ପ୍ଲେଟ ଧରିଛନ୍ତି ମୁଖ୍ୟମନ୍ତ୍ରୀ, ପିଲାଙ୍କୁ ମିଠା ବାଣ୍ଟୁଛନ୍ତି ତାଙ୍କ ସ୍ତ୍ରୀ: ସ୍ୱାଧୀନତା ଦିବସରେ ଦେଖିବାକୁ ମିଳିଲା…

ଭୁବନେଶ୍ୱର,୧୫।୮: ୭୯ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବୋଧନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କ ସହ ମିଶି ସେ ପିଲାମାନଙ୍କୁ ମିଠା ବାଣ୍ଟିଥିଲେ। ଏକ ସମୟରେ ମୁଖ୍ୟମନ୍ତ୍ରୀ ମିଠା ପ୍ଲେଟ ଧରିଥିବା ବେଳେ ତାଙ୍କ ପତ୍ନୀ ମିଠା ବାଣ୍ଟୁଥିବା ଦୃଶ୍ୟ ଦେଖାଯାଇଥିଲା।

ଏହାପରେ ମୁଖ୍ୟମନ୍ତ୍ରୀ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ସମ୍ବୋଧନରେ ସେ କହିଛନ୍ତି, “ଅଣାଅଶୀତମ ସ୍ବାଧୀନତା ଦିବସରେ ରାଜ୍ୟବାସୀ ତଥା ଦେଶ ଓ ବିଦେଶରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ମୋର ଶୁଭେଚ୍ଛା। ସ୍ବାଧୀନତା ପରବର୍ତ୍ତୀ ଭାରତର ଗୌରବମୟ ଇତିହାସରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।”

ମୁଖ୍ୟମନ୍ତ୍ରୀ ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଶାନ୍ତିପୂର୍ଣ ଓ ଅହିଂସା ଚରିତ୍ରକୁ ପ୍ରଶଂସା କରି ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଏକତ୍ରିତ ସଂଗ୍ରାମୀଙ୍କ ଏକମାତ୍ର ଉଦ୍ଦେଶ୍ୟ ‘ବ୍ରିଟିଶ ଶାସନରୁ ମୁକ୍ତି’ ବୋଲି ଉଲ୍ଲେଖ କରିଛନ୍ତି। ସେ ପଣ୍ଡିତ ଜବାହାରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାଲ ଗଙ୍ଗାଧର ତିଲକ, ବୀର ସାବରକର, ସହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡଃ ବାବା ସାହେବ ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଲାଲ ବାହାଦୁର ଶାସ୍ତ୍ରୀ, ମୌଲାନା ଆଜାଦ ଓ ଲକ୍ଷ ଲକ୍ଷ ନାମହୀନ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ଉତ୍କଳମଣି ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ସହୀଦ ମାଧୋ ସିଂ, ଚକରା ବିଶୋଇ, ରେଣ୍ଡୋ ମାଝୀ, ମା’ ରମାଦେବୀ, ମା’ ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ମା’ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ୧୮୧୭ରେ ଓଡ଼ିଶାର ପାଇକ ବିଦ୍ରୋହକୁ ଭାରତୀୟ ସ୍ବାଧୀନତା ସଂଗ୍ରାମର ମାଇଲଖୁଣ୍ଟ ଭାବେ ଉଲ୍ଲେଖ କରି ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି।

Share