଥଣ୍ଡା ଯୋଗୁ ଶୁକ୍ରବାର ରାତିରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ସେ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣୀପଲ୍ଲୀର ବିଦ୍ୟାଧର ବିଶାଳ (୭୦)। ଭଞ୍ଜନଗର ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇ ଦେଇଛି।
ଘଟଣାରୁ ପ୍ରକାଶ ଯେ, ବିଦ୍ୟାଧରଙ୍କ ଦେହ କିଛି ଦିନ ଧରି ଖରାପ ଥିଲା। ତେଣୁ ସେ ଚିକିତ୍ସିତ ହେଉଥିଲେ। ଏଭଳି ପରିସ୍ଥିତିରେ ଶନିବାର ସକାଳେ ବିଦ୍ୟାଧରଙ୍କ ମୃତଦେହ ଜିଲୁଣ୍ଡିର ଏକ ବାଲିଗଦା ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଥିଲା। ଏହାପରେ ତଦନ୍ତ କରି ବିଦ୍ୟାଧରଙ୍କ ଠିକଣା ସାରେ ପୋଲିସ ପାଇଥିଲା।

ତେବେ ବିଗତ କିଛି ଦିନ ଧରି ଭଞ୍ଜନଗର ଅଞ୍ଚଳରେ ପ୍ରବଳ ଥଣ୍ଡା ହେଉଛି। ଖୋଲା ଆକାଶ ତଳେ ରାତି ତମାମ ବିଦ୍ୟାଧର ଶୋଇ ରହିବା ଯୋଗୁ ସେ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । କିନ୍ତୁ ସେ ସେଠାକୁ କେଉଁ ପରିସ୍ଥିତିରେ ଗଲେ ତାହାର ସଠିକ କାରଣ ଜଣାପଡିନାହିଁ। ତଦନ୍ତ ପରେ ତାହା ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Dharitri – Odisha’s No.1 Odia Daily

Share