ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର ମଧ୍ୟାହ୍ନରେ ୧୦ ଜଣ ଛାତ୍ର ପାଚେରୀ ଡେଇଁ ଜଙ୍ଗଲକୁ ପଳାଇଥିବା ଘଟଣାରେ ବିଳମ୍ବିତ ରାତିରେ ନିକଟସ୍ଥ ଜଙ୍ଗଲରୁ ୯ ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇଛଇ। ସେହିପରି ବୁଧବାର ସକାଳୁ ଆଉ ଜଣେ ଦ୍ୱିିତୀୟ ଶ୍ରେଣୀ ଛାତ୍ରଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ରାତି ତମାମ ଜଙ୍ଗଲରେ ଏକାକୀ ଛାତ୍ର ଜଣଙ୍କ ରାତି ବିତାଇଥିବା ଛାତ୍ରଙ୍କ ଅଭିଭାବକ କହିଥିବାବେଳେ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି । ଏବେ ଆଗକୁ ପରୀକ୍ଷା ରହିଥିବାରୁ ଅଭିଭାବକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୌଣସି ପ୍ରଶ୍ନ ପଚାରିନଥିବା ଓ ପିଲାଙ୍କ ପରୀକ୍ଷା ପରେ ଏନେଇ ଛାତ୍ରାବାସର ଅବ୍ୟବସ୍ଥା ସମ୍ପର୍କରେ ପଚରାଯିବ ବୋଲି କିଛି ଅଭିଭାବକ କହିଛନ୍ତି। ୯ ଜଣ ଛାତ୍ର ବିଳମ୍ବିତ ରାତ୍ରରେ ଉଦ୍ଧାର କରାଯାଇଥିଲେ ସୁଦ୍ଧା ଜଣେ ଛାତ୍ରଙ୍କୁ ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ରାତି ୧୧ଟା ଯାଏ ଖୋଜାଖୋଜି କରି ନିରାଶ ହୋଇଥିଲେ । ପୁଣି ଭୋର ସମୟରୁ ଖୋଜାଖୋଜି କରାଯିବାବେଳେ ଜଙ୍ଗଲର ଏକ ବୁଦାରେ ଦ୍ୱିତୀୟ ଶ୍ରେଣୀର ଛାତ୍ର ଜଣଙ୍କ ଶୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇଥିବା ପ୍ରଧାନଶିକ୍ଷକ କିଲିଙ୍ଗା ପ୍ରଧାନ କହିଛନ୍ତି। ସୂଚନା ଯୋଗ୍ୟ ଯେ, ଛାତ୍ରାବାସରୁ ୧୦ ଛାତ୍ର ପାଚେରୀ ଡେଇଁ ଫେରାର ଘଟଣା ସମ୍ପର୍କରେ ଧରିତ୍ରୀ ପୋର୍ଟାଲରେ ଖବର ପ୍ରକାଶିତ ପରେ ଏନେଇ ଜିଲା ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ର ଏହାର ତଦନ୍ତ କରିବାକୁ ଦାରିଙ୍ଗବାଡି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲା ଶିକ୍ଷା ଅଧିକାରୀ ରାଜେଶ ସ୍ବାଇଁ ମଧ୍ୟ ଦାରିଙ୍ଗବାଡି ବିଇଓ ମହେଶ୍ୱର ମାଝୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ତେବେ ବୁଧବାର ଖବର ଲେଖିବା ସୁଦ୍ଧା କୌଣସି ଅଧିକାରୀମାନେ ସାମନବାଡି ଛାତ୍ରାବାସରେ ପହଞ୍ଚି ତଦନ୍ତ କରିନଥିବା ଜଣାପଡିଛି ।

