ପୁସ୍ତକ ଦ୍ବାରା କମ୍ ବରଂ ଅଭିଜ୍ଞତା ଦ୍ବାରା ମାନବର ବିକାଶ ଅଧିକ ହୋଇଥାଏ। ”ପ୍ରଥମେ ନିଜେ ଶିଖ, ପରେ ଶିକ୍ଷା ଦିଅ।“ -ଏହି ବାକ୍ୟାଂଶ ଗଭୀର ସତ୍ୟ ପ୍ରକାଶ କରୁଛି। ଏହା ଏକ ଭାବପ୍ରବଣ ପୂର୍ଣ୍ଣ ସ୍ଲୋଗାନ ନୁହେଁ ବରଂ ସ୍ବାଭାବିକ, ବୈଜ୍ଞାନିକ ଏବଂ ଦାର୍ଶନିକ ପ୍ରକ୍ରିୟାରେ ଶିଖିବାର ସଂକ୍ଷିପ୍ତ ସୂତ୍ର। ଶିକ୍ଷା ଏହି ନୀତି ସହିତ ସମନ୍ବିତ ହେଲେ ତାହା ପରୀକ୍ଷାକୈନ୍ଦ୍ରିକ ବ୍ୟବସ୍ଥାରୁ ମୁକୁଳି ଜୀବନକୈନ୍ଦ୍ରିକ ପଦ୍ଧତିରେ ପରିଣତ ହୋଇପାରିବ। ଶିକ୍ଷାକୁ ପ୍ରତ୍ୟକ୍ଷ ଅଭିଜ୍ଞତା ସହିତ ଯୋଡାଗଲେ ମସ୍ତିଷ୍କରେ ଗଠିତ ସ୍ନାୟୁ୍ତନ୍ତ୍ର ତାହାକୁ ଗଭୀର ଏବଂ ଦୀର୍ଘ ସ୍ଥାୟୀ କରିଦିଏ। ଏକଥା ଆଧୁନିକ ସ୍ନାୟୁ ବିଜ୍ଞାନ ପ୍ରମାଣିତ କରିଛି।
ଗଭୀର ଅର୍ଥରେ ଶିକ୍ଷା ହେଉଛି ଆତ୍ମବୋଧର ଏକ ପ୍ରକ୍ରିୟା। ଜ୍ଞାନର ଉଦ୍ଦେଶ୍ୟ କେବଳ ବାହ୍ୟ ଜଗତକୁ ନୁହେଁ ବରଂ ନିଜକୁ ବୁଝିବା। ଯେଉଁ ଶିକ୍ଷା ମନୁଷ୍ୟକୁ ପ୍ରଶ୍ନ ପଚାରିବାରେ ସକ୍ଷମ କରେ ନାହିଁ ତାହା କେବଳ ଉତ୍ତରର ବୋଝ ଲଦି ଦିଏ। ଯେତେବେଳେ ଜଣେ ବିଦ୍ୟାର୍ଥୀ ଏକ ସମସ୍ୟା ସହ ସଂଘର୍ଷ କରେ, କୌଣସି ପରୀକ୍ଷଣରେ ଅସଫଳ ହୁଏ ଏବଂ ପୁନର୍ବାର ପ୍ରଚେଷ୍ଟା କରେ ସେତେବେଳେ ସେ କେବଳ ସେହି ବିଷୟ ହିଁ ଶିଖେ ନାହିଁ ବରଂ ଧୈର୍ଯ୍ୟ, ବିବେକ ଏବଂ ଆତ୍ମସଂଯମତା ଅର୍ଜନ କରେ। ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ଜଣେ ବ୍ୟକ୍ତିକୁ ଆଭ୍ୟନ୍ତରରୁ ପରିପକ୍ୱ କରିବା। ଅନୁଭବ ପରେ ଅଧ୍ୟୟନ ଆସେ। ଅଧ୍ୟୟନ ଦ୍ୱାରା ତାହାକୁ ଜୀବନ ସହିତ ଯୋଡାଯାଇ ପାରିବ। ଜଣେ ଶିକ୍ଷାର୍ଥୀ କୌଣସି