ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୨୦୩୬ ସୁଦ୍ଧା ୫ ଶହ ବିଲିଅନ ଡଲାର ଅର୍ଥନୀତି ସହ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ, ଶ୍ରେଷ୍ଠ ୫ ବିକଶିତ ରାଜ୍ୟରେ ଓଡ଼ିଶାକୁ ରଖିବା, ରାଜ୍ୟ ଶିଳ୍ପାୟନର ଦୃତ ବିକାଶ ପାଇଁ ନିର୍ଦ୍ଦେଶାବଳୀରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଉତ୍କର୍ଷ କେନ୍ଦ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁପ୍ରକାର ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ଗୁରୁତ୍ୱ ଆରୋପ ସହ ସଚିବାଳୟଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ପାଳନ ପରାମର୍ଶ ଦିଆଯାଇଛି। ନିର୍ଦ୍ଦେଶ ପାଳନ ନ ହେଲେ ଖିଲାପକାରୀଙ୍କୁ କୈଫିୟତ ତଲବ ପାଇଁ ବି କୁହାଯାଇଛି।
ଓଡିଆ ଭାଷାକୁ ସରକାରୀ ଭାଷାରେ ବ୍ୟବହାର ପାଇଁ ପ୍ରତିବଦ୍ଧତାର ବାର୍ତ୍ତା ଦେବା ସହ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣିକୁ ଅତ୍ୟନ୍ତ ଗୁରୁତର ସହିତ ବିଚାର କରିବାକୁ ନିର୍ଦ୍ଦେଶାବଳୀରେ କହୁଯାଇଛି। ଏହା ସହିତ ସବୁସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଶୁଣାଣି ପାଇଁ ସୋସିଆଲ ମିଡିଆକୁ ବହୁଳ ବ୍ୟବହାର ଏବଂ ସମସ୍ୟାର ସମାଧାନ ପାଇଁ ସବୁ ସ୍ତରର ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ପରାମର୍ଶ ଦିଆଯାଇଛି।