ଭୁବନେଶ୍ୱର,୨।୩: କୋଲ୍ ଇଣ୍ଡିଆର ୫୦ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମହାନଦୀ କୋଲ ଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍) ପକ୍ଷରୁ ଏକ ମେଗା ଦୌଡ ପ୍ରତିଯୋଗିତା ‘କୋଲ୍ ଇଣ୍ଡିଆ ଭୁବନେଶ୍ୱର ହାଫ୍ ମାରାଥନ’ ରବିବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜନ କରାଯାଇଥିଲା।
ଏପରିକି ଦୌଡ ପ୍ରତିଯୋଗିତା ୪ଟି (୨୧କିମି ହାଫ୍ ମାରାଥନ, ୧୦କିମି ରନ୍, ୫ କିମି ଏବଂ ୧.୫ କିମି) ଫନ୍ ରନ୍ ବର୍ଗରେ ଆୟୋଜିତ ହୋଇଥିଲାବେଳେ ବିଭିନ୍ନ ବୟସ ବର୍ଗର ୫ହଜାରରୁ ଅଧିକ ମାରାଥନ ଧାବକ ଏବଂ ଉତ୍ସାହୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଏହି ହାଫ୍ ମାରାଥନ୍ରେ ପଶ୍ଚିମବଙ୍ଗରୁ ଲିଲି ଦାଶ ଏବଂ ଉତ୍ତର ପ୍ରଦେଶରୁ ପ୍ରିନ୍ସ କୁମାର ଯଥାକ୍ରମେ ୨୧ କିମି ହାଫ୍ ମାରାଥନ ମହିଳା ଓ ପୁରୁଷ ବର୍ଗରେ ବିଜେତା ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୫ଦଶନ୍ଧି ଧରି କୋଲ୍ ଇଣ୍ଡିଆର ସଫଳ ଓ ଅନନ୍ୟ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ସହଭାଗିତାରେ ଆୟୋଜିତ ଏହି ମାରାଥନ ଏକ ଅଭିନବ ପ୍ରୟାସ ଥିଲା।
ଏହି ଅବସରରେ ଭାରତୀୟ କ୍ରୀଡାବିତ (ବ୍ୟାଡ୍ମିଣ୍ଟନ୍) ସାଇନା ନେହ୍ବାଲ,ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏମ୍ପି ପ୍ରଦୀପ ପୁରୋହିତ, ବିଧାୟକ ଅଶୋକ ମହାନ୍ତି, ବିଧାୟକ ଅଗସ୍ତି ବେହେରା, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସମେତ ମୁଖ୍ୟ ସଚିବ ମନୋଜ ଆହୁଜା, କୋଲ ଇଣ୍ଡିଆ ଅଧ୍ୟକ୍ଷ ପି. ଏମ୍ ପ୍ରସାଦ, ଏମ୍ସିଏଲ୍ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଉଦୟ ଅନନ୍ତ କାଓଲେ ଏବଂ କୋଲ୍ ଇଣ୍ଡିଆର ସଞ୍ଚାଳନା ନଦ୍ଦେର୍ର୍ଶକ ତଥା ଓଡ଼ିଶାର ବିଭିନ୍ନ ଜିଲାର ବରିଷ୍ଠ ଏମ୍ସିଏଲ୍ ଅଧିକାରୀମାନେ ଯୋଗ ଦେଇଥିଲେ।

ସେହିପରି ସାଇନା ନେହ୍ବାଲ ଏହି କାର୍ଯ୍ୟକ୍ରମରେ ଆମ୍ବାସାଡର ଭାବେ ଯୋଗ ଦେଇ ନିଜର କ୍ରୀଡ଼ା ଯାତ୍ରା ଅନୁଭୂତି ବର୍ଣ୍ଣନା କରିବା ସହ ଉତ୍ସାହୀ ପ୍ରତିଯୋଗୀମାନଙ୍କ ମନୋବଳ ବଢ଼ାଇଥିଲେ।
ପରିଶେଷରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଇନା ନେହ୍ବାଲ ଓ ଅନ୍ୟ ଅତିଥିମାନେ ୪୫.୩୪ଲକ୍ଷ ଟଙ୍କାର ପୁରସ୍କାର ରାଶି ବିତରଣ କରିଥିଲେ। କେବଳ କୋଲ୍ ଇଣ୍ଡିଆର ଉତ୍କର୍ଷର ଏହି ୫୦ବର୍ଷକୁ ପାଳନ କରିବା ପାଇଁ ନୁହେଁ ବରଂ ଏକ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ମାରାଥନ ଆୟୋଜିତ ହୋଇଥିଲା। ମାରାଥନ ବିଜେତା ପ୍ରିନ୍ସ କୁମାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସାଇନା ନେହ୍ବାଲ ପୁରସ୍କୃତ କରୁଛନ୍ତି। ଏହି ଅବସରରେ ଅନ୍ୟମାନେ ଉପସ୍ଥିତ ଅଛନ୍ତି ।