ଘଟଣା, ପରୀକ୍ଷଣ କିମ୍ବା ପରିସ୍ଥିତି ଦେଇ ଗତି କଲେ ପୁସ୍ତକର ପ୍ରତ୍ୟେକଟି ବାକ୍ୟ ଅର୍ଥପୂର୍ଣ୍ଣ ହୁଏ। ତା’ପରେ ଶବ୍ଦଗୁଡ଼ିକ ଅନୁଭବର ବ୍ୟାଖ୍ୟାୟନ କରିବାକୁ ସକ୍ଷମ ହୁଅନ୍ତି। ଏହି କାରଣରୁ ପୂର୍ବ ଅର୍ଜିତ ଜ୍ଞାନ ପରବର୍ତ୍ତୀ ସମୟରେ ଆମେ ପଢୁଥିବା ସିଦ୍ଧାନ୍ତଗୁଡିକୁ ଗଭୀରତା ପ୍ରଦାନ କରେ। ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ଶିକ୍ଷଣ ଦକ୍ଷତା ଭିନ୍ନଭିନ୍ନ ହୋଇଥାଏ। ଅଭିଜ୍ଞତାମୂଳକ ଶିକ୍ଷା, ଶିକ୍ଷାକୁ ଗୋଟିଏ ଛାଞ୍ଚରେ ବାନ୍ଧି ରଖିବା ପରିବର୍ତ୍ତେ ମନୁଷ୍ୟ ଭିତରର ଲୁକ୍କାୟିତ ସମ୍ଭାବନାକୁ ଉନ୍ମେଷଣ କରିଥାଏ।
ଶିକ୍ଷା ଯଦି କେବଳ ସଂଖ୍ୟା ଏବଂ ପରୀକ୍ଷାର ସାଧାନ ପାଲଟିଯିବ ତେବେ ତାହା ଚାପ ଏବଂ ହୀନମନ୍ୟତାକୁ ଜନ୍ମ ଦେବ। ବିପରୀତ ଦିଗରେ ଶିକ୍ଷା ଆବିଷ୍କାର, ପ୍ରୟୋଗ ଏବଂ ଆଲୋଚନାର ରୂପ ନେଲେ ତାହା ଆତ୍ମବିଶ୍ୱାସ ବିକଶିତ କରିବ। ଏପରି ଶିକ୍ଷା ପଦ୍ଧତି କେବଳ ପ୍ରତିଯୋଗୀ ମନୋଭାବକୁ ବିକଶିତ କରେନାହିଁ ବରଂ ଜଣେ ବ୍ୟକ୍ତିକୁ ଅଭ୍ୟନ୍ତରରୁ ସଶକ୍ତ କରିଥାଏ। ଏକ୍ଷେତ୍ରରେ ଶିକ୍ଷକ କେବଳ ଜ୍ଞାନ ପ୍ରଦାନକାରୀ ହୋଇ ରହନ୍ତି ନାହିଁ ବରଂ ଶିକ୍ଷଣ ଯାତ୍ରାର ଜଣେ ସହଚର ହୋଇଥାନ୍ତି। ସେ ଉତ୍ତର ଲଦିବା ପରିବର୍ତ୍ତେ ପ୍ରଶ୍ନ ପଚାରିବାର ବାଟ ବତାନ୍ତି। ପୁଣି ନିର୍ଦ୍ଦେଶ ପରିବର୍ତ୍ତେ ଦିଗ୍ଦର୍ଶନ ଦିଅନ୍ତି। ଶିକ୍ଷକ ନିଜେ ଶିକ୍ଷଣ ପ୍ରକ୍ରିୟାର ଅଂଶବିଶେଷ ହୋଇଗଲେ ଶ୍ରେଣୀଗୃହ ଏକ ଜୀବନ୍ତ ସ୍ଥାନ ପାଲଟିଯାଏ। ନୀରବତା ବଦଳରେ ଚାଲେ ସଂଳାପର ଆଦାନ ପ୍ରଦାନ। ସେଠାରେ ଭୟ ନ ଥାଏ, ଥାଏ କୌତୂହଳ ଓ ଜିଜ୍ଞାସା। ଏତିକି ବେଳେ ଶିକ୍ଷା ସମ୍ପର୍କରେ ରୂପାନ୍ତରିତ ହୁଏ। ସେଠି ନିର୍ଦ୍ଦେଶର ଚିହ୍ନ ବର୍ଣ୍ଣ ନ ଥାଏ।
