ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ମାଟି। ଆମ ସଂସ୍କୃତି ଯେମିତି ମହାପ୍ରଭୁଙ୍କୁ ନେଇ ଋଦ୍ଧିମନ୍ତ, ଭାଷା ବି ସେମିତି ବିକଶିତ ‘ଚକାଡୋଳା’କୁ ନେଇ। ଅର୍ଥାତ୍ ଆମର ପ୍ରାୟ ପ୍ରତ୍ୟେକ ଲିପି ଚକାଡୋଳା ପରି ଡୋଳାକୃତି(ଗୋଲାକୃତି) ବା ଅର୍ଦ୍ଧ ଗୋଲାକୃତିର ସମାହାର। ମାତ୍ର ୩ଟି ଲିପିଚିତ୍ର ଯଥା ଚକାଡୋଳା, ଅର୍ଦ୍ଧଡୋଳା ଓ ଦଣ୍ଡ (ଶ୍ରୀସୁଦର୍ଶନଙ୍କ ପ୍ରତୀକ)ଙ୍କୁ ନେଇ ସମ୍ପୂର୍ଣ୍ଣ ଓଡ଼ିଆ ବର୍ଣ୍ଣମାଳା ସଂରଚିତ। ଓଡ଼ିଆରେ ଯେବେ କିଛି ଲେଖୁଛୁ ସେତେବେଳେ ମନେକରିବା ଉଚିତ ଯେ ‘ପ୍ରଭୁ ଶ୍ରୀଚକାଡୋଳାଙ୍କ ପ୍ରତୀକାତ୍ମକ ଚିତ୍ରଟିଏ ଆଙ୍କୁଛୁ ବୋଲି।’ ଶ୍ରୀମତ୍ଭଗବତ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, ”ସେ ହେଉଛନ୍ତି ଅକ୍ଷରଙ୍କ ମଧ୍ୟରେ ‘ଅ’ କାର। ଅର୍ଥାତ୍ ଅକ୍ଷରଙ୍କ ଭିତରେ ଭଗବାନଙ୍କ ସତ୍ତା ବିଦ୍ୟମାନ। ପ୍ରତିଟି ଅକ୍ଷର ମନ୍ତ୍ରସମ ପବିତ୍ର। ଏଣୁ ବର୍ଣ୍ଣବିଶେଷ ଲେଖିବାବେଳେ ନିର୍ଭୁଲଭାବେ ଲେଖିବାକୁ ଯତ୍ନବାନ ହେବା ଉଚିତ। “ ଅ ରୁ କ୍ଷ ସବୁ ଅକ୍ଷର ‘ମୋ ମା’ ର ମୁହଁ ଅବା ଉତ୍କଳ ମାତାଙ୍କ ପ୍ରତିବିମ୍ବ ପରି- ଏହି ଭାବଧାରା ଯେ ପର୍ଯ୍ୟନ୍ତ ନ ଆସିଛି, ସେ ପର୍ଯ୍ୟନ୍ତ ଭାଷାପ୍ରୀତି, ଭୂମିପ୍ରୀତି ଆସିବ କିପରି? ଭାଷାର ଅସ୍ତିତ୍ୱ ନିର୍ଭର କରେ ବ୍ୟବହାର ଉପରେ। ବ୍ୟବହାର ଉପରେ ନିର୍ଭର କରେ ଭାଷାର ବିକାଶ। ସେଥିପାଇଁ ଲୋଡ଼ା ଆଦରଭାବ। ମୋର ଏକ ସ୍ବର୍ଣ୍ଣିମ ଇତିହାସ ଅଛି। ସ୍ବାଧୀନତା ସଂଗ୍ରାମର ପ୍ରଥମ ବିଗୁଲ୍ ମଧ୍ୟ ଏ ମାଟିରୁ ବାଜିଥିଲା ୧୮୦୪ରେ। ମହାତ୍ମା ବୁଦ୍ଧଙ୍କ ପ୍ରଥମ ଶିଷ୍ୟ (ତ୍ରପୁସ ଓ ଭଲିକ) ଥିଲେ ଏମାଟିର ପୁଅ। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା। ଦେଶରେ ପ୍ରଥମ ଭାଷାନୀତି ପ୍ରଣୟନ ହୋଇଥିଲା ଏ ମାଟିରେ। ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ସମ୍ପାଦନାର୍ଥେ ‘ଓଡ଼ିଶା ସରକାରୀ ଭାଷା ଅଧିନିୟମ’ ପ୍ରଥମେ ପ୍ରଣୟନ ହୋଇଥିଲା ୧୯୫୪ରେ। ଏ ମାଟିର ଭାଷା ‘ଓଡ଼ିଆ’ ହେଉଛି ଏକ ପ୍ରାଚୀନ ଓ ଶାସ୍ତ୍ରୀୟ ଭାଷା – ଏହିଭଳି ଗୌରବବୋଧ ରହିଲେ ସ୍ବତଃ ଆଗ୍ରହ/ ଆଦର ଭାବ ଜାତହେବ।
ଭାଷାର ବର୍ଣ୍ଣମାଳା ବିଜ୍ଞାନରେ ଭରା। ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର ତାର୍କିକ ଓ ଯଥାର୍ଥ ଗଣନା ସହ କ୍ରମିକ ରୂପରେ ରଖାଯାଇଛି। ଏହିପରି ବୈଜ୍ଞାନିକ ଦୃଷ୍ଟିକୋଣ ଅନ୍ୟ କୌଣସି ବିଦେଶୀ ଭାଷାର ବର୍ଣ୍ଣମାଳାରେ ନାହିଁ। ଯେପରିକି,‘କ ଖ ଗ ଘ ଙ’ – ଏହି ପାଞ୍ଚ ସମୂହକୁ ‘କଣ୍ଠ୍ୟ’ କୁହାଯାଇଥାଏ। କାରଣ ଏହାକୁ ଉଚ୍ଚାରଣ ସମୟରେ କଣ୍ଠରୁ ଧ୍ୱନି ବାହାରିଥାଏ। ‘ଚ ଛ ଜ ଝ ଞ୍ଜ’ – ଏହି ପାଞ୍ଚ ସମୂହକୁ ‘ତାଲବ୍ୟ’କୁହାଯାଇଥାଏ। କାରଣ ଏହାକୁ ଉଚ୍ଚାରଣ ସମୟରେ ଜିଭ ତାଳୁରେ ଲାଗିଥାଏ। ‘ଟ ଠ ଡ ଢ ଣ’ – ଏହି ପାଞ୍ଚ ସମୂହକୁ ‘ମୂର୍ଦ୍ଧନ୍ୟ’କୁହାଯାଇଥାଏ। କାରଣ ଏହାକୁ ଉଚ୍ଚାରଣ ସମୟରେ ଜିଭ ମୂର୍ଦ୍ଧାରେ ଲାଗିଥାଏ। ‘ତ ଥ ଦ ଧ ନ’ – ଏହି ପାଞ୍ଚ ସମୂହକୁ ‘ଦନ୍ତ୍ୟ’ କୁହାଯାଇଥାଏ। କାରଣ ଏହାକୁ ଉଚ୍ଚାରଣ ସମୟରେ ଜିଭ ଦାନ୍ତକୁ ଛୁଇଁଥାଏ। ‘ପ ଫ ବ ଭ ମ’ – ଏହି ପାଞ୍ଚ ସମୂହକୁ ‘ଓଷ୍ଠ୍ୟ’ କୁହାଯାଇଥାଏ। କାରଣ ଏହାକୁ ଉଚ୍ଚାରଣ ସମୟରେ ଦୁଇ ଓଠ ପରସ୍ପର ସହିତ ମିଶିଥାଏ।
ଆମ ଓଡ଼ିଆ ଭାଷା ପ୍ରାୟ ଦୁଇ ହଜାର ବର୍ଷର ପୁରୁଣା ଭାଷା। ଯେଉଁଠି ଇଂରାଜୀ ଭାଷା କେଇଶହ ବର୍ଷ ତଳର। ପୁନଶ୍ଚ ‘ଓଡ଼ିଆ’ ହେଉଛି ପୂର୍ବ ଭାରତର ପ୍ରାଚୀନତମ ଭାଷା, ଏପରିକି ବଙ୍ଗଳାଭାଷାଠାରୁ ପୁରୁଣା। ଓଡ଼ିଆ ଭାଷା ଏକ ପୂର୍ଣ୍ଣାଙ୍ଗ ଓ ପ୍ରାଚୀନ ଭାଷା। ବିଶ୍ୱର ସମୁଦାୟ ୭୧୦୨ଟି ଭାଷା ମଧ୍ୟରେ ବହୁ କଥିତ ୩୭ତମ ଭାଷା ହେଉଛି ଓଡ଼ିଆ ଭାଷା। ଦେଶରେ ସ୍ବୀକୃତ ଭାଷା ମଧ୍ୟରୁ ଓଡ଼ିଆ ଭାଷାର ସ୍ଥାନ ଦଶମ। ଏହା ମଧ୍ୟ ଦେଶର ୬ଷ୍ଠ ଶାସ୍ତ୍ରୀୟ ଭାଷା। ଅତି ସୁନ୍ଦର ଆମ ମାତୃଭାଷାକୁ ଅଣଦେଖା କରି ‘ଇଂରାଜୀ’ ଭାଷାକୁ ପ୍ରାଧାନ୍ୟ ଦେଉଥିବା ଆମ ଯୁବବର୍ଗ ଜାଣିରଖିବା ଉଚିତ ଯେ ଆଜିସୁଦ୍ଧା ସାରା ବିଶ୍ୱର ମାତ୍ର ୧୧ଟି ଦେଶରେ ଇଂରାଜୀ ଭାଷା ପ୍ରଚଳିତ। ମିଳିତ ଜାତିସଂଘରେ ମଧ୍ୟ ଏହା ପ୍ରଚଳିତ ଭାଷା ନୁହେଁ (ପ୍ରଚଳିତ ଭାଷା-ଫରାସୀ)। ଅନ୍ୟପକ୍ଷରେ ଓଡ଼ିଆ ଏକ ସରଳ, ସାବଲୀଳ, ବିଜ୍ଞାନସିଦ୍ଧ ସମୃଦ୍ଧ ଭାଷା। ମାତୃଭାଷାକୁ ଯଦି ଆମେ ଯଥୋଚିତ ସମ୍ମାନ ନ ଦେବା କି ତା’ର ସୁରକ୍ଷା ଓ ସମୃଦ୍ଧି ପାଇଁ ଯତ୍ନବାନ ନ ହେବା, ତା’ହେଲେ କିଏ କରିବ ସେ କାମ? ଆମ ଜାତିର ଜାତକ ଆମେ ନିଜେ ଲେଖିବା ନାହିଁ କାହିଁକି? ସେଥିପାଇଁ ଉତ୍କଳର ବରପୁତ୍ରମାନେ ଆମକୁ ଚେତେଇ ଯାଇଛନ୍ତି-‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା’ (ଗଙ୍ଗାଧର ମେହେର)। ଆମ ଭାଷାର ସୁଯୋଗ୍ୟ ସେନାପତି ‘ଫକୀରମୋହନ’ ଉଦ୍ଘୋଷ କରିଯାଇଛନ୍ତି-‘ଭାଷା ହିଁ ଜୀବନିଶକ୍ତି ଜାତିମାନଙ୍କର’। ଏଣୁ ଆସନ୍ତୁ, ସମସ୍ତ ଓଡ଼ିଆପ୍ରାଣ ଓଡ଼ିଆ ଭାଷାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଯତ୍ନବାନ୍ ହେବା। ଭାଷା ଓ ଭୂମିର ବନ୍ଦନା କରିବା। ସେଥିପାଇଁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦିବସ ଅବସରରେ ପ୍ରତିଟି ଓଡ଼ିଆଙ୍କ ନିକଟରୁ ମାଟି ମାଆ ମାଗୁଛି ଦିନକୁ ମାତ୍ର ଗୋଟେ ଟଙ୍କା ଏବଂ ଗୋଟେ ଘଣ୍ଟା। ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଦୈନିକ ଗୋଟିଏ ଟଙ୍କା ହିସାବରେ ବର୍ଷରେ ଅନୂ୍ୟନ ୩୬୫ ଟଙ୍କାର ପୁସ୍ତକ ନିହାତି କିଣିବା ଏବଂ ଗୋଟିଏ ଘଣ୍ଟା ନିହାତି ପଢ଼ିବା।
-ଉପେନ୍ଦ୍ର ବିଶ୍ୱାଳ
ମୋ: ୯୪୩୭୪୩୬୦୭୩