କୋରାପୁଟ ଡଙ୍ଗାବୁଡି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ବର,୨୯ା୧୨: ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ୫ଜଣ ଏକ କାର୍ଯ୍ୟରେ ଯୋଗଦେବାକୁ ପାତାଳୀ ନଦୀ (ଜଲାପୁଟ ରିଜର୍ଭର) ଆରପଟେ ଥିବା ବଡେଲା ଗ୍ରାମକୁ ଯାଇଥିଲେ। ସେଠାରୁ ଦେଶୀ ଡଙ୍ଗା ନେଇ ଫେରିବା ବେଳେ ହଠାତ୍‌ ଡଙ୍ଗାଟି ଓଲଟି ପଡ଼ିଥିଲା। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେତିକି ବେଳେ ଲାଲମଣିଙ୍କ ମୃତଦେହ ମିଳିଥିଲା। ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଶୁବ୍ରବାର ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଓଡ୍ରାଫ ଏବଂ ନନ୍ଦପୁର ଅଗ୍ନିଶମ ବିଭାଗର ଖୋଜାଖୋଜି କରିଥିଲେ। ଏପରିକି ମାଛ ଜାଲ ସାହାର୍ଯ୍ୟରେ ନିଖୋଜ ୪ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପାତାଳୀ ନଦୀର ଜଲାପୁଟ ରିଜର୍ଭର ଜଳରାଶି ଚାରି ପାଶର୍‌ବରେ ଥିବା କୁଲାରସିଂ, ପରଜା ବଡପଡା, ପାଡୁଆ, ଗୋଲୁର, ପାନ୍ଥଲୁଙ୍ଗ, ବିଲାପୁଟ, କୁଲାବିର ପଞ୍ଚାୟତବାସୀଙ୍କ ଯାତାୟାତ ନିମନ୍ତେ ୨ଟି ମୋଟର ବୋଟ ପ୍ରଦାନ କରାଯାଇଛି। ତାହା ଅଧିକାଂଶ ସମୟ ଅଚଳ ରହୁଥିବାରୁ ଲୋକେ ଦେଶୀ ଡଙ୍ଗାର ବ୍ୟବହାର କରି ଏଭଳି ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅଚଳ ମୋଟର ଡଙ୍ଗାର ମରାମତି ସାଙ୍ଗକୁ ପଞ୍ଚାୟତ ପିଛା ଗୋଟିଏ ଲେଖାଏ ମୋଟର ଡଙ୍ଗା ଯୋଗାଇ ଦେବାକୁ ଦାବି କରାଯାଇଛି।

Share
Tags: Koraput