ବିଜ୍ଞାନ, ଦର୍ଶନ ଏବଂ ଅନୁଭୂତିର ସନ୍ତୁଳନ ଶିକ୍ଷାକୁ ପୂର୍ଣ୍ଣତା ଦେଇଥାଏ। ଯଦି ଆମେ କେବଳ ବିଜ୍ଞାନର କଥା ଚିନ୍ତା କରିବା ତେବେ ଏହା ଶିକ୍ଷାକୁ ଯନ୍ତ୍ରବତ୍ କରିଦେବ। ଫଳସ୍ବରୂପ ମଣିଷ କେବଳ ଏକ ଉପଯୋଗୀ ସାଧନ ହୋଇ ରହିଯିବ। ଯଦି ଦର୍ଶନ କଥା ଚିନ୍ତା କରିବା ତେବେ ଏହା ଶିକ୍ଷାକୁ ଦିବ୍ୟ ଦୁନିଆକୁ ନେଇଯିବ। ଯାହା ଆମକୁ ଅଭ୍ୟାସରୁ ବିଚ୍ଛିନ୍ନ କରିଦେବ। ସେହିଭଳି କେବଳ ଅନୁଭବର କଥା ଯଦି କହିବା, ଏହା ଶିକ୍ଷାକୁ ଅସ୍ଥିର କରିଦେବ। ଫଳତଃ ଗଭୀରତାର ଅଭାବ ପରିଲକ୍ଷିତ ହେବ। ଅଭିଜ୍ଞତା ଯଦି ଏହି ତିନୋଟିକୁ ଏକତ୍ର କରିନେବ ତେବେ ଶିକ୍ଷା ଜଣେ ବ୍ୟକ୍ତିକୁ ପୂର୍ଣ୍ଣତା ପ୍ରଦାନ କରିବ। ଫଳରେ ବ୍ୟକ୍ତି ଜଣକ ଚିନ୍ତନ କରିବାରେ ସକ୍ଷମ ହେବ। ସେ ଦାୟିତ୍ୱବୋଧ ହୋଇଯିବ। ଅଭିଜ୍ଞତାଭିତ୍ତିକ ଶିକ୍ଷା ଜଣେ ବ୍ୟକ୍ତିକୁ କେବଳ ବିବେକୀ ଓ ଜ୍ଞାନୀ ରୂପରେ ନୁହେଁ ବରଂ ଉତ୍ତରଦାୟୀ ଭାବେ ଗଢିତୋଳେ। ଶିକ୍ଷଣ କାର୍ଯ୍ୟକ୍ରମ ଜୀବନର ବାସ୍ତବ ସ୍ଥିତି ସହିତ ଜଡିତ ହେଲେ ଜ୍ଞାନ ନୈତିକତାଠାରୁ ପୃଥକ ହୋଇ ରହେନାହିଁ।
ମନୁଷ୍ୟ ନିଜ ଜ୍ଞାନକୁ କାର୍ଯ୍ୟରେ ଲଗାଇଲେ ବିବେକ ବିକଶିତ ହୋଇଥାଏ। ଅଭିଜ୍ଞତା ତାକୁ ସୀମା ଚିହ୍ନାଏ। ବିଫଳତା ତାକୁ ନମ୍ରତା ଶିଖାଏ। ଆତ୍ମ-ସଂଯମ ହେଉଛି ତାହାର ସଫଳତାର ଚାବିକାଠି। ଏପରି ଶିକ୍ଷା ବ୍ୟକ୍ତିର ଅନ୍ତରରେ ସନ୍ତୁଳନ ରକ୍ଷାକରେ। ସେ ଅତ୍ୟନ୍ତ ଆତ୍ମକୈନ୍ଦ୍ରିକ ହୋଇପାରେ ନାହିଁ । ସେ ଚିନ୍ତନ କରିବା ସହିତ ଅନୁଭବ କରେ। ଏହି ସନ୍ତୁଳନ ହିଁ ଶିକ୍ଷଣକୁ ଉପଯୋଗୀ ତଥା ଅର୍ଥପୂର୍ଣ୍ଣ ରୂପେ ଗଢିତୋଳେ। ଅଭିଜ୍ଞତାରୁ ଶିଖୁଥିବା ବ୍ୟକ୍ତି କେବଳ ନିଜ ଅଧିକାର ବିଷୟରେ ନୁହେଁ , ବରଂ ନିଜ ଦାୟିତ୍ୱ ବିଷୟରେ ସଚେତନ ଥାଏ। ସେ ପ୍ରକୃତି ସହିତ ସଂଘର୍ଷ ନ କରି ସହାବସ୍ଥାନ ଶିଖାଏ। ସେ ସମାଜକୁ କେବଳ ଉପଯୋଗୀ ବସ୍ତୁ ଭାବେ ବିବେଚନା କରେ ନାହିଁ ବରଂ ସହଭାଗିତାର ଏକ କ୍ଷେତ୍ର ରୂପେ ବିବେଚନା କରେ। ଏଭଳି ଶିକ୍ଷା ବ୍ୟବସ୍ଥା କେବଳ ବ୍ୟକ୍ତିଗତ ପ୍ରଗତି ପାଇଁ ନୁହେଁ ସାମାଜିକ ସନ୍ତୁଳନର ମଧ୍ୟ ମୂଳଦୁଆ ପକାଏ।
ବାସ୍ତବରେ ଶିକ୍ଷାର ଉଦ୍ଦେଶ୍ୟ କେବଳ ଜୀବିକା ନିର୍ବାହ ପର୍ଯ୍ୟନ୍ତ ସୀମିତ ନୁହେଁ। ନିଯୁକ୍ତି ଅପରିହାର୍ଯ୍ୟ କିନ୍ତୁ ଏହା ଶିକ୍ଷାର ଅନ୍ତିମ ଲକ୍ଷ୍ୟ ନୁହେଁ। ଶିକ୍ଷାର ଲକ୍ଷ୍ୟ ଦୃଷ୍ଟିକୋଣକୁ ବିକଶିତ କରିବା। ଏହି ଦୃଷ୍ଟିକୋଣ ଯାହା ଠିକ୍, ଭୁଲ୍କୁ ଚିହ୍ନଟ କରିପାରିବ, ଯାହା ତୁରନ୍ତ ଲାଭରୁ ଉପରକୁ ଉଠି ଦୀର୍ଘକାଳୀନ ପରିଣାମ ଦେଖିପାରିବ, ଯାହା ଜ୍ଞାନକୁ ଶକ୍ତି ଭାବରେ ନୁହେଁ ବରଂ ସେବାର ଏକ ମାଧ୍ୟମ ଭାବରେ ବୁଝିପାରିବ। ଏହି ଦୃଷ୍ଟିକୋଣର ସାରମର୍ମ ହେଉଛି ପ୍ରଥମେ ନିଜେ ଗ୍ରହଣ କର ତା’ପରେ ପଢ଼ାଅ। ଯେତେବେଳେ ଅଭିଜ୍ଞତା ବୀଜ ହୁଏ ଏବଂ ଅଧ୍ୟୟନ ଏହାର ବିସ୍ତାର କରେ ସେତେବେଳେ ଶିକ୍ଷା ଜଣେ ବ୍ୟକ୍ତିକୁ ସୁଦକ୍ଷ ଓ ବିବେକବାନ୍ ରୂପେ ଗଢି ତୋଳେ। ଏହା ହେଉଛି ଶିକ୍ଷାର ମୌଳିକ ସ୍ବରୂପ- ଯାହା ଜୀବନରୁ ଉତ୍ପନ୍ନ ହୁଏ, ଜୀବନରେ ପ୍ରବେଶ କରେ ଏବଂ ଜୀବନକୁ ଅର୍ଥ ପ୍ରଦାନ କରେ।
ଈପ୍ସିତା ମହାନ୍ତି
ବୈପାରୀଗୁଡ଼ା, କୋରାପୁଟ
ମୋ : ୬୩୭୦୬୭୯୪୦୫