ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ସାହାରା ନର୍ସିଂହୋମ୍ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ ତାରିଖ ରାତି ପ୍ରାୟ ୧୦ ଟାରେ ସିଙ୍ଗପୁର ଗ୍ରାମର ମାଗୁଣି ନାୟକଙ୍କ ଝିଅ ରୋଜି ନାୟକ ଏବଂ ନବଜାତକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ନର୍ସିଂହୋମ ମାଲିକ ମଙ୍ଗୁଳୁ ପ୍ରଧାନ, ଅପରେଶନ କରିଥିବା ନର୍ସିଂହୋମର ଡାକ୍ତର, ମହିଳା ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ପ୍ରମୁଖଙ୍କ ଅବହେଳାରୁ ତାଙ୍କ ସ୍ତ୍ରୀ ଓ ଛୁଆଙ୍କ ମୃତ୍ୟୁ ଘଟିଥିବା ନେଇ ପାଟପୁର ଥାନା କଲରାପଦର ଗ୍ରାମର ରୋଜିଙ୍କ ସ୍ବାମୀ ବାବୁ ନାୟକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର କେସ୍ ନଂ ନଂ.୧୭୪/୨୫ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ଏହି ମାମଲାରେ ସମ୍ପୃକ୍ତ କ୍ଳିନିକ ମାଲିକ ମଙ୍ଗୁଳୁ ଗିରଫ ଭୟରେ ଫେରାର ଥିବା ବେଳେ ଡେଙ୍ଗାଓସ୍ତା ଗ୍ରାମ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ର ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବୈକୁଣ୍ଠନଗର ୪ର୍ଥ ଲେନ୍ରେ ରହୁଥିବା ମଧୁ ଓରଫ ମଧୁସ୍ମିତା ପଟ୍ଟନାୟକଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍.ଆଇ ଜ୍ୟୋତି ରଞ୍ଜନ ବେହେରା ଗତ ମେ’ ୧୯ରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଲିନିକ ମାଲିକ ମଙ୍ଗୁଳୁ ତାଙ୍କ ସହଯୋଗୀ ଅଶ୍ୱିନୀ ଦୋରା ଏବଂ ଅନ୍ୟ ୨ ଜଣଙ୍କୁ ଗତ ଜୁଲାଇ ୩୦ରେ ରୋଜିଙ୍କ ବାପା ମାଗୁଣିଙ୍କୁ ଭେଟି ଯେତେ ଚଞ୍ଚଳ ପାରିବ କେସ୍ ଉଠାଇ ଦିଅ। କେସ ନ ଉଠାଇଲେ ଜୀବନରେ ମାରିଦେବୁ। ପରିବାର ଲୋକଙ୍କ ପରିସ୍ଥିତି ଖରାପ କରିଦେବୁ ବୋଲ ଧମକ ଦେଇଥିଲେ। ଗତ ବୁଧବାର ମାଗୁଣି ଡେଙ୍ଗାଓସ୍ତା ଗ୍ରାମ ବଜାରକୁ ଯାଇଥିବା ବେଳେ ଗାଁ ଛକରେ କ୍ଲିନିକ ମାଲିକ ମଙ୍ଗୁଳୁ ତାଙ୍କୁ ଭେଟି କେସ୍ କଥା କ’ଣ ହେଲା। ମାଗୁଣି କୌଣସି ପ୍ରତ୍ୟୁତ୍ତର ନ ଦେବାରୁ ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରି ଚଞ୍ଚଳ କେସ୍ ସମାଧାନ କର ନହେଲେ ପରିସ୍ଥିତି ଭୟାବହ ହେବ। ତୋତେ ଶେଷ କରିବାକୁ ମୋତେ ବେଶୀ ସମୟ ଲାଗିବ ନାହିଁ। କେସ୍ରେ ସାକ୍ଷ୍ୟ ପ୍ରମାଣ ଦେବୁ ନାହିଁ ବୋଲି ଧମକ ଦେଇଥିବା ନେଇ ମାଗୁଣି ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ ପାତ୍ର ମାମଲା ନଂ.୨୮୪/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏସ୍.ଆଇ ସୋଫିଆ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